ହ୍ରାସ ପାଇଲା ରୁଷରୁ ତୈଳ ଆମଦାନୀ

ନୂଆଦିଲ୍ଲୀ : ଶସ୍ତାରେ ରୁଷରୁ ଭାରତର ତୈଳ ଆମଦାନୀ ୭ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ମୌସୁମୀ ବର୍ଷା ଯୋଗୁ ଦେଶରେ ତୈଳ ଚାହିଦା ହ୍ରାସ କାରଣରୁ ଅଗଷ୍ଟ ମାସରେ ରୁଷରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇଥିଲା। ଏହା ୭ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚି ଯାଇଥିବା ଜଣାପଡିଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବ ବୃହତ୍ତ ତୈଳ ଉପଭୋକ୍ତା ଦେଶ। ବିଶ୍ୱର ତୈଳ ନେଣଦେଣ ଉପରେ ନଜର ରଖୁଥିବା କମ୍ପାନୀ ଭର୍ଟେକ୍ସ ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ରୁଷରୁ ଭାରତ ଦୈନିକ ୧୪.୬ ଲକ୍ଷ ବ୍ୟାରଲ ଅଶୋଧିତ ତୈଳ କିଣିଛି। ଏହା ପୂର୍ବ ମାସରେ ଏହି ଆମଦାନୀ ଦୈନିକ ୧୯.୧ ଲକ୍ଷ ବ୍ୟା​‌େ​‌ରଲ ଥିଲା। ଏହା ଛଡା ଭାରତୀୟ ରିଫାଇନାରୀ କମ୍ପାନୀମାନେ ଅନ୍ୟତମ ଯୋଗାଣକାରୀ ଦେଶ ଇରାକରୁ ମଧ୍ୟ ତୈଳ ଆମଦାନୀ ହ୍ରାସ କରିଛନ୍ତି। ଇରାକରୁ ଆମଦାନୀ ୮,୯୧,୦୦୦ ବ୍ୟା​ରେ‌ଲ ଦୈନିକ ସ୍ଥାନରେ ଏବେ ୮,୬୬,୦୦୦ ବ୍ୟାରଲ ତୈଳ ଆସୁଛି। ଏହି ଅବଧିରେ ସାଉଦୀ ଆରବରୁ ଜୁଲାଇରେ ୪,୮୪,୦୦୦ ବ୍ୟାରେଲ ଦୈନିକରୁ ବଢାଇ ୮,୨୦,୦୦୦ ବ୍ୟା​‌େ​‌ରଲ କରିଦିଆଯାଇଛି। ଫେବୃଆରୀ ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ କାଳରେ ରୁଷରୁ ଭାରତର ତୈଳ ଆମଦାନୀ ୧ ପ୍ରତିଶତରୁ
ମଧ୍ୟ କମ୍ ଥିଲା। ତେବେ ରୁଷ ରିଆତି ଦରରେ ତୈଳ ଦେବା ଯୋଗୁ ଭାରତୀୟ ରିଫାଇନାରୀ କମ୍ପାନୀମାନେ ତୈଳ ଆମଦାନୀ ଆରମ୍ଭ କରିଥିଲେ। ମେ’ ମାସରେ ରୁଷରୁ ଭାରତକୁ ଦୈନିକ ଅଶୋଧିତ ତୈଳ ଆମଦାନୀ ୨୦ଲକ୍ଷ ବ୍ୟାରଲର ଉଚ୍ଚତମ ସ୍ତରରେ ପହଞ୍ଚିଥିଲା। ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ୟୁରୋପୀୟ ଦେଶ ଓ ଜାପାନ କ୍ରୟ ଉପରେ କଟକଣା ଜାରି କରିଥିଲେ। ଏଣୁ ରୁଷ ଅଶୋଧିତ ତୈଳର ମୂଲ୍ୟ କମ୍‌ କରିଦେଇଥିଲା। ରୁଷ ଦେଉଥିବା ରିଆତି ଗତବର୍ଷ ୩୦ ଡଲାର ପ୍ରତି ବ୍ୟାରଲ ହ୍ରାସ କରି ଏବେ ୧୦ ଡଲାର କରିଦେଇଛି। ଭାରତର ଅଶୋଧିତ ତୈଳ ଆମଦାନୀ ଅକ୍ଟୋବର ମାସରେ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି। କାରଣ ଚତୁର୍ଥ ତ୍ରୈମାସିକରେ ଚାହିଦା ବୃଦ୍ଧି ହେବ। ଭୋର୍ଟେକ୍ସର ପ୍ରଶାନ୍ତ ଏସିୟା ବିଶ୍ଲେଷକ ସେରେନା ହୁଆଙ୍ଗ କହିଛନ୍ତି ଯେ କେତେକ ଭାରତୀୟ ତୈଳ ରିଫାଇନାରୀ କମ୍ପାନୀ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣା ନିମନ୍ତେ ଯୋଜନା କରିଛନ୍ତି। ଯାହା ସେମାନଙ୍କ ଅଶୋଧିତ ତୈଳ ଆମଦାନୀକୁ ସୀମିତ କରିବ। ଏହି ସମୟରେ ଦେଶରେ ଉତ୍ସବ ଋତୁ, ଏଣୁ ଘରୋଇ ଚାହିଦା ବୃଦ୍ଧିର ଆଶଙ୍କା କରାଯାଉଛି। ବର୍ଷ ଶେଷ ବେଳକୁ ମଧ୍ୟ ଭାରତର ତୈଳ ଚାହିଦା ଉଚ୍ଚ ସ୍ତରରେ ଥିବ ବୋଲି ଅନୁମାନ କରାଯାଇଛି। ନିକଟରେ କେନ୍ଦ୍ର ସରକାର ଅଶୋଧିତ ତୈଳ ଉପରେ ଲାଗୁ ହେଉଥିବା ୱିଣ୍ଡଫଲ ଟ୍ୟାକ୍ସ ହ୍ରାସ କରି ଟନ୍ ପିଛା ୬ ହଜାର ୭୦୦ ଟଙ୍କା କରିଦେଇଛନ୍ତି । ଏହା ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ସରକାର ଘରୋଇ ଅଶୋଧିତ ପେଟ୍ରୋଲିୟମ ଉପରେ ଟନ୍ ପିଛା ୭,୧୦୦ ଟଙ୍କା ୱିଣ୍ଡଫଲ ଟ୍ୟାକ୍ସ ଲାଗୁ କରିଥିଲେ। ଡିଜେଲ ରପ୍ତାନୀ ଉପରେ ଏ ପର୍ଯ୍ୟନ୍ତ ଦେବାକୁ ପଡୁଥିବା ଲିଟର ପିଛା ୫ଟଙ୍କା ୫୦ ପଇସା ଟିକସ କୁ ବଢାଇ ୬ଟଙ୍କା କରି ଦେଇଛନ୍ତି। ସେହିପରି ଜେଟ୍ ଫୁଏଲ ବା ଏଟିଏଫ ଶୁଳ୍କରେ ୨ ଗୁଣା ବୃଦ୍ଧି କରିଛନ୍ତି। ସରକାର କହିଛନ୍ତି ଯେ ଏବେ ପେଟ୍ରୋଲ ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ। କେନ୍ଦ୍ର ସରକାର ପ୍ରଥମ ଥର ୧ ଜୁଲାଇ ୨୦୨୨ରେ ଅଶୋଧିତ ତୈଳ ଉତ୍ପାଦନ ଓ ପେଟ୍ରୋଲିୟମ ପ୍ରଡକ୍ଟର ରପ୍ତାନୀ ଉପରେ ଏସଏଇଡି ଲଗାଇଥିଲେ। ଏହି ଶୁଳ୍କ ଯୋଗୁ ୨୦୨୩ ଆର୍ଥିକ ବର୍ଷରେ ସରକାରଙ୍କ ଆୟ ପାଖାପାଖି ୪୦, ୦୦୦ କୋଟି ଟଙ୍କା ହୋଇଥିବାର ଅନୁମାନ କରାଯାଉଛି।

Comments are closed.