ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଥାନାରେ ବିବାହ ଅବୈଧ

ଲକ୍ଷ୍ନୌ : ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ଦମ୍ପତିଙ୍କ ମାମଲାର ଶୁଣାଣି କରି କହିଛନ୍ତି; ସାତଫେରା ପ୍ରକ୍ରିୟା ବିନା କୌଣସି ବିବାହକୁ ବୈଦିକ ବିବେଚନା କରାଯାଏ ନାହିଁ, ତେଣୁ ଏଭଳି ବିବାହ ବୈଧ ନୁହେଁ।
ହିନ୍ଦୁ ଧର୍ମରେ ବିବାହକୁ ନେଇ ଅନେକ ରୀତିନୀତି ଓ ପଦ୍ଧତି ରହିଛି। ଏହି ଆଧାରରେ ବିବାହକୁ ସ୍ୱୀକୃତି ଦିଆଯାଏ। ଏହାର ଅନେକ ସର୍ଟକଟ୍ ପକ୍ରିୟା ବର୍ତ୍ତମାନ ସମାଜରେ ବ୍ୟବହୃତ ହେଉଛି। ଏପରି ଏକ ସର୍ଟକଟ୍ ହେଉଛି ଥାନାରେ ବିବାହ କରିବା। ପୁଲିସ ସାମ୍ନାରେ ପରସ୍ପରକୁ ବିବାହ କରିବା ଆଉ ବୈଧ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଏକ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି; ହିନ୍ଦୁ ବିବାହର ସାତଫେରା ଏକ ଜରୁରୀ ଉପାଦାନ। ରୀତିନୀତି ଅନୁଯାୟୀ ବିବାହ ଆଇନ ଦୃଷ୍ଟିରେ ବୈଧ ବିବାହ ଭାବରେ ବିବେଚନା କରାଯିବ। କୋର୍ଟ କହିଛନ୍ତି, ହିନ୍ଦୁ ବିବାହ ଆଇନରେ ରୀତିନୀତିକୁ ଶ୍ରେଷ୍ଠତା ପ୍ରଦାନ କରାଯାଇଛି। ଯଦି ବୈଦିକ ନିୟମ ଅନୁଯାୟୀ ଏହି ବିବାହ ଉତ୍ସବ ପାଳନ କରାଯାଇ ନାହିଁ, ତେବେ ଆଇନ ଦୃଷ୍ଟିରେ ଏଭଳି ବିବାହ ବେଆଇନ ରହିବ। ଯେଉଁ ବିବାହରେ ‘ସପ୍ତପଦୀ’ ଅର୍ଥାତ୍ ଅଗ୍ନିକୁ ସାକ୍ଷୀ ରଖି ବର-କନିଆଁ ସାତ ଥର ଫେରା ନେଇନହାନ୍ତି କିମ୍ବା ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇନାହିଁ ସେ ବିବାହ ହିନ୍ଦୁ ବିବାହ ଆଇନ ଅନୁସାରେ ବୈଧ ନୁହେଁ। ହିନ୍ଦୁ ରୀତି ଆଧାରରେ ଯେଉଁ ବିବାହ ବୈଧ ନୁହେଁ ତାକୁ ବିବାହ ବୋଲି ମାନି ନିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ବାରାଣସୀର ସ୍ମୃତି ସିଂଙ୍କ ଆବେଦନ ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ସଞ୍ଜୟ କୁମାର ସିଂହଙ୍କ ଏକକ ବେଞ୍ଚ ଏହି ରାୟ ଦେଇଛନ୍ତି। ସ୍ମୃତି ୨୦୧୭ରେ ସତ୍ୟମ ସିଂହ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ସେ ଶାଶୂଘର ଛାଡ଼ି ବାପଘରେ ରହୁଥିଲେ। ଶାଶୂଘରେ ଯୌତୁକ ନିର୍ଯାତନା ଦେଉଥିବା ନେଇ ଥାନାରେ ସେ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୁଲିସ ସ୍ୱାମୀ ଏବଂ ଶାଶୂଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ସତ୍ୟମ, ପତ୍ନୀ ଛାଡ଼ପତ୍ର ନ ଦେଇ ଅନ୍ୟତ୍ର ବିବାହ କରିଥିବାର ଏକ ଅଭିଯୋଗ ଦାଖଲ କରିଥିଲେ। ଏ ନେଇ ମିର୍ଜାପୁର କୋର୍ଟରେ ମାମଲା ବିଚାରାଧୀନ ଚାଲିଛି। ଅପ୍ରେଲ ୧, ୨୦୨୨ରେ କୋର୍ଟ ସ୍ମୃତିଙ୍କୁ ସମନ ପଠାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ମୃତି।
ଦ୍ୱିତୀୟ ବିବାହ ନେଇ ସ୍ୱାମୀ କରିଥିବା ଆବେଦନ, ମିର୍ଜାପୁର କୋର୍ଟଙ୍କ ସମନ ଏବଂ ପରବର୍ତ୍ତୀ କାର୍ଯାନୁଷ୍ଠାନକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ସେ। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି ସମୟରେ ଦ୍ୱିତୀୟ ବିବାହର କୌଣସି ପ୍ରମାଣ ନଥିବା ଦର୍ଶାଇଛନ୍ତି। ଅଦାଲତ ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୭କୁ ଉଲ୍ଲେଖ କରିଛନ୍ତି। ଏହି ଧାରା ଅନୁସାରେ ଉଭୟ ପକ୍ଷର ପାରମ୍ପରିକ ରୀତିନୀତି ତଥା ସମାରୋହ ଅନୁଯାୟୀ ଏକ ହିନ୍ଦୁ ବିବାହ ଉତ୍ସବ ସମ୍ପନ୍ନ ହୋଇପାରେ। ଦ୍ୱିତୀୟତଃ, ଏହିପରି ରୀତିନୀତି ଏବଂ ସମାରୋହରେ ‘ସପ୍ତପଦୀ’ ନିଆଯିବା ପରେ ବିବାହକୁ ସଂପୂର୍ଣ୍ଣ ଏବଂ ବାଧ୍ୟତାମୂଳକ ଧରାଯାଏ। ଯେହେତୁ ସ୍ମୃତିଙ୍କ ବିପକ୍ଷରେ ସ୍ୱାମୀ ଆଣିଥିବା ଅଭିଯୋଗରେ ଏପରି ପ୍ରମାଣ ନାହିଁ ତେଣୁ ମିର୍ଜାପୁର କୋର୍ଟରେ ଚାଲିଥିବା ପ୍ରକ୍ରିୟାକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ।
ଅଦାଲତଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି; ହିନ୍ଦୁ ବିବାହର ଏପରି ପଦ୍ଧତି ଯେଉଁଥିରେ ସାତଫେରା ଅର୍ଥାତ୍ ସପ୍ତପଦି ସାମିଲ କରାଯାଉନାହିଁ ତାହା ଆଉ ଆଇନଗତ ଭାବରେ ବୈଧ ହେବ ନାହିଁ। ଉତ୍ତରପ୍ରଦେଶ ଥାନାରେ କରାଯାଇଥିବା ବିବାହ ଏହି ପରିସରକୁ ଆସିଥାଏ। ଆହ୍ଲାବାଦ ହାଇକୋର୍ଟର ନାଗରିକ ତଥା ପାରିବାରିକ ବିବାଦ ମାମଲାର ବିଶେଷଜ୍ଞ ଆଡଭୋକେଟ୍ ଅଭିଲାଷା ପ୍ୟାରିହର କହିଛନ୍ତି ଯେ ଅନେକ ଥର ପୁଅ ଓ ଝିଅ ମାମଲା ଥାନାରେ ପହଞ୍ଚିବା ପରେ ପୁଲିସ୍ ବାଳକ ଓ ବାଳିକାଙ୍କ ବିବାହ ସେଠାରେ କରାଇଥାନ୍ତି। ଏଥିରେ ଥାନା ପରିସରରେ ନିର୍ମିତ ମନ୍ଦିରରେ ଭଗବାନ ଓ ଦେବୀଙ୍କୁ ସାକ୍ଷୀ ଭାବରେ ଗ୍ରହଣ କରି ପୁଅ ଓ ଝିଅ ମଥାରେ ସିନ୍ଦୂର ଲଗାଇଥାନ୍ତି ଏବଂ ପରସ୍ପରକୁ ଫୁଲମାଳ ପିନ୍ଧାଇଥାନ୍ତି। ଏହିପରି ବିବାହରେ ନା ସାତଫେରା ନା ସପ୍ତପଦୀ। ଏଭଳି ପରିସ୍ଥିତିରେ ଥାନାରେ ଘଟୁଥିବା ବିବାହର ବୈଧତା ଉପରେ ପ୍ରଶ୍ନ ଉଠେ। ଏଭଳି ବିବାହକୁ ବୈଧ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି।

Comments are closed.