ସ୍ଥିତି ରକ୍ଷା ପାଇଁ ଇହୁଦି ଓ ଆରବୀଙ୍କ ଲଢ଼େଇ

ତେଲ୍‌ ଆବିଭ୍‌ : ପ୍ରଥମ ବିଶ୍ବଯୁଦ୍ଧରେ ଓଟୋମାନ୍‌ ସାମ୍ରାଜ୍ୟ ପରାଜିତ ହେବା ପରେ ପାଲେଷ୍ଟାଇନ୍‌ ଉପରେ ବ୍ରିଟେନ୍‌ର ଆଧିପତ୍ୟ ବୃଦ୍ଧି ପାଇଲା। ସେତେବେଳେ ପାଲେଷ୍ଟାଇନ୍‌ରେ ସଂଖ୍ୟାଲଘୁ ଇହୁଦି ଓ ସଂଖ୍ୟାବହୁଳ ଆରବୀ ବସବାସ କରୁଥିଲେ। ଆନ୍ତର୍ଜାତିକ ସମୁଦାୟ ବ୍ରିଟେନ୍‌କୁ ପାଲେଷ୍ଟାଇନ୍‌ରେ ଏକ ଇହୁଦି ରାଜ୍ୟ ଗଠନ ଦାୟିତ୍ବ ଦେଲେ। ପାଲେଷ୍ଟିନୀୟ ନିଜ ଦେଶରେ ଇହୁଦିଙ୍କୁ ଜାଗା ଦେବାକୁ ଚାହୁଁ ନଥିବାରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ବର୍ତ୍ତମାନର ରୂପ ନେଇଛି। ସୂଚନାଯୋଗ୍ୟ ଯେ ୧୯୨୦ ଓ ୧୯୪୦ ଦଶକରେ ପାଲେଷ୍ଟାଇନ୍‌ରେ ଇହୁଦି ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ସେମାନେ ନିଜର ପାଇଁ ଏକ ଜାଗା ବା ରାଜ୍ୟ ଖୋଜୁଥିଲେ। ୧୯୪୭ରେ ଜାତିସଂଘ ପାଲେଷ୍ଟାଇନ୍‌କୁ ବିଭାଜନ କରି ସ୍ବତନ୍ତ୍ର ଇହୁଦି ଓ ଆରବ ରାଷ୍ଟ୍ର ଗଠନ ସପକ୍ଷରେ ଭୋଟ୍‌ ଦେଲା। ଜେରୁଜେଲମ୍‌କୁ ଆନ୍ତର୍ଜାତିକ ପ୍ରଶାସନ ଅଧୀନରେ ରଖିବାକୁ ଏଥିରେ ପ୍ରସ୍ତାବ ଥିଲା। ଇହୁଦିମାନେ ଏଥିରେ ଖୁସି ହୋଇଥିଲେ; କିନ୍ତୁ ଆରବୀ ରାଗି ଯାଇଥିଲେ। ୧୯୪୮ରେ ବିବାଦ ତୁଟାଇବାରେ ଅକ୍ଷମ ବ୍ରିଟେନ ଦାୟିତ୍ବରୁ ଓହରିଗଲା। ଇହୁଦିମାନେ ଇସ୍ରାଏଲ ପ୍ରତିଷ୍ଠା କଲେ। ଏହାକୁ ନେଇ ପାଲେଷ୍ଟିନୀୟ ଯୁଦ୍ଧ ଘୋଷଣା କଲେ। ଆରବ ଦେଶ ସମୂହ ପାଲେଷ୍ଟାଇନ୍‌କୁ ସମର୍ଥନ କଲେ। ଯୁଦ୍ଧରେ ଇସ୍ରାଏଲ ବହୁ ପାଲେଷ୍ଟିନୀୟଙ୍କୁ ନିଜ ଅଞ୍ଚଳରୁ ତଡ଼ି ଦେଲା ବା ଅନେକ ଘରଦ୍ବାର ଛାଡ଼ି ଚାଲିଗଲେ। ବହୁ କାଳରୁ ଆରବଙ୍କ ଅତ୍ୟାଚାରରେ ନିଜ ଭିଟା ମାଟି ହରାଇ ବିଶ୍ବର ବିଭିନ୍ନ ସ୍ଥାନରେ ଆଶ୍ରୟ ​‌େ​‌ନଇଥିବା ଇହୁଦିମାନେ ନିଜର ଏକ ରାଜ୍ୟ ପାଇବା ପରେ ସେଠାକୁ ଫେରିଲେ ଓ କ୍ରମଶଃ ନିଜର ଶକ୍ତି ବୃଦ୍ଧି କଲେ। ଏହା ଇସ୍‌ଲାମିକ୍‌ ରାଷ୍ଟ୍ର ଓ ପାଲେଷ୍ଟାଇନ୍‌ ପାଇଁ ଅସହ୍ୟ ହେଲା। ସେବେଠାରୁ ଉଭୟଙ୍କ ମଧ୍ୟରେ ତୁହାକୁ ତୁହା ଯୁଦ୍ଧ ଲାଗି ରହିଛି। ବିଭିନ୍ନ ସମୟରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସଫଳ ହୋଇ ନାହିଁ। ୧୯୮୭ରେ ପାଲେଷ୍ଟିନୀୟ ସଂଗଠନ ‘ହମାସ୍‌’ (ହରକତ୍‌ ଅଲ୍‌- ମୁକାୱାମା ଅଲ୍‌- ଇସଲାମ) ଗଠନ ହେବା ପରଠାରୁ ଏହି ବିବାଦ ତଥା ଯୁଦ୍ଧ ବଢ଼ିଚାଲିଛି। ରାଜନୈତିକ ସଂଗଠନ ଭାବେ ଜନ୍ମ ନେଇଥିବା ହମାସ ୧୯୯୦ରୁ ଆତଙ୍କବାଦୀ ସଂଗଠନ ପାଲଟି ଯାଇଥିଲା। ‘ମୁସଲମାନ ବ୍ରଦରହୁଡ୍‌’ ନାମରେ ଏହା ସୁନ୍ନି ମୁସଲମାନଙ୍କର ସଂଘ ପାଲଟିଥିଲା। ଏହା ଯୋଗୁଁ ପାଲେଷ୍ଟିନୀୟ ଉତ୍ଥାନ ଅଭିଯାନ ଆରମ୍ଭ ହେଲା; ଯାହା ପାଲେଷ୍ଟାଇନ୍‌-ଇସ୍ରାଏଲ ବିବାଦକୁ ତୀବ୍ର କଲା। ୨୦୦୦ ମସିହାରେ ଆମେରିକା ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ କ୍ୟାମ୍ପ ଡେଭିଡ୍‌ ସମ୍ମିଳନୀରେ ପାଲେଷ୍ଟାଇନ୍‌ ନେତା ୟାସେର ଆରାଫତ ଓ ଇସ୍ରାଏଲ ନେତା ଇହୁଦ୍‌ ବରାକ୍‌ଙ୍କୁ ଏକାଠି କରିବା ସହ ବିବାଦ ତୁଟାଇବା ଉଦ୍ୟମ କରିଥିଲେ; କିନ୍ତୁ ସୁଫଳ ମିଳିବା ବଦଳରେ ଅଧିକ ହିଂସ୍ର ରୂପ ନେଇଥିଲା। ହମାସ ନିଜର ଲଢ଼ୁଆ ବାହିନୀକୁ ୱେଷ୍ଟ ବ୍ୟାଙ୍କରେ ଏକତ୍ର କରି ଲଢ଼େଇର ଆହ୍ବାନ ଦେଲା। ଆରବ ଓ ଇସ୍‌ଲାମିକ୍‌ ରାଷ୍ଟ୍ର ସମୁଦାୟ ଏଥିରେ ସାମିଲ ହେଲେ। ଜେରୁଜେଲମ୍‌ର ପୂର୍ବ ଭାଗ, ଗାଜା ଓ ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଲା। ଗାଜା ସୀମାରେ ଇସ୍ରାଏଲ ଓ ଇଜିପ୍ଟ ପ୍ରଭାବ ବିସ୍ତାର କରି ହମାସ୍‌କୁ ପ୍ରତିରୋଧ କଲେ। ସେମାନେ ଯେମିତି ଅସ୍ତ୍ରଶସ୍ତ୍ର ନପାଇବେ ସେଥିପ୍ରତି ଧ୍ୟାନ ଦେଲେ। ଏହାଦ୍ବାରା ଗାଜାରେ ମାନବୀୟ ସମସ୍ୟା ଉପୁଜିଲା। ଗାଜା ଓ ୱେଷ୍ଟ ବ୍ୟାଙ୍କରେ ଥିବା ପାଲେଷ୍ଟିନୀୟମାନେ ହଇରାଣ ହରକତ ହେବା ସହ ଇସ୍ରାଏଲ ଦ୍ବାରା ନିର୍ଯାତିତ ହେଉଥିବା ଅଭିଯୋଗ କଲେ। ସେମାନଙ୍କ ମୁକ୍ତି ପାଇଁ ହମାସ୍‌ର ଲଢ଼େଇ ସାମ୍ପ୍ରତିକ ଯୁଦ୍ଧରେ ପରିଣତ ହୋଇଛି।

Comments are closed.