ଶିଶୁ ମନ୍ଦିର ସମ୍ମୁଖ ରାସ୍ତା ଅବସ୍ଥା ଶୋଚନୀୟ

ଚୌଦ୍ୱାର : ଗାନ୍ଧୀଛକସ୍ଥିତ ଇମ୍ଫା ରେଳବାଇ ଫାଟକ ନିକଟରେ ସର୍ଭିସ୍ ରୋଡ଼ରୁ ବାହାରି ବ୍ୟାରେଜ ରୋଡ଼କୁ ସଂଯୋଗ କରୁଥିବା ଶିଶୁ ମନ୍ଦିର ସମ୍ମୁଖ ରାସ୍ତା ଅବସ୍ଥା ଶେଚନୀୟ ହୋଇ ପଡ଼ିଛି । ରାସ୍ତାଟି ଦୀର୍ଘଦିନ ହେଲା ମରାମତି ହୋଇ ନଥିବାରୁ ମାଟି କାଦୁଅ ରାସ୍ତାରେ ବିଛା ହୋଇଥିବା ଫେଭର ଉପରେ ଜମି ରହିବା ସହିତ କଂକ୍ରିଟ ହୋଇଥିବା ୫୦୦ମିଟର ରାସ୍ତା ଭାଙ୍ଗିରୁଜି ଖାଲଖମାରେ ଭରିଗଲାଣି । ଗତ ୨ଦିନ ହେବ ଲଗାଣ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିବା ସହିତ ଯାତାୟତରେ ଘୋର ବାଧା ସୃଷ୍ଠି କରୁଛି । ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବାରୁ ବହୁ ମାତ୍ରାରେ ଗାଡ଼ି ମଟର ସହିତ ୨ ଚକିଆ ଯାନ ସବୁ ରାଜପଥ କଡରେ ଥିବା ସର୍ଭିସ ରୋଡ ଓ ବାଇପାସ୍ ରୋଡ଼ରେ ଯାତାୟତ କରୁଛନ୍ତି । ଏହି ରାସ୍ତାରେ ଦୈନିକ ବହୁ ଛାତ୍ରଛାତ୍ରୀ ସ୍ଥାନୀୟ ଶିଶୁ ମନ୍ଦିର, ମହିଳା ମହା ବିଦ୍ୟାଳୟ ସହିତ ଅନ୍ୟାନ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାତାୟତ କରିଥାନ୍ତି । ଜାତୀୟ ରାଜପଥ ଓ ପାଖରେ ଥିବା ରେଳଲାଇନର ବର୍ଷାଜଳ ସଠିକ୍ ଭାବେ ନିଷ୍କାସନ ହୋଇନପାରି ଏହି ରାସ୍ତାରେ ପ୍ରବାହିତ ହେଉଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣଭାବେ ଭାଙ୍ଗିରୁଜି ଯାଇ ଅଗମ୍ୟ ହୋଇପଡ଼ିଲାଣି। ଏଥି ସହିତ ଉକ୍ତ ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ରାତିରେ ବହୁ ଦୁର୍ଘଟଣା ଘଟିବା ସହିତ ଲୁଟ ଘଟଣା ମାନ ଘଟୁଛି । ତୁରନ୍ତ ଏହି ରାସ୍ତାର ମରାମତି ସହିତ ରାସ୍ତାରେ ଆଲୋକ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦୃଢ ଦାବି ହେଉଛି।

Comments are closed.