ଡିସେମ୍ବର ୧୫ରୁ ଆରମ୍ଭ ହେବ ଆଠଗଡ ମହୋତ୍ସବ

ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି

ଆଠଗଡ :  ଆଠଗଡ ମହୋତ୍ସବ ୨୦୨୩ ଆସନ୍ତା ଡିସେମ୍ବର ୧୫ରୁ ଆରମ୍ଭ ହେବ ଏବଂ ଏଥିରେ ଚଳିତ ବର୍ଷ ସ୍ଥାନୀୟ କଳା, ସଂସ୍କୃତି ଓ ଲୋକକଳାକୁ ପ୍ରାଥମିକତା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଠଗଡ ମହୋତ୍ସବ ପାଳନ କମିଟି ଆବାହକ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପୌରୋହିତ୍ୟରେ ଆଠଗଡ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଠଗଡ ମହୋତ୍ସବକୁ ସରସ ସୁନ୍ଦର, ଶୃଙ୍ଖଳିତ ଭାବେ ଏବଂ ଆଠଗଡ ସହର, ଗ୍ରାମାଞ୍ଚଳ ଓ ଉପଖଣ୍ଡର ଅନ୍ୟାନ୍ୟ ବ୍ଲକର କଳାକାରଙ୍କୁ ସେମାନଙ୍କର କଳା ପ୍ରଦର୍ଶନ ପାଇଁ ପ୍ରାଥମିକତା ଦିଆଯିବ ବୋଲି ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକର ପ୍ରାରମ୍ଭରେ ଗତବର୍ଷ ମହୋତ୍ସବ କମିଟିର ଆବାହକ ତଥା ପୂର୍ବତନ ଉପଜିଲ୍ଲାପାଳ ଓ ବର୍ତ୍ତମାନର କଟକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସ୍ୱାଇଁଙ୍କୁ ଚଳିତ ଆଠଗଡ ମହୋତ୍ସବ କମିଟିର ଉପଦେଷ୍ଟା ଭାବେ ସର୍ବସମ୍ମତକ୍ରମେ ମନୋନୀତ କରି ପ୍ରସ୍ତାବ ଗୃହିତ ହୋଇଥିଲା। ଏଥିରେ ଉଦ୍‌‌ବୋଧନ ଦେଇ ଶ୍ରୀ ସ୍ୱାଇଁ ଆଠଗଡ ଅଞ୍ଚଳର କଳାକାର ମାନଙ୍କର ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କର ପ୍ରତିଭାକୁ ବିକଶିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ ଆଠଗଡ ମହୋତ୍ସବ ପାଇଁ ପ୍ରକାଶିତ ହେବାକୁ ଥିବା ସ୍ମରଣୀକା ‘ଅଷ୍ଟାୟନ’ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ସହ ସ୍ମରଣୀକା ପ୍ରକାଶନ କମିଟିରେ ଆଠଗଡ ଅଞ୍ଚଳର ସାହିତ୍ୟିକ ଓ ସାରସ୍ୱତ ସାଧକଙ୍କୁ ସାମିଲ କରିବା ନେଇ ପ୍ରସ୍ତାବ ଗୃହିତ ହୋଇଥିଲା। ଦଳମତ ନିର୍ବିଶେଷରେ ସମସ୍ତେ ଆଠଗଡ ମହୋତ୍ସବକୁ ସଫଳ କରିବା ଦିଗରେ ଆଗେଇ ଆସିବା ଲାଗି ଉପଜିଲ୍ଲାପାଳ ଶ୍ରୀ ତରାଇ ଏବଂ ଉପଦେଷ୍ଟା ଶ୍ରୀ ସ୍ୱାଇଁ ନିବେଦନ କରିଥିଲେ। ଏହି ବୈଠକରେ ଯୋଗଦେଇଥିବା ବିଭିନ୍ନ କମିଟିର ସଦସ୍ୟ ଓ ଆଠଗଡ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ମହୋତ୍ସବକୁ ସୁନ୍ଦର ଓ ଆକର୍ଷଣୀୟ କରିବା ସହିତ ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଡିସେମ୍ବର ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଏହି ମହୋତ୍ସବ ଆୟୋଜନ ଲାଗି ଆପାତତଃ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ କେତେକ ସଦସ୍ୟ ଏହାକୁ ସାତ ଦିନ ପାଇଁ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଏହା ଉପରେ ପରବର୍ତ୍ତୀ ସମୟରେ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଉପଦେଷ୍ଟା ଶ୍ରୀ ସ୍ୱାଇଁ ଓ ଆବାହକ ତଥା ଉପଜିଲ୍ଲାପାଳ ଶ୍ରୀ ତରାଇ ପ୍ରକାଶ କରିଥିଲେ। ଏହି ବୈଠକରେ ନଗରପାଳ ସସ୍ମିତା ରାଉତ, କୃଷିମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ପୂର୍ବତନ ନଗରପାଳ ସୁବର୍ଣ୍ଣମଞ୍ଜରୀ ଭଞ୍ଜ ଓ ସୁଚିତ୍ରା ସାହୁ, ଯୁବ ସଂଗଠକ ପ୍ରକାଶ ରାଉତ, ବିଡିଓ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। ମହୋତ୍ସବ କମିଟିର ମୁଖ୍ୟ ସଂଯୋଜକ ତହସିଲଦାର ପ୍ରିୟବ୍ରତ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୋଷାଧ୍ୟକ୍ଷ ତଥା ଉପକୋଷାଗାର ଅଧିକାରୀ ପ୍ରିୟ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.