www.samajalive.in
Saturday, December 13, 2025
18.1 C
Bhubaneswar

ବଜ୍ରପାତରେ ୧୨ ବର୍ଷରେ ଗଲାଣି ୪୦୪୭ ଜୀବନ

କେନ୍ଦୁଝର, ଗଞ୍ଜାମ ଓ ମୟୂରଭଞ୍ଜ ବଜ୍ରପାତପ୍ରବଣ ଅଞ୍ଚଳ

ଭୁବନେଶ୍ୱର : ବଜ୍ରପାତରେ ଗତ ୧୨ବର୍ଷରେ ରାଜ୍ୟରେ ୪ ହଜାର ୪୭ ଜୀବନ ଗଲାଣି। ଅର୍ଥାତ ବାର୍ଷିକ ମୃତ୍ୟୁହାର ୩୩୭ରହୁଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଅଧିକ ବଜ୍ରପାତ ପ୍ରବଣ। ଏଥିରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହେଉଥିବାବେଳେ ଅଧିକ ଚାଷୀ ଏବଂ ଶ୍ରମିକ ଶ୍ରେଣୀଙ୍କ ଜୀବନ ଯାଉଛି। କାଳବୈଶାଖୀ ଏବଂ ଦୁର୍ବଳ ମୌସୁମୀ ଯୋଗୁଁ ଅଧିକ ବଜ୍ରପାତ ହେଉଛି। ବଜ୍ରପାତ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଉଛି ସତ, ହେଲେ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସାର କରାଯାଇ ପାରୁ ନଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି। ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି)ଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୧୦-୧୧ ତୁଳନାରେ ୨୦୧୯-୨୦୨୦ରେ ବିଜୁଳି ଘଡ଼ଘଡ଼ିଜନିତ ମୃତ୍ୟୁହାର ବଢ଼ି ଦୁଇଗୁଣା ହେଲାଣି। ସତର୍କତା ଅଭାବ ଯୋଗୁଁ ମୂଲ୍ୟବାନ ଜୀବନ ଚାଲିଯାଉଛି। ସରକାର ମୃତକଙ୍କ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇ ବସି ପଡୁଛନ୍ତି। କିନ୍ତୁ କିପରି ମୃତ୍ୟୁହାର କମ୍‌ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଯଦ୍ୱାରା ବର୍ଷକୁ ବର୍ଷ ମୃତ୍ୟୁହାର ବଢ଼ୁଛି। ସୁତରାଂ ବଜ୍ରପାତ ଉପରେ ଗବେଷଣା ପାଇଁ ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ବାଲେଶ୍ବର ଜିଲାର ଚାନ୍ଦିପୁରରେ ଏକ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି।
ଶନିବାର ରାଜ୍ୟରେ ଘଟିଥିବା ବଜ୍ରପାତ ବାଦଲରୁ ବାଦଲ ୩୬ ହଜାର ୫୯୭ ଥର ଏବଂ ବାଦଲରୁ ଭୂପୃଷ୍ଟକୁ ୨୫ ହଜାର ୭୫୩ ଥର ବିଜୁଳି ଘଡ଼ଘଡ଼ି ମାରିଛି। ରବିବାର ବାଲେଶ୍ବର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଅଞ୍ଚଳରେ ପ୍ରଚଣ୍ଡ ବିଜୁଳି ଘଡ଼ଘଡ଼ି ମାରିଛି। ଏସ୍‌ଆରସିଙ୍କ ରିପୋର୍ଟ ଅନୁଯାୟୀ, ବାଦଲରୁ ବାଦଲ ୩୩୫୨ ଥର ଏବଂ ବାଦଲରୁ ଭୂପୃଷ୍ଠକୁ ୨୦୩୦ଥର ବିଜୁଳି ଘଡ଼ଘଡ଼ି ମାରିଛି। ଗତବର୍ଷ ଓଡ଼ିଶାରେ ୧୪ ଲକ୍ଷ ୮୩ ହଜାର ୩୪୯ ଥର ବଜ୍ରପାତ ହୋଇଥିଲା। ଯାହାକି ଦେଶରେ ସର୍ବାଧିକ। ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଶର ସବୁଠାରୁ ଅଧିକ ବଜ୍ରପାତପ୍ରବଣ ଅଞ୍ଚଳ। ତଥ୍ୟାନୁଯାୟୀ ଓଡ଼ିଶାରେ ୨୦୨୧-୨୨ରେ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ୨୮୧, ୨୦୨୦-୨୦୨୧ରେ ୨୯୧,
୨୦୧୯-୨୦୨୦ରେ ୩୫୧, ୨୦୧୮-୧୯ରେ ୩୩୨, ୨୦୧୭-୧୮ରେ ୪୬୫, ୨୦୧୬-୧୭ରେ ୩୯୮, ୨୦୧୫-୧୬ରେ ୪୦୦, ୨୦୧୪-୧୫ରେ ୩୦୯, ୨୦୧୩-୧୪ରେ ୩୭୫, ୨୦୧୨-୧୩ରେ ୨୬୫, ୨୦୧୧-୧୨ରେ ୩୫୩ ଏବଂ ୨୦୧୦-୧୧ରେ ୨୨୭ ଜଣଙ୍କର ବଜ୍ରପାତଜନିତ ମୃତ୍ୟୁ ହୋଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବାୟୁମଣ୍ଡଳ ପ୍ରଦୂଷଣ ବୃଦ୍ଧି ପାଇବା ଯୋଗୁଁ ବଜ୍ରପାତର ତୀବ୍ରତା ଅଧିକ ରହୁଛି। ସହରାଞ୍ଚଳ ଏବଂ ଖଣି ଅଞ୍ଚଳରେ ବ୍ୟାପକ ପ୍ରଦୂଷଣ ତଥା ତାପମାତ୍ରା ବୃଦ୍ଧି ହେତୁ ବାୟୁମଣ୍ଡଳରେ ଅସ୍ଥିରତା ବୃଦ୍ଧି ପାଉଛି। ଉଭୟ ମୌସୁମୀ ଏବଂ ପ୍ରାକ୍ ମୌସୁମୀ ସମୟରେ ଉଚ୍ଚଶକ୍ତିସମ୍ପନ୍ନ ବଜ୍ରପାତ ଦେଖିବାକୁ ମିଳୁଛି। ବିଭିନ୍ନ ଗବେଷଣାରୁ ଦେଖାଯାଇଛି, ଅରଣ୍ୟ ଅଞ୍ଚଳରେ ବଜ୍ରପାତଜନିତ ମୃତ୍ୟୁ କମ୍‌ ଏବଂ ପ୍ରଦୂଷଣ ଯୁକ୍ତ ଅଞ୍ଚଳରେ ଅଧିକ। ଯେତେବେଳେ ମୌସୁମୀ ଦୁର୍ବଳ ସ୍ଥିତିରେ ଗତି କରୁଥାଏ, ସେତେବେଳେ ବାୟୁମଣ୍ଡଳର ତାପମାତ୍ରା ଧୀରେଧୀରେ ବୃଦ୍ଧି ପାଉଥାଏ। ଗତ ତିନିରୁ ଚାରିଦିନ ଧରି ଉପକୂଳ ଓଡ଼ିଶାରେ ତାପମାତ୍ରା ଯେଉଁସ୍ତରରେ ରହିବା କଥା ତା’ ତୁଳନାରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଥିଲା। ଉତ୍ତପ୍ତ ବାୟୁମଣ୍ଡଳ ସହ ଯେତେବେଳେ ଜଳୀୟ ବାଷ୍ପ ମିଶୁଛି ସେତେବେଳେ ବିପଜ୍ଜନକ ଘଡ଼ଘଡ଼ି ସୃଷ୍ଟି କରୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories