www.samajalive.in
Saturday, December 13, 2025
14.1 C
Bhubaneswar

ସାଇବର ଠକେଇ ମାମଲା, ବିନା ଏତଲାରେ ପୀଡ଼ିତ ଫେରି ପାଇବେ ଟଙ୍କା

ଭୁବନେଶ୍ବର: ସାଇବର ଠକେଇର ସମ୍ମୁଖୀନ ହୋଇଥିବା ବ୍ୟକ୍ତିମାନେ କୌଣସି ଆଇନଗତ ଅସୁବିଧା ବିନା ବ୍ୟାଙ୍କରୁ ଅର୍ଥ ଫେରସ୍ତ ପାଇପାରିବେ। ସାଇବର ଠକେଇ ଚେର ମାଡ଼ି ଚାଲିଛି। ଅପରାଧୀମାନେ ଦୂରରେ ବସି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଅଭିଯୁକ୍ତଙ୍କୁ ଧରିବା ତ’ ଦୂର କଥା, ସେମାନଙ୍କ ପାଖରେ ପହଞ୍ଚିବା ପୁଲିସ ପାଇଁ କାଠିକର ହେଉଛି। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରୁଛି, ଅପରାଧରେ ବ୍ୟବହୃତ ଆକାଉଣ୍ଟକୁ ବ୍ଲକ୍‌ କରୁଛି, ପୀଡ଼ିତଙ୍କ ଆକାଉଣ୍ଟକୁ ମଧ୍ୟ ବ୍ଲକ କରୁଛି। ପରେ ଲୁଟ୍‌ ଟଙ୍କା ଫେରସ୍ତ ଆଣିବା ଲାଗି ଉଦ୍ୟମ କରୁଛି। ଅଧିକାଂଶ ଘଟଣାରେ ଆକାଉଣ୍ଟରେ ଥିବା ଜମା ଟଙ୍କା ଉଠାଇବା କ୍ଷେତ୍ରରେ ପୀଡ଼ିତ ହଇରାଣ ହରକତ ହେଉଛନ୍ତି। ତେବେ ଏଣିକି ଆଉ ଆଇନଗତ ଅସୁବିଧା ହେବ ନାହିଁ। ପୀଡ଼ିତଙ୍କ ସୁବିଧା ଲାଗି ପୁଲିସ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଉଛି। ଖୁବ୍‌ ଶୀଘ୍ର ଏହିଭଳି ପ୍ରସ୍ତାବ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆଇବିଆଇ)କୁ ଦେବ ପୁଲିସ।

ଅନଲାଇନ୍ ଆର୍ଥିକ ଠକେଇ ବୃଦ୍ଧି ସହିତ ସେହି ଅନୁପାତରେ ଅଭିଯୋଗ ବଢ଼ୁଛି। ଛୋଟ ମାମଲା ପଞ୍ଜୀକରଣ ସବୁବେଳେ ସମ୍ଭବ ନୁହେଁ। ଏପରି ପରିସ୍ଥିତିରେ, ପୀଡ଼ିତମାନେ ଏତଲାର ନକଲ ପାଉନାହାନ୍ତି। ବ୍ୟାଙ୍କଗୁଡ଼ିକ ଏତଲାର ନକଲ ମାଗୁଛନ୍ତି, ନଚେତ୍‌ ଆକାଉଣ୍ଟରେ ଥିବା ଜମା ଟଙ୍କା ଫେରସ୍ତ ହୋଇପାରୁନି।

- Advertisement -

ରିଜର୍ଭ ବ୍ୟାଙ୍କ ପରିସରରେ ବାର୍ଷିକ ରାଜ୍ୟସ୍ତରୀୟ ସୁରକ୍ଷା କମିଟି ବୈଠକରେ ପୁଲିସ ଏହି ପ୍ରସଙ୍ଗ ଉଠାଇଥିଲା। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଥିଲେ ଯେ, ଅନ୍‌ଲାଇନ୍ ଆର୍ଥିକ ଠକେଇର ପ୍ରତ୍ୟେକ ଅଭିଯୋଗ ଉପରେ ମାମଲା ପଞ୍ଜୀକରଣ କରିବା ସମ୍ଭବ ନୁହେଁ, ଯେଉଁଥିପାଇଁ ଟଙ୍କା ଫେରି ପାଇବା ବା ଆକାଉଣ୍ଟ ସଚଳ ହେବା ଲାଗି ଏକ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ କରାଯିବା ଆବଶ୍ୟକ। ଯେହେତୁ ଦୁଇଟି ଆକାଉଣ୍ଟ ମଧ୍ୟରେ ଟଙ୍କା ସ୍ଥାନାନ୍ତର ହୁଏ, ବ୍ୟାଙ୍କଗୁଡିକ ଫେରସ୍ତ ବିଷୟରେ ବିଚାର କରିବାକୁ ଏଫ୍‌ଆଇଆର୍‌ କପି ଖୋଜନ୍ତି। ଏ ସଂକ୍ରାନ୍ତରେ ଭୁବନେଶ୍ୱର-କଟକ ପୁଲିସ ଆୟୁକ୍ତ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଗଣମାଧ୍ୟମକୁ କହିଛନ୍ତି ଯେ, ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି, ଏହି ପ୍ରସ୍ତାବ ଆର୍‌ବିଆଇକୁ ଦିଆଯିବ। ଯାହାଦ୍ବାରା ପୀଡ଼ିତମାନେ ସହଜରେ ଟଙ୍କା ଫେରସ୍ତ ପାଇ ପାରିବେ।

ଏହିଭଳି ମାମଲାରେ ଜାତୀୟ ସାଇବର କ୍ରାଇମ୍ ରିପୋର୍ଟିଂପୋର୍ଟାଲରେ ଅଭିଯୋଗ କରାଯାଏ, ଠକମାନଙ୍କ ଆକାଉଣ୍ଟକୁ ମଧ୍ୟ ଅବରୋଧ କରାଯାଏ। ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କଗୁଡିକ ପୀଡିତଙ୍କଠାରୁ ଏଫ୍‌ଆଇଆର ଖୋଜନ୍ତି। ଏହାକୁ ସରଳ କରିବା ପାଇଁ ଏକ ଆପ୍ଲିକେସନ୍‌ ବିକାଶ କରୁଛି ପୁଲିସ। ଏହାଦ୍ବାରା କମ୍‌ ପରିମାଣର ଅର୍ଥ ଠକେଇରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆଉ ଏଫ୍‌ଆଇଆର୍‌ ନକଲ ଦାଖଲ କରିବାକୁ ପଡିବ ନାହିଁ। ସୂଚନା ଅନୁସାରେ, ୨୦୨୧ରେ ଜାତୀୟ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଆରମ୍ଭ ହେବା ପରେ ଓଡ଼ିଶା ପୁଲିସ ପକ୍ଷରୁ ସାଇବର ଅପରାଧ ଅଭିଯୋଗ କରିବାକୁ ଏକ ହେଲ୍ପ ଲାଇନ ନମ୍ବର ୧୯୩୦ କାର୍ଯ୍ୟ କରୁଛି। ଏହି ହେଲ୍ପ ଲାଇନ ଜରିଆରେ କେବଳ ଗତବର୍ଷ ପୀଡ଼ିତଙ୍କଠାରୁ ଲୁଟ୍‌ ହୋଇଥିବା ୧.୫୬ କୋଟିରୁ ଅଧିକ ଟଙ୍କା ଫେରସ୍ତ କରିବାରେ ପୁଲିସ ସଫଳ ହୋଇଛି। ସେହିଭଳି ପୁଲିସ ୩.୯୪ କୋଟିରୁ ଅଧିକ ଟଙ୍କା ଠକେଇର ବ୍ୟାଙ୍କ ଆକାଉଣ୍ଟକୁ ଅବରୋଧ କରିଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories