ଭାରତର ରୋମାଞ୍ଚକର ବିଜୟ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ
ମୋହାଲି : ବିଶ୍ବକପ ପୂର୍ବରୁ ଶେଷ ପର୍ଯ୍ୟାୟ ପ୍ରସ୍ତୁତିର ପ୍ରଥମ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଛି। ମହମ୍ମଦ ସାମିଙ୍କ ବୋଲିଂ ସଫଳତା ପରେ ୪ ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ମୋହାଲିରେ ଶୁକ୍ରବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ସହଜ ବିଜୟ ହାସଲ କରିଛି। ବିରାଟ କୋହଲି, ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା ଓ କୁଳଦୀପ୍ ଯାଦବଙ୍କ ବିନା ଖେଳିଥିବା ଭାରତ ପ୍ରଥମ ମ୍ୟାଚରେ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏଥି ସହିତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ରହିଛି। ୨୪ରେ ଦ୍ବିତୀୟ ମ୍ୟାଚ ଇନ୍ଦୋରରେ ଖେଳାଯିବ। ଏହି ବିଜୟ ସହ ଭାରତ ଆଇସିସି ଦିନିକିଆ ମାନ୍ୟତାର ଏକ ନମ୍ବର ସ୍ଥାନରେ ପହଞ୍ଚିଛି।
ଅଷ୍ଟ୍ରେଲିଆ ଡେଭିଡ୍ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ୨୭୬ରନ କରିଥିଲା। ଜବାବରେ ଭାରତ ଶୁବମାନ ଗିଲ୍ ୭୪ , ଋତୁରାଗ ଗାଏକ୍ବାର୍ଡ ୭୧, ସୂର୍ଯ୍ୟକୁମାର ଯାଦବ ୫୦ ଓ ଲୋକେଶ ରାହୁଲଙ୍କ ୫୮ ରନ୍ ବଳରେ ୮ଟି ବଲ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।
୨୭୭ରନର ବିଜୟ ଲକ୍ଷ୍ୟକୁ ଦୁଇ ଭାରତୀୟ ଓପନର ଶୁବମାନ୍ ଗିଲ୍ ଓ ଋତୁରାଜ ଗାଏକ୍ବାର୍ଡ ଦୃଢତାର ସହିତ ପିଛା କରିଥିଲେ। ପ୍ରଥମ ୱିକେଟରେ ଉଭୟେ ୧୪୨ରନ ସଂଗ୍ରହ କରିଥିଲେ। ଋତୁରାଜ୍ ୭୭ଟି ବଲରୁ ୧୦ଟି ଚୌକା ସହ ୭୧ରନ କରିଥିଲେ । ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ ୯ରନ ମଧ୍ୟରେ ୩ଟି ୱିକେଟ ହରାଇ ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆହତ ସମସ୍ୟାରୁ ମୁକୁଳିବା ପରେ ଦଳକୁ ଫେରିଥିବା ଶ୍ରେୟାସ ଆୟର ମାତ୍ର ୩ରନ କରି ଦୁଃର୍ଭାଗ୍ୟବଶତଃ ରନ୍ଆଉଟ୍ ହୋଇଥିଲେ। ସ୍କୋର ୧୫୧ରନ ଥିବାବେଳେ ଗିଲ୍ ୬୩ଟି ବଲରୁ ୬ଟି ଚୌକା ଓ ୨ଟି ଛକା ସହ ୭୪ରନ କରି ଆଉଟ୍ ହୋଇଥିଲେ। ୪ର୍ଥ ୱିକେଟରେ ଈଶାନ କିଷନ ଓ ଲୋକେଶ ରାହୁଲ ୩୪ରନ ଯୋଡିଥିଲେ। ଈଶାନ ୧୮ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଓ ରାହୁଲ ସ୍ଥିତି ସମ୍ଭାଳିଥିଲେ। ଉଭୟେ ୮୦ରନ ଭାଗିଦାରୀ କରି ବିଜୟର ନିକଟତର କରାଇଥିଲେ। ୨୬୫ରନ ସ୍କୋର ଥିବାବେଳେ ସୂର୍ଯ୍ୟକୁମାର ୫୦ରନ କରି ଆଉଟ୍ ହୋଇଥିଲେ। ରାହୁଲ ଓ ରବୀନ୍ଦ୍ର ଜାଡେଜା ଭାରତକୁ ଜିତାଇଥିଲେ। ଭାରତ ୪୮.୪ ଓଭରରେ ୫ ୱିକେଟ ହରାଇ ୨୮୧ରନ କରି ବିଜୟୀ ହୋଇଥିଲା। ରାହୁଲ ୫୮ ଓ ଜାଡେଜା ୩ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୨ଟି ୱିକେଟ ନେଇଥିଲେ।
ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ଡେଭିଡ୍ ୱାର୍ଣ୍ଣରଙ୍କ ସହ ମିଚେଲ ମାର୍ଶ ଓପନିଂ କରିବାକୁ ଓହ୍ଲାଇଥିଲେ। ଦଳୀୟ ସ୍କୋର ୪ରନ ଥିବାବେଳେ ମାର୍ଶ ମହମ୍ମଦ ସାମିଙ୍କ ବଲରେ ୪ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ୍ ୯୪ରନ ସଂଗ୍ରହ କରିଥିଲେ। ୯୮ରନ ସ୍କୋରରେ ୱାର୍ଣ୍ଣରଙ୍କ ୱିକେଟର ପତନ ଘଟିଥିଲା। ୱାର୍ଣ୍ଣର ୫୨ରନ କରି ଆଉଟ୍ ହୋଇଥିଲେ। ୩ୟ ୱିକେଟ ପାଇଁ ସ୍ମିଥ୍ ଓ ମାର୍ନୁସ ଲାବୁସାନେ ୧୪ରନ ସଂଗ୍ରହ କରିଥିଲେ। ୧୧୨ରନ ସ୍କୋର ଥିବାବେଳେ ସ୍ମିଥ୍ ୪୧ରନ କରି ଆଉଟ୍ ହୋଇଥିଲେ। ୪ର୍ଥ ୱିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ଲାବୁସାନେ ଓ କାମେରୁନ ଗ୍ରୀନ୍ ୪୫ରନ ଯୋଡିବା ସହିତ ସ୍କୋରକୁ ୧୫୭ରନରେ ପହଞ୍ଚାଇଥିଲେ। ଲାବୁସାନେ ୩୯ରନ କରି ଆଉଟ୍ ହୋଇଥିଲେ।୫ମ ୱିକେଟରେ କାମେରୁନ ଗ୍ରୀନ ଓ ଜୋଶ ଇଂଲିଶ ୨୯ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୮୬ରେ ପହଞ୍ଚାଇଥିଲେ। ଗ୍ରୀନ ୩୧ରନ କରି ରନ୍ଆଉଟ୍ ହୋଇଥିଲେ। ୬ଷ୍ଠ ୱିକେଟରେ ଜୋଶ ଇଂଲିଶ ଓ ମାର୍କୋସ ଷ୍ଟୋଇନିସ୍ ୬୨ରନ ସଂଗ୍ରହ କରିଥିଲେ। ସ୍କୋର ୨୪୮ରନ ଥିବାବେଳେ ଷ୍ଟୋଇନିସ୍ ୨୯ରନ କରି ଆଉଟ୍ ହୋଇଥିଲେ। ୨୫୦ରନରେ ସପ୍ତମ ୱିକେଟର ପତନ ଘଟିଥିଲା। ଇଂଲିଶ ୪୫ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡକୁ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଅପରାଜିତ ୨୧ ରନ ବଳରେ ଅଷ୍ଟ୍ରେଲିଆ ୨୭୬ରନ କରି ଅଲଆଉଟ୍ ହୋଇଯାଇଥିଲା। ମାଥ୍ୟୁ ସଟ୍, ସେନ୍ ଆବର୍ଟ ପ୍ରତ୍ୟେକ ୨ରନ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ୫ଟି, ଯଶପ୍ରୀତ ବୁମ୍ରା, ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
Comments are closed.