ମାଛ ଚାଷ ପ୍ରୋତ୍ସାହନ ଯୋଜନା : ଆଇଟିଡିଏରେ ଅନିୟମିତତା ଅଭିଯୋଗ

ଚାନ୍ଦିପୁଟ : ରାଜ୍ୟରେ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ୫- ଟି ଯୋଜନାରେ ମିଶନ ଶକ୍ତିକୁ ପ୍ରାଧାନ୍ୟ ଦେଉଥିବା ବେଳେ ଖୋଦ ଆଇଟିଡିଏ ସଂସ୍ଥା ବିଭିନ୍ନ ଆଦିବାସୀ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ମାନଙ୍କୁ ଦିବାଲୋକରେ ପ୍ରତ୍ସାହନା ନାଁରେ ଶୋଷଣ କରିବାରେ ଲାଗିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଇଟିଡିଏରେ।

prayash
ମହିଳା ଗୋଷ୍ଠୀକୁ ମାଛ ଚାଷ ପ୍ରୋତ୍ସାହନ ନାମରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀ, ବେସରକାରୀ ସଂସ୍ଥା ଓ ଠିକାଦାର ମିଳିମିଶି ଠକିନେଇ ବିଲ କରି ଆଦିବାସୀଙ୍କ ଟଙ୍କାକୁ ଆତ୍ମସାତ କରିଥିବା ଭଳି ସାଙ୍ଗାତିକ ତଥ୍ୟ ଆସିଛି। ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁସିତ ସର୍ବଦା ପଛୁଆ ଅଞ୍ଚଳ ଭାବେ ବିବେଚିତ ଗଜପତି ଜିଲ୍ଲାର ନିରିହ ଆଦିବାସୀ ଲୋକଙ୍କ ସରଳତାର ସୁଯୋଗ ନେଇ ପାରଳାଖେମୁଣ୍ଡି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ମିଶନ ଜୀବିକା ପ୍ରକଳ୍ପ ନାମରେ ବିଭିନ୍ନ ଯୋଜନାରେ ପ୍ରୋତ୍ସାହନ ଯୋଗାଇଦେବା ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିନେଇଥିବା ଅଭିଯୋଗ ହୋଇଛି। ବର୍ଷ ବର୍ଷ ଧରି ଏହି କାର୍ଯ୍ୟାଳୟରେ ଦୁର୍ନୀତି ଚାଲିଥିବା ବେଳେ ଗତ ବର୍ଷ ଉନ୍ନତ କିସମର ଅଦା, ହଳଦୀ ସହ ମୃଦଙ୍ଗ କିଣାରେ ତିନି କୋଟିର ଦୁର୍ନୀତି ହୋଇଥିବା ଖବର କିଛି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରାକ୍ତନ ପ୍ରକଳ୍ପ ପ୍ରଶାସକ ସରୋଜ ବେହେରାଙ୍କୁ ସରକାର ଅନ୍ୟତ୍ର ବଦଳି କରିଥିଲେ। ତେବେ ଚଳିତ ବର୍ଷ ମଧ୍ୟ ମାଛଚାଷରେ ହୋଇଥିବା ଦୁର୍ନୀତି ପଦାକୁ ଆସିବା ପରେ ପୁଣି ଆଉ ଜଣେ ବିଭାଗୀୟ କର୍ମଚାରୀଙ୍କୁ  ବିଭାଗୀୟ ଅଧିକାରୀ ବହିଷ୍କୃତ କରିଛନ୍ତି। ତେବେ କ୍ରମାଗତ ଭାବେ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତିର ଗୁମର ପଦାକୁ ଆସିବାରେ ଲାଗିଛି ।
ମଲା ମାଛ ଯାଆଁଳା
ମାଛଚାଷ ଚାଷ ପାଇଁ ଯୋଗାଇ ଦିଆଯାଇଥିବା ପ୍ରୋତ୍ସାହନ ବାବଦରେ ମିଳିଥିବା ସୂଚନା ପ୍ରକାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଇଟିଡିଏ ପକ୍ଷରୁ ମିଶନ ଜୀବିକା ପ୍ରକଳ୍ପ ଜରିଆରେ ଜିଲ୍ଲାର ତିନୋଟି ବ୍ଲକରେ ୫୮ଟି ପୋଖରୀରେ ବିଭିନ୍ନ ହିତାଧିକାରୀ ମାନଙ୍କୁ ମାଛଚାଷ ପାଇଁ ପ୍ରୋତ୍ସାହନ ଦିଆଯାଇଥିଲା। ମୋହନା ବ୍ଲକରେ ୧୬ଟି ଓ ରା. ଉଦୟଗିରି ବ୍ଲକରେ ୧୨ଟିକୁ ମିଶାଇ ସମୁଦାୟ ୨୮ଟି ସ୍ବୟଂ ସହାୟିକା ମହିଳା ଗୋଷ୍ଠୀକୁ ଗ୍ରାମ୍ୟ ପୋଖରୀରେ ମାଛଚାଷ ପାଇଁ ପ୍ରତି ଗୋଷ୍ଠୀ ପିଛା ବର୍ଷିକିଆ ୧୦୦ କେଜି ମାଛ ଯାଆଁଳା, ମାଛ ଦାନା ୬୦୦କେଜି, ୨୪କେଜି ଚୁନ, ପ୍ଲାଙ୍କଟଲାଇଫ ୨.୮୪ କେଜି ଯୋଗାଇ ଦିଆ ଯାଇଥିବା ନେଇ ଦର୍ଶାଯାଇଛି । ସେହିପରି ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ବ୍ୟକ୍ତିଗତ ପୋଖରୀ ପାଇଁ ୩୦ଜଣ ହିତାଧିକାରଙ୍କୁ ମାଛଚାଷ ପାଇଁ ପ୍ରତି ପୋଖରୀ ପିଛା ୫୦ କେଜି ବର୍ଷିକିଆ ମାଛ ଯାଆଁଳା, ମାଛ ଦାନା ୩୫୦ କେଜି , ଚୁନ ୨୭କେଜି, ପ୍ଲାଙ୍କଟଲାଇଫ ୨.୮୪କେଜି ଦିଆଯାଇଥିବା ଦର୍ଶାଇ ସମୁଦାୟ ୨୯ ଲକ୍ଷରୁ ଅଧିକ ଟଙ୍କା ବିଲ କରାଯାଇଛି । କିନ୍ତୁ ବାସ୍ତବ ଚିତ୍ର ଓ ମହିଳାମାନଙ୍କ ଅଭିଯୋଗ ପାଇବା ପରେ ମୋହନା ବ୍ଲକର ମହୁଲମେଲାଣି ଗ୍ରାମର ସୀତା ଏସଏଚଜି, ଶିକୁଳିପଦର ଗ୍ରାମର ମାଁ ମଙ୍ଗଳା ଏସଏଚଜି, ରା. ଉଦୟଗିରି ବ୍ଲକର ପାତ୍ରବସା ଗ୍ରାମର ମାଁ କନ୍ୟାଦେବୀ ଏସଏଚଜି, ଡମ୍ବଢିଅ ଗ୍ରାମର ମାଁ ବ୍ରାହ୍ମଣଦେଇ ମହିଳା ମଣ୍ଡଳଙ୍କୁ ପଚାରିବାରେ ପ୍ରତି ଗୋଷ୍ଠୀକୁ ୨୮ କେଜି ମାଛ ଯାଆଁଳା, ୩୫୦ କେଜି ମାଛଦାନା ଓ ସ୍ବଳ୍ପ ପରିମାଣର ଚୁନ ଓ ପ୍ଲାଙ୍କଟଲାଇଫ ଦିଆଯାଇଥିଲା। ତେବେ ସେଥିରୁ ଅଧିକାଂଶ ମାଛ ଯାଆଁଳା, ଦେବା ବେଳେ ମରି ଯାଇଥିବା ହେତୁ ମଲାମାଛ ଯାଆଁଳା ପୋଖରୀରେ ପକାଯାଇଥିଲା। ଯାହାଫଳରେ ତାହାର ଯତ୍ନ ନେବା ବୃଥା ପରିଶ୍ରମ ହେବା ସହ ମାଛଚାଷରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ଗୋଷ୍ଠୀର ମହିଳାର ସଦସ୍ୟା। ଏଥିପାଇଁ ସମୃକ୍ତ ଅଧିକାରୀ ମାନଙ୍କୁ ମଲାମାଛର ଫୋଟ ପଠାଇ ଅସୁବିଧା ଜଣାଇଥିଲେ, ହେଲେ ଆଜି ପର୍ଯ୍ୟନ୍ତ ଦେବା ଦେବା କହି ମିଥ୍ୟା ପ୍ରତିଶୃତି ଦେଇଥିବା ଦୁଃଖ ପ୍ରକାଶ କରିଛନ୍ତି ଗୋଷ୍ଠୀର ମହିଳା ଗଣ।
ସେହିପରି ଜମି ମରାମତି , ଜୀବନ ଜୀବିକା ପାଇଁ କୁକୁଡା ଚାଷ, ବାଡ ବେଢାଇବା ପାଇଁ ଜାଲି ଯୋଗାଣ, ଜମି ପାଇଁ ପମ୍ପସେଟ ସହ ପାଇପ ଯୋଗାଣ, କୀଟନାଶକ ସିଞ୍ଚନ ଯନ୍ତ୍ର ଯୋଗାଣରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ମୋହନା ବ୍ଲକର ବିଭିନ୍ନ ସ୍ଥାନରୁ ଆଦିବାସୀ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି ।
୨୦୧୯-୧୨ଆର୍ଥିକ ବର୍ଷରେ ଶିକୁଳିପଦର ଗ୍ରାମ ପଞ୍ଚାୟତର ମହାକୁପା ଗ୍ରାମର ପୁର୍ଣ୍ଣ ଦଳାଇ, ରମା ପାଇକ, ସତ୍ୟ ପାଇକ, ଭାସ୍କର ପାଇକ, ରମେଶ ପାଇକ ପାଞ୍ଚଜଣଙ୍କ ନାମରେ ଜମି ମରାମତି କାମ କରାଯାଇଥିବା ଦର୍ଶାଇ ବିଲ କରି ଅର୍ଥ ଆତ୍ମସାତ ହୋଇଥିବା ବେଳେ କୌଣସି ଜମି ମରାମତି କରାନଯାଇ କେବଳ ଫୋଟ ଉଠାଇ ସମୃକ୍ତ କର୍ମଚାରୀ ସଞ୍ଜୟ ଛୋଟେଇ , ମନୋଜ ପାଢୀ, ଅର୍ଥ ଆତ୍ମସାତ କରିଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ହିତାଧିକାରୀ ମାନେ ଟଙ୍କା ମାଗିଲେ ମିଥ୍ୟା ପ୍ରତିଶୃତି ଦେଇ ଠକିଦେଉଥିବା ଅଭିଯୋଗ ହୋଇଛି । ମହାକୁପା ଗ୍ରାମର ତିନିଜଣ ଚାଷୀଙ୍କୁ ଏକ ପମ୍ପସେଟ ଯୋଗାଣରେ ୨୫୦୦ ଟଙ୍କା ଗାଡି ଭଡା ବାବଦରେ ନେଇଛନ୍ତି। ୬ଜଣଙ୍କ ନାମରେ ବାଡ ବେଢା ପାଇଁ ଲୁହାଜାଲି ଦିଆଯିବା ପାଇଁ ମଧ୍ୟ ଟଙ୍କା ମାଗି ନେଇଥିଲେ। କେବଳ ମହାକୁପା ଗ୍ରାମରେ ଏଭଳି ଠକେଇ ହୋଇଥିବା ବେଳେ ଅନ୍ୟାନ୍ୟ ଗ୍ରାମରେ ମଧ୍ୟରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସୁଛି। ମୋହନା ବ୍ଲକର କ୍ଷେତ୍ର କର୍ମଚାରୀ ଭାବେ କାର୍ଯ୍ୟରତ ସିସିଡି ସଂସ୍ଥାର ସଞ୍ଜୟ ଛୋଟେଇ ଅନେକ ବର୍ଷ ଧରି ବ୍ଲକର ବିଭିନ୍ନ ସ୍ଥାନରେ ମନେରେଗା ଯୋଜନାରେ ହେଉଥିବା ଜମି ମରାମତି କାମରେ ବ୍ୟାପକ ଅନିୟମିତତା, ଜାଲିଆତି, କରି ଆଦିବାସୀଙ୍କ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ମୋହନା ବ୍ଲକର ଗୁରୁଝୁଳୀ, ମାଣ୍ଡିମେରା, ଖାରିଗୁଡା, କଟାମା,ରାଇପଙ୍କା ଗ୍ରାମର ସରପଞ୍ଚ ସମିତିସଭ୍ୟ ମାନେ ଏକତ୍ରୀତ ହୋଇ ଗତ ମଙ୍ଗଳବାର ଦିନ ଗଜପତି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି । ଅଭିଯୋଗ ସମ୍ପର୍କରେ ସଂପୃକ୍ତ କ୍ଷେତ୍ର କର୍ମଚାରୀ ସଞ୍ଜୟ ଛୋଟେଇଙ୍କୁ ପଚାରିବାରେ ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ସେହିପରି ସମସ୍ତ ଦୁର୍ନୀତି ଅଭିଯୋଗ ସମ୍ପର୍କରେ ପାରଳାଖେମୁଣ୍ଡି ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝୀଙ୍କୁ ପଚାରିବାରେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନା କରିଥିଲେ। ଘଟଣା ନେଇ ଆମେ ଗଜପତି ଜିଲ୍ଲାପାଳ ସୃତି ରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ତଦନ୍ତ ପରେ ସ୍ବଷ୍ଟ ଜଣାପଡିବ ବୋଲି କହିଛନ୍ତି ।
ଆଦିବାସୀମାନଙ୍କ ବିକାଶ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସହାୟତା ଯୋଗାଇଦେଉଥିବା ବେଳେ ଲାଭଖୋର ମନୋବୃତ୍ତି ସହ ଠିକାଦାର ପ୍ରିତିପୋଷଣ ଓ ମଧୁଚନ୍ଦ୍ରିକା ନୀତି ଯୋଗୁଁ ବାସ୍ତବ ଯୋଜନାର ସଫଳ ରୁପାୟନ ହୋଇ ପାରୁନାହିଁ । ତେବେ ଏଭଳି ସାଙ୍ଗାତିକ ଅଭିଯୋଗ ଆସିବା ପରେ ସରକାର କିଭଳି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ରିପୋର୍ଟ- ପ୍ରେମାନନ୍ଦ ପୁଜାରୀ

Comments are closed.