ଉତ୍କଳମଣିଙ୍କ ସମଗ୍ର ଜୀବନ ଥିଲା ଆର୍ତ୍ତଜନଙ୍କ ପାଇଁ ସମର୍ପିତ
ଗୁରୁଡିଝାଟିଆ : ମହାନ ମୁକ୍ତି ସଂଗ୍ରାମୀ, ଶିକ୍ଷାବିତ୍ ,ବ୍ୟବସ୍ଥାପକ ,ଆଇନୀଜ୍ଞ,ସଂସ୍କାରକ, କବି ମନିଷୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ପାଳିତ ହୋଇଛି । ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ବକୁଳବନର ସନ୍ଥ ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ସମଗ୍ର ଜୀବନ ଥିଲା ତ୍ୟାଗ, ତିତୀକ୍ଷା, ସମର୍ପଣ ଓ ନିର୍ଲିପ୍ତତାରେ ପରିପୂର୍ଣ୍ଣ । ଜୀବନରେ ସବୁ ହରାଇ ନିଃସଙ୍ଗ ହୋଇପଡିଥିଲେ ମଧ୍ୟ ଉତ୍କଳୀୟଙ୍କ ଆଖିର ଲୁହ ଓ ହୃଦୟର କୋହ କୁ ନିଜ ଭିତରେ ସ୍ଥାନୀତ କରି ସେମାନଙ୍କୁ ସହଯୋଗ କରିବା ନିମନ୍ତେ ଆଗେଇ ଆସି ଚେନ୍ନାଏ ହସ ଦେବାରେ ଜୀବନକୁ ବିତାଇ ଦେଇଥିଲେ। ସରକାରଙ୍କ ଗଣ୍ଡାଗଣ୍ଡା ଯୋଜନା ଥିଲେ ମଧ୍ୟ ବଢି, ମରୁଡି ଓ ଝଡି ଆସିଲେ ଦୁଃଖି ମଣିଷର ହୃଦୟରେ ଭାସି ଉଠନ୍ତି ଦାସେ ଆପଣେ । ଶିକ୍ଷାର ବିକାଶ ପାଇଁ ସତ୍ୟବାଦୀ ବକୁଳ ବନବିଦ୍ୟାଳୟ ମଣିଷ ଗଢା କାରଖାନା ଉତ୍କଳୀୟଙ୍କ ଦୁଃଖ ଦୁର୍ଦ୍ଦଶାକୁ ଇଂରେଜ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ “ସମାଜ” ପ୍ରତିଷ୍ଠା ସହିତ ବିଚ୍ଛିନ୍ନାଞ୍ଚଳର ଓଡିଆମାନଙ୍କୁ ଏକତ୍ରିତ କରି ଜାତୀୟ ପ୍ରୀତି ସୃଷ୍ଟି ସର୍ବୋପରି ମାନବିକ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେଇ ଦୁଃଖି ମଣିଷର ହୃଦୟକୁ ବୁଝିପାରୁଥିବା ମଣିଷ ପରି ମଣିଷଟିଏ ପୂଣ୍ୟାତ୍ମା ଗୋପବନ୍ଧୁ ବୋଲି ଡାକ୍ତର ଦାଶ କହିଥିଲେ । ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦ ଜୟନ୍ତୀ ଉତ୍ସବରେ ପୌରହିତ୍ୟ କରି କହିଥିଲେ ପଣ୍ଡିତ ଗୋପବନ୍ଧୁ ଦାସ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ଓ ପୂଜ୍ୟ । ଦେଶ ସ୍ୱାଧୀନତା ପାଇଁ କାରାବରଣ କରିବା, ଦୁଃଖିମଣିଷର କଥା ଓ ବ୍ୟଥାକୁ ଜନପ୍ରତିନିଧି ହିସାବରେ ବିହାର ଓଡିଶା ବ୍ୟବସ୍ଥାପକ ସଭାରେ ଉତଥାପନ କରିବା,ସର୍ବୋପରି ସମସ୍ତଙ୍କୁ ନିଜ ଭିତରେ ସ୍ଥାନିତ କରିବା ଭଳି ଜଣେ କର୍ମଯୋଗୀ ଥିଲେ ବୋଲି କହିଥିଲେ।
ସେବିକା ଛାତ୍ରୀ ଶକ୍ତି ସାମରିକା ନାୟକ,ଚିନ୍ମୟୀ ବରାଳଙ୍କ ସଂଯୋଜନାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ସଂଗୀତା ସାହୁ, ଶୁଭଶ୍ରୀ, ସୌମ୍ୟରଞ୍ଚନ, ଶତଭିଷା ପ୍ରମୁଖ ଉତ୍କଳମଣିଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ସ୍ତ୍ରୀ ଓ ପ୍ରସୁତୀ ବିଶେଷଜ୍ଞ ଅଦିତୀ ବିଷ୍ଣୁ ଅତିଥି ଭାବରେ ଯୋଗଦେଇ ପୂଣ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରିନ୍ସପାଲ ଟ୍ୟୁଟର ରାଜଶ୍ରୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀମାନେ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ।
Comments are closed.