ତାରିଣୀ ମନ୍ଦିର ଦାନବାକ୍ସରୁ ଚୋରି
ଚୌଦ୍ୱାର : ଗାନ୍ଧୀଛକସ୍ଥିତ ତାରିଣୀ ମନ୍ଦିରରେ ଥିବା ଦାନବାକ୍ସକୁ ଭାଙ୍ଗି କେହି ଦୁର୍ବୁତ୍ତ ସେଥିରୁ ଦାନଟଙ୍କା ଚୋରେଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି । ବିଜୁ ପଟ୍ଟନାୟକ ମାର୍କେଟ କମ୍ପଲେକ୍ସ ନିକଟରେ ଥିବା ଏହି ମନ୍ଦିରରେ ରବିବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ମନ୍ଦିରର ତାଲା ଭାଙ୍ଗି ଭିତରେ ପଶିବା ସହିତ ମନ୍ଦିର ଭିତର ଅଫିସ୍ ଗୃହର ତାଲାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ମନ୍ଦିର ସମ୍ମୁଖରେ ରଖା ଯାଇଥିବା ଦାନ ବାକ୍ସକୁ ଭାଙ୍ଗି ସେଥିରେ ଥିବା ଦାନ ଟଙ୍କାକୁ ଲୁଟ କରିବା ପରେ ବାକ୍ସକୁ ଫିଙ୍ଗି ଦେଇଯାଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ମନ୍ଦିର ପୂଜକ ରବିବାର ରାତି ୯ଟାରେ ଦେବୀଙ୍କ ନୀତି କାର୍ଯ୍ୟସାରି ମନ୍ଦିରରେ ତାଲା ପକାଇ ଘରକୁ ଯାଇଥିଲେ। ସକାଳେ ସେ ପୂଜାପାଇଁ ଆସି ମନ୍ଦିର ତାଲା ଭଙ୍ଗା ଯାଇଥିବା ଓ ମନ୍ଦିରର ଦାନବାକ୍ସ ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ ଜଣେ ବ୍ୟକ୍ତି ଏହି ଚୋରି କରୁଥିବା ଦେଖିବାକୁ ମିଳିଛି । ଅଭିଯୋଗପାଇ ପୁଲିସ୍ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି।
Comments are closed.