ବଢ଼ୁଛି ବୟସ୍କଙ୍କ ସଂଖ୍ୟା

ଏହା ସାମାଜିକ ଅର୍ଥନୈତିକ ସ୍ତରରେ ଏକ ଗମ୍ଭୀର ପ୍ରସଙ୍ଗ

ସମୟର ଚକ ଗଡ଼ୁଛି। ଆଜି ଯିଏ ନୂଆ କାଲି ସେ ପୁରୁଣା ହେଉଛି। ଠିକ୍‌‌ ସେମିତି ଦେଶର ଜନସଂଖ୍ୟା ମଧ୍ୟରୁ ଯୁବବର୍ଗଙ୍କ ଅଂଶ ଅଧିକ ରହିବା ବିଷୟକୁ ନେଇ ଭାରତ ଗର୍ବ କରୁଥିବା ଏବଂ ସେମାନେ ପ୍ରଗତି ରଥର ସାରଥି ବୋଲି ବିବେଚନା କରୁଥିବାବେଳେ ବର୍ଷ ପରେ ବର୍ଷ ଅତିବାହିତ ହେବା ସହିତ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏକଥା ସମସ୍ତେ ଜାଣୁଥିଲେ ମଧ୍ୟ ଯୁବ ଉନ୍ମାଦନା ଭିତରେ ତାହାକୁ ସମ୍ଭବତଃ ଭୁଲି ଯାଉଛନ୍ତି। ଯେଉଁଥିପାଇଁ ସରକାରୀ ସ୍ତରରେ ବୟସ୍କଙ୍କ ପାଇଁ ଏଯାଏ କୌଣସି ଯୋଜନା ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇପାରିନାହିଁ। ନିକଟରେ ଜାତିସଂଘ ଜନସଂଖ୍ୟା ପାଣ୍ଠି ପକ୍ଷରୁ ଭାରତର ଜନସଂଖ୍ୟାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି, ୨୦୫୦ ବେଳକୁ ଦେଶରେ ବୟସ୍କ ଜନସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତରେ ପହଞ୍ଚିବ। ଏବେ ତାହା ପାଖାପାଖି ୧୦ ପ୍ରତିଶତ ରହିଥିବା କୁହାଯାଉଛି। ଏପରିକି ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଆଗାମୀ ୨୦୪୬ ବେଳକୁ ବୟସ୍କଙ୍କ ସଂଖ୍ୟା ୧୫ ବର୍ଷ ବୟସର ପିଲାଙ୍କ ସଂଖ୍ୟାକୁ ଟପିଯିବ। ସେତେବେଳେ ତାହା ସାମାଜିକ, ଅର୍ଥନୈତିକ ସ୍ତରରେ ଏକ ଗମ୍ଭୀର ପ୍ରସଙ୍ଗ ଭାବରେ ଉଭା ହେବା ନିଶ୍ଚିତ ମନେହେଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ଦେଶରେ ଯେତିକି ବୟସ୍କ ଲୋକ ଅଛନ୍ତି ସେମାନଙ୍କ ମଧ୍ୟରୁ ପାଖାପାଖି ଅଧେକ ଦରିଦ୍ର ବର୍ଗର ବା ସେମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନୁହନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୯ ପ୍ରତିଶତ ବୟସ୍କଙ୍କର କୌଣସି ଆୟ ପନ୍ଥା ନାହିଁ। ସାଧାରଣତଃ ପରିଣତ ବୟସରେ ଜଣେ ଉପାର୍ଜନ କ୍ଷମତା ହରାଇଥାନ୍ତି ଏବଂ ତାଙ୍କର କୌଣସି ସ୍ଥାୟୀ ଆୟ ଉତ୍ସ ନଥିଲେ ତାଙ୍କୁ ପରିବାର ସଦସ୍ୟଙ୍କ ଉପରେ ନିର୍ଭର କରିବାକୁ ହୋଇଥାଏ। ଯେଉଁମାନଙ୍କର କୌଣସି ଆୟ ଉତ୍ସ ନାହିଁ ସେମାନେ କୌଣସି ଦାତବ୍ୟ ସଂସ୍ଥା ବା ସରକାରୀ ସହୟତା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି, ଯାହା ସମୁଦ୍ରକୁ ଶଙ୍ଖେ ଭଳି ହେଉଛି। ଏହା ସେମାନଙ୍କର ଜୀବନଧାରଣ ମାନ ଏବଂ ସ୍ୱାସ୍ଥ୍ୟସେବା ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଉଛି। ଆଗକୁ ବୟସ୍କଙ୍କ ସଂଖ୍ୟା ଦୁଇଗୁଣ ହେଲେ ଏହି ସମସ୍ୟା ଯେ ବହୁଗୁଣିତ ତାହା ନିଃସନ୍ଦେହରେ କୁହାଯାଇପାରେ। ରିପୋର୍ଟର ତଥ୍ୟ କହୁଛି, ୨୦୨୨ରୁ ୨୦୫୦ ମଧ୍ୟରେ ଭାରତରେ ୮୦ବର୍ଷ ଏବଂ ତଦୁର୍ଦ୍ଧ୍ବ ବୟସର ଲୋକ ସଂଖ୍ୟା ୨୭୯ ପ୍ରତିଶତ ହାରରେ ବୃଦ୍ଧିପାଇବ, ଯାହା ଅବିଶ୍ୱସନୀୟ ମନେହେଲେ ମଧ୍ୟ ସତ। ଏଥିରେ ସବୁଠାରୁ ବଡ କଥା ହେଉଛି, ଏହି ବୟସ ବର୍ଗରେ ଅଧିକ ସଂଖ୍ୟାରେ ବିଧବା ଏବଂ ଅନ୍ୟ ଉପରେ ମାତ୍ରାଧିକ ନିର୍ଭରଶୀଳ ମହିଳା ହିଁ ରହିବେ। ଏଥିରେ ଆଉ ମଧ୍ୟ କୁହାଯାଇଛି, ଜଣେ ମହିଳା ୬୦ ବର୍ଷ ଅଥବା ୮୦ ବର୍ଷ ବୟସରେ ଉପନୀତ ହେଲେ ତାଙ୍କର ବଞ୍ଚିରହିବାର ବୟସ ସୀମା ପୁରୁଷଙ୍କ ତୁଳନାରେ ଅଧିକ ରହୁଛି। ଦେଶର ହିମାଚଳପ୍ରଦେଶ, କେରଳ ଭଳି କିଛି ରାଜ୍ୟରେ ଜଣେ ମହିଳା ୬୦ ବର୍ଷ ବୟସରେ ପହଞ୍ଚିଲେ ସେ ଯଥାକ୍ରମେ ଆଉ ପ୍ରାୟ ୨୩ ଓ ୨୨ ବର୍ଷ ଅଧିକ ବଞ୍ଚିବା ଆଶା କରାଯାଉଛି।

ଅନ୍ୟପକ୍ଷରେ ସେହିସବୁ ରାଜ୍ୟରେ ପୁରୁଷମାନେ ୬୦ ବର୍ଷ ବୟସରେ ପହଞ୍ଚିଲେ ସେମାନେ ତାହା ପରବର୍ତ୍ତୀ ସମୟରେ ଯଥାକ୍ରମେ ଆଉ ୧୯ ଓ ୧୮ ବର୍ଷ ଅଧିକ ବଞ୍ଚିବା ଆଶା ରହୁଛି। ସେହିଭଳି ରାଜସ୍ଥାନ, ହରିଆଣା, ଗୁଜରାଟ, ଉତ୍ତରାଖଣ୍ଡ ଆଦି ରାଜ୍ୟ ସହିତ ଜମ୍ମୁ କାଶ୍ମୀର ଭଳି କେନ୍ଦ୍ରଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାମାନେ ହାରାହାରି ୨୦ ବର୍ଷ ଅଧିକ ବଞ୍ଚୁଛନ୍ତି। ତେଣୁ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ବର୍ଷ ବଞ୍ଚୁଥିବାରୁ ସେମାନେ ନିଃସଙ୍ଗ ଓ ଅନ୍ୟ ଉପରେ ପୂର୍ଣ୍ଣ ନିର୍ଭରଶୀଳ ହୋଇଯାଉଛନ୍ତି। ଏହା ସେମାନଙ୍କ ସାମାଜିକ ଏବଂ ଅର୍ଥନୈତିକ କଲ୍ୟାଣ ଦିଗକୁ ନେଇ ଗୁରୁତର ଚିନ୍ତା ବଢ଼ାଉଛି। ଏସବୁ ସହିତ ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ୧୯୯୧ ପରଠାରୁ ମହିଳାଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି ଦାରିଦ୍ର୍ୟ। ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହା ଏକ ସାଧାରଣ ଘଟଣା ହୋଇଛି। କାଳ କାଳ ଧରି ଚାଲିଆସିଥିବା ଯୌଥ ପରିବାର ବ୍ୟବସ୍ଥା ଏବେ ଆଉ ଦେଖିବାକୁ ମିଳୁନଥିବାବେଳେ ଅଣୁ ପରିବାରରେ ସମସ୍ତେ କେବଳ ଉପାର୍ଜନ ମୋହରେ ପରିବାରର ବୟସ୍କ ଏବଂ ବୃଦ୍ଧ ବ୍ୟକ୍ତିଙ୍କ ପ୍ରତି ଧ୍ୟାନ ଦେଉନାହାନ୍ତି। ଯେଉଁଥିପାଇଁ ସେମାନେ ନିଃସଙ୍ଗ ଏବଂ ଏକପ୍ରକାର ଅବହେଳିତ ଜୀବନ ବିତାଉଛନ୍ତି। ଏହି କାରଣରୁ ସହରରେ ନିଜର ସନ୍ତାନ ସନ୍ତତିଙ୍କ ସହିତ ରହୁଥିବା ବୟସ୍କ ବ୍ୟକ୍ତି ପରିଣତ ସମୟରେ ନିଜ ପୈତୃକ ଗ୍ରାମକୁ ଚାଲିଯିବାକୁ ଶ୍ରେୟସ୍କର ମନେକରୁଛନ୍ତି; କିନ୍ତୁ ସେଠାରେ ସେମାନଙ୍କର ଦେଖାଶୁଣା କରିବା, ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ବ୍ୟବସ୍ଥା ସରକାରୀ ସ୍ତରରେ ଏଯାଏ ହୋଇପାରିନାହିଁ। ଏହି କାରଣରୁ ସେମାନଙ୍କ ମଧ୍ୟରୁ ଅନେକ ମାନସିକ ଅବସାଦର ଶିକାର ହେଉଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କରି କିଛି ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ଦାତବ୍ୟ ସଂସ୍ଥା ପକ୍ଷରୁ ଜରାନିବାସ ସ୍ଥାପନ କରାଯାଉଛି। ତାହା ଅବଶ୍ୟ ସମବୟସ୍କଙ୍କୁ ଗୋଟିଏ ଛାତ ତଳେ ରହିବା ଏବଂ ନିଜର ସୁଖଦୁଃଖ ବାଣ୍ଟିବାକୁ ସୁଯୋଗ ଦେଉଛି; କିନ୍ତୁ ସମ୍ବଳ ଅଭାବରୁ ସେମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିପାରୁନାହିଁ। ଏହି ପ୍ରସଙ୍ଗକୁ ନେଇ ଅନେକ ଚିନ୍ତାଶୀଳ ବ୍ୟକ୍ତି ବହୁ ପୂର୍ବରୁ ସରକାରଙ୍କୁ ସତର୍କ କରାଇ ଦେଇଥିଲେ। ଏବେଠୁ ବୟସ୍କଙ୍କ କଲ୍ୟାଣ ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତି ଓ ତାହାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ସରକାରୀ ସ୍ତରରେ ଏଯାଏ ସେ ଦିଗରେ କିଛି ସ୍ୱତନ୍ତ୍ର ଯୋଜନା ପ୍ରଣୟନ ବା ସରକାରୀ ନୀତିରେ କୌଣସି ବିଷୟ ସ୍ଥାନ ପାଇନାହିଁ। ତେଣୁ ସରକାରୀ ସ୍ତରରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଗୁରୁତ୍ୱ ଦିଆଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଏବଂ ନାଗରିକ ସମାଜ ବୟସ୍କଙ୍କ ପ୍ରତି ସହାନୁଭୂତିଶୀଳ ହେବାର ଆବଶ୍ୟକତା ରହିଛି। ତା’ନହେଲେ ଆଜି ଯିଏ ଯୁବା, କାଲି ସେ ବାର୍ଦ୍ଧକ୍ୟରେ ପହଞ୍ଚିବେ ଏବଂ ତାଙ୍କର ସମଦଶା ନହେବ ବୋଲି କିଏ କହିବ?

Comments are closed.