ଦୂରଦୃଷ୍ଟି ଅଭାବରୁ ହଜିଲାଣି ନଦୀନାଳର ଅବଦାନ – ବିପନ୍ନ ହେଉଛି ଜୀବନ ଓ ଜୀବିକା, ବଢ଼ାଉଛି ବିପର୍ଯ୍ୟୟ
ତିଗିରିଆ: ଆଜି ସାରା ବିଶ୍ବ ପାଳୁଛି ନଦୀ ଦିବସ। ପ୍ରାକୃତିକ ଜଳ ଉତ୍ସର ନିରନ୍ତର ମାର୍ଗ ପ୍ରାଚୀନ ନଦୀନାଳ ଗୁଡ଼ିକର ସୁରକ୍ଷା ଓ ଅଧିକାର ପ୍ରତି ମଣିଷ ସମାଜ ସଚେତନ ହେବା ଏକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ବୋଲି ଉପଲବ୍ଧି କରାଯାଉଛି। ଆଦିମ ମାନବ ସଭ୍ୟତାର ଉତ୍ଥାନଠୁ ଆରମ୍ଭ କରି ବିକଶିତ ସମାଜ ପ୍ରତିଷ୍ଠାର ପ୍ରଚ୍ଛଦପଟରେ ନଦୀର ଅବଦାନ ଓ ପ୍ରତିବଦଳରେ ନଦୀର ଅଧିକାର ପ୍ରତି ମଣିଷ କେତେ ସମ୍ବେଦନଶୀଳ ତାହା ଚିନ୍ତାର ବିଷୟବସ୍ତୁ ହୋଇଛି।
ରାଜ୍ୟରେ ମହାନଦୀ ଓଡ଼ିଆ ସଭ୍ୟତାର ଜୀବନ ରେଖା। ମହାନଦୀର ମଧୁର ଜଳ ଉପରେ ସମସ୍ତଙ୍କର ମୋହ ରହିଛି। ଏହି କ୍ରମରେ ମହାନଦୀ ଏବଂ ଏହାର ଶାଖା ଓ ଉପନଦୀ ସମେତ ସଂଯୁକ୍ତ ଛୋଟ ବଡ଼ ଅନେକ ନାଳ ସମୂହ ଉପରେ କୂଳବର୍ତ୍ତୀ ଲକ୍ଷ ଲକ୍ଷ ଜନସାଧାରଣ ଜଳ ପାଇଁ ନିର୍ଭରଶୀଳ ରହିଛନ୍ତି। ସର୍ବାଧିକ କୃଷି, ପାନୀୟ ଜଳ, ମତ୍ସ୍ୟ ଚାଷ ଏବଂ ପରେ ଶିଳ୍ପ ପ୍ରକଳ୍ପର ବିକାଶ ଘଟାଇ ଜୀବନ ଜୀବିକାକୁ ସମୃଦ୍ଧ କରିବାରେ ଏହି ନଦୀ ନାଳ ଗୁଡ଼ିକର ଭୂମିକା ରହି ଆସୁଛି।
ଏହି ପରିପ୍ରେକ୍ଷୀରେ ତିଗିରିଆ ଓ ବାଙ୍କୀ ଉତ୍ତର କୂଳାଟ ଭଳି କୃଷିପ୍ରଧାନ ଅଞ୍ଚଳ ପାଇଁ ମହାନଦୀ ଏବଂ ଅଞ୍ଚଳରେ ମହାନଦୀକୁ ପ୍ରବାହିତ ବହୁ ସଂଖ୍ୟାରେ ଛୋଟ ଛୋଟ ନାଳ ଗୁଡ଼ିକର ଅବଦାନ ଓ ସ୍ଥିତି ବିଚାର ସାପେକ୍ଷ। ଗତ ପ୍ରାୟ ଦୁଇ ଦଶନ୍ଧିକୁ ବିଚାରକୁ ନେଲେ ପାଖରେ ମହାନଦୀ ଥାଇ ଅଞ୍ଚଳବାସୀ ଜଳ ଚିନ୍ତାରେ ରହି ଆସିଛନ୍ତି। ବିଗତ ବର୍ଷରେ ଶତାଧିକ ଜଳ ପ୍ରକଳ୍ପ ଜରିଆରେ ମହାନଦୀର ଜଳକୁ କୃଷି କ୍ଷେତ୍ରରେ ବିନିଯୋଗ ହେଉଥିଲା। କିନ୍ତୁ ସେସବୁ ଆଉ ନାହିଁ। ମହାନଦୀକୁ ଦେଖିଲେ ବ୍ଳକର କୁମାରିଙ୍ଗା ପାହାଡ ଠାରୁ ତିଗିରିଆ ବ୍ଲକ ଖଣ୍ଡହତା ପର୍ଯ୍ୟନ୍ତ ପ୍ରାୟ ୧୩ କି.ମି ମଧ୍ୟରେ ବଡ଼ମ୍ୱା, ତିଗିରିଆ ଓ ବାଙ୍କୀ ଉତ୍ତର କୁଳାଟ ଅଞ୍ଚଳର ୬ଗୋଟି ପଞ୍ଚାୟତର ଜନସାଧାରଣଙ୍କ ପାଇଁ ମହାନଦୀର ମଧୁର ଜଳ ମିଛ ମରିଚିକା ପାଲଟି ଯାଇଛି। ଗତ ପ୍ରାୟ ୧୫ରୁ ୨୦ ବର୍ଷ ମଧ୍ୟରେ ମହାନଦୀ ବାଲିଶଯ୍ୟାରେ ପରିବର୍ତ୍ତନ ଅଞ୍ଚଳବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ ହୋଇପଡ଼ିଛି। ଉତ୍ତର କୂଳରୁ ୩ରୁ ସାଢେ ୩ଳି.ମି ବାଲି ଶଯ୍ୟା ଅତିକ୍ରମ କଲେ ଯାଇ ଦକ୍ଷିଣକୂଳ ବାଙ୍କୀକଡ଼ରେ ମହାନଦୀର ଜଳ ପ୍ରବାହକୁ ଦେଖିବାକୁ ମିଳୁଛି। କେବଳ ବର୍ଷା ଦିନକୁ ଛାଡ଼ିଦେଲେ ଅବଶିଷ୍ଟ ବର୍ଷ ସାରା ଉତ୍ତର କୂଳରେ ଜଳ ଅଭାବରୁ କୃଷି ପ୍ରଭାବିତ ହେବା ସହିତ ମତ୍ସ୍ୟଚାଷ ବୁଡ଼ିଛି ଏବଂ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇଛି। ବଡ଼ମ୍ବା ବ୍ଲକର କୁମାରିଙ୍ଗା ପାହାଡ଼ ଠାରୁ ତିଗିରିଆ ଏବଂ ବାଙ୍କୀ ଉତ୍ତର କୂଳାଟର ସୁବର୍ଣ୍ଣପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଅନେକ ବୁରୁଜ ରହିଥିବା କାରଣରୁ ତାହା ନିକଟରେ ବୁରୁଜର ଆକାର ଅନୁଯାୟୀ ଜଳାଶୟ ରହିଥିଲା। ଏହାର ଅଳ୍ପ ଦୂରରେ ଜଳଧାର ମଧ୍ୟ ଦେଖିବାକୁ ମିଳୁଥିଲା। ବର୍ଷାନୁକ୍ରମେ ବୁରୁଜ ଭାଙ୍ଗିରୁଜି ବାଲିଶଯ୍ୟାରେ ମିଶିଯିବା ସାଙ୍ଗକୁ ଉତ୍ସ ଗୁଡିକ ମଧ୍ୟ ନିଶ୍ଚିହ୍ନ ହୋଇଯାଇଛି। ବର୍ଷାନୁକ୍ରମେ ବାଲିଶଯ୍ୟା ଉଚ୍ଚତା ବୃଦ୍ଧି ହୋଇଥିଲା। ପ୍ରଭାବରେ ରହିଥିବା ପୁରୁଣା ବୁରୁଜଗୁଡିକ ପୋତି ହୋଇଗଲା। ସେତେବେଳେ ଉପୁଜିଥିବା ସମସ୍ୟାର ବାସ୍ତବ ସମାଧାନ ପ୍ରତିବଦଳରେ ମହାନଦୀକୁ ଏଡ଼ାଇ ବିଭାଗୀୟ କର୍ତ୍ତୃପକ୍ଷ ଯେଉଁ ବିକଳ୍ପ ବ୍ୟବସ୍ଥା ହାତକୁ ନେଇଛନ୍ତି ତାହାର ସୁଫଳ ଲୋକଙ୍କୁ ଏଯାଏଁ ମିଳିପାରିଲା ନାହିଁ।
ସେହିଭଳି ତିଗିରିଆ ଅଞ୍ଚଳରେ ଉତ୍ତର ପଶ୍ଚିମରେ ବେଙ୍ଗା ଓ ସାପୁଆ ନଦୀ ଅବହେଳିତ ହୋଇ ରହିଥିବା ବେଳେ ମହାନଦୀ କୂଳ ଅଞ୍ଚଳରେ ଖଳି ନଦୀ ଠାରୁ ଆରମ୍ଭ କରି ପାରସ୍ପରିକ ସଂଲଗ୍ନ ହନୁମନ୍ତିଆ, ଗନ୍ଧର୍ପା, ହାଡ଼ଖୋଲ, ଆଁରା, ବଡବନ୍ଧ ଏବଂ ପରେ ହୁଳୁହୁଳା ନାମରେ ନାମିତ ଏକ ସୁଦୀର୍ଘ ପ୍ରାୟ ୨୦ କି.ମି ନାଳର ସୁରକ୍ଷା ଓ ଜଳ ଧାରଣ କ୍ଷମତା ବୃଦ୍ଧି କରି କୃଷି ନିର୍ଭରଶୀଳ କରିବାରେ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅଥଚ ଜଳ ଉତ୍ସର ଆଳରେ ଏହି ସବୁ ନାଳ ଉପରେ ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ପ୍ରତିଷ୍ଠା କରାଯାଇ ବିଫଳ ହେବାର ନଜିର ଦେଖିବାକୁ ମିଳିଛି। ଯେଉଁ କେତେକ ସମୟରେ ନାଳ ପୁନରୁଦ୍ଧାର କରାଯାଇଛି ତାହା ଅଧାପନ୍ତରିଆ ଭାବେ କରାଯାଇଥିବାରୁ ଗୋଦରା ଗୋଡ କୋଡେ ଯେତେ ମାଡେ ସେତେ ଭଳି ନା ନାଳର ସୁରକ୍ଷା କିମ୍ବା କୃଷି ପାଇଁ ପ୍ରଯୁଜ୍ୟ ହୋଇ ପାରିଛି। ଵେଙ୍ଗା ଏବଂ ସାପୁଆ ନଦୀର ସୁରକ୍ଷା କ୍ଷେତ୍ରରେ ବନ୍ଧବାଡ ସୁଦୃଢ଼ୀକରଣ ଗତ ପ୍ରାୟ ୧୫ ବର୍ଷ ମଧ୍ୟରେ ଆଦୌ ହୋଇ ନଥିବା ବେଳେ ଗୋଡ଼ିଝରିଆ ଠାରେ ରହିଥିବା ପୁରାତନ ଜଳ ସଂରକ୍ଷଣ ଆନିକଟ ବ୍ୟବସ୍ଥା ଉଜୁଡ଼ି ଯାଇଛି। ଅଧିକନ୍ତୁ ନିକଟରେ ପାହାଡ କାଟି ନୂତନ ବୃହତ୍ ଜଳ ପ୍ରବାହ ପ୍ରକଳ୍ପ ରେଙ୍ଗାଲି ପଛରେ ହଜାର ହଜାର କୋଟି ଟଙ୍କାର ଅନୁଦାନ ବିନିଯୋଗ ହୋଇଛି। ଯାହାକି ଲୋକଙ୍କ ପାଇଁ କେତେ ଫଳପ୍ରଦ ହେବ ତାହା ଭବିଷ୍ୟତ କହିବ। ବିଭିନ୍ନ କାରଣରୁ ତ୍ରୁଟି, ବିଚ୍ୟୁତି ଭିତରେ ଅନେକ ସେଚ ଓ ପାନୀୟ ଜଳ ପ୍ରକଳ୍ପ ଫସର୍ ଫାଟି ଯାଇଥିଲେ ମଧ୍ୟ ଏଥିପାଇଁ କେହି ଉତ୍ତରଦାୟୀ ନାହାଁନ୍ତି। ବିକଳ୍ପ ପ୍ରକଳ୍ପ ପ୍ରତିଷ୍ଠା ଅବଶ୍ୟ ସ୍ବାଗତଯୋଗ୍ୟ, ତା ବୋଲି ପୁରୁଣା ପ୍ରାକୃତିକ ଜଳ ଉତ୍ସଗୁଡ଼ିକୁ ଅସୁରକ୍ଷିତ ଓ ଅବହେଳିତ ଅବସ୍ଥାରେ ରଖି ନିଶ୍ଚିହ୍ନ କରାଇବା ଆଦୌ ଗ୍ରହଣୀୟ ନୁହେଁ। ଏ କ୍ଷେତ୍ରରେ ସରକାରଙ୍କୁ ସ୍ଥାନୀୟ ପ୍ରଶାସନର ମାର୍ଗଦର୍ଶନ ଗୁରୁତ୍ଵପୂର୍ଣ୍ଣ ରହିଛି। ବେଳହୁଁ ସାବଧାନ ନହେଲେ ଆଗାମୀ ଭବିଷ୍ୟତରେ ପୁରାତନ ନଦୀନାଳ ପୋତି ହୋଇ ନିଶ୍ଚିହ୍ନ ହେବା ସାଙ୍ଗକୁ ଅଞ୍ଚଳର ଜଳ ନିଷ୍କାସନରେ ଗୁରୁତର ସମସ୍ୟା ଆଣିବା ସହିତ ବନ୍ୟା ଭଳି ଅନେକ ମନୁଷ୍ୟକୃତ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ଆଶଙ୍କାକୁ ଏଡ଼ାଇ ଦେଇ ହେବନି।
Comments are closed.