ଯଦି ମନୁଷ୍ୟର ବିଲୁପ୍ତି ଘଟନ୍ତା

ଡ.ଜୟକୃଷ୍ଣ ପାଣିଗ୍ରାହୀ

ବିଶ୍ୱବ୍ରହ୍ମାଣ୍ଡରେ ନୀଳଗ୍ରହ ପୃଥିବୀ ବ୍ୟତିରେକ ନଭମଣ୍ଡଳର ଅନ୍ୟ କୌଣସି ଗ୍ରହରେ ଜୀବସତ୍ତାର ସମ୍ଭାବ୍ୟ ଉପସ୍ଥିତିକୁ ଆବିଷ୍କାର କରିବା ଉଦ୍ଦେଶ୍ୟରେ ବହୁ ବୈଜ୍ଞାନିକ ଅନୁସନ୍ଧାନ ଜାରି ରଖିଥିଲେ ସୁଦ୍ଧା ସଫଳତାର ସ୍ପର୍ଶ ଏବେ ବି ଦୂର ଦିଗ୍‌ବଳୟରେ ରହିଛି। ତେବେ ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଏବଂ ସୂକ୍ଷ୍ମରୁ ସ୍ଥୂଳ ବିବିଧ ଜୀବଜାତିର ସମାହାରର ଧାରଣକାରୀ ହେଉଛି ଏହି ଧରିତ୍ରୀ, ଯେଉଁଠି ଜୀବନ ଉତ୍ପତ୍ତିର ପରବର୍ତ୍ତୀ ସମୟରେ ବିବର୍ତ୍ତନ ପ୍ରକ୍ରିୟାରେ ଜୀବଜଗତର ଅଭ୍ୟୁଦୟ ସଂଘଟିତ ହୋଇ ବହୁଳ ପ୍ରାଣୀ, ଉଦ୍ଭିଦ ଏବଂ ଅଣୁଜୀବ ଜାତିଙ୍କର ସୃଷ୍ଟି ଘଟିଛି। ତେବେ ପ୍ରକୃତି କ୍ରୋଡ଼ରେ ବିଚରଣରତ ଏହି ଜୀବଜାତିଙ୍କର ଉତ୍ପତ୍ତି ଏବଂ ବିଲୁପ୍ତି ଏକ ପ୍ରାକୃତିକ ଧାରାବାହିକ ଘଟଣାକ୍ରମ। ଅତୀତର ଜୁରାସିକ୍ ସମୟରେ ପ୍ରବଳ ପରାକ୍ରମଶାଳୀ, ବିଶାଳ ସରୀସୃପ ଡାଇନୋସର ର୍ପୃଥିବୀର ଅପରାଜେୟ ଜୀବ ରୂପେ ଆଧିପତ୍ୟ ବିସ୍ତାର କରିଥିବାର ଜୀବାଶ୍ମଭିତ୍ତିକ ବହୁବିଧ ବିଜ୍ଞାନ ସିଦ୍ଧ ପ୍ରମାଣ ଏବେ ଉପଲବ୍ଧ ରହିଛି । ସାମ୍ପ୍ରତିକ ସମୟରେ ସେପରି ପ୍ରଭୁତ୍ୱ ବିସ୍ତାର କରିବାର ସୁଯୋଗ ଉପଲବ୍ଧ ହୋଇଛି ବୁଦ୍ଧିମତ୍ତାର ଶ୍ରେଷ୍ଠଜୀବ ମନୁଷ୍ୟ ଜାତିକୁ। ସମସ୍ତ ଜୀବଜନ୍ତୁ ପ୍ରାକୃତିକ ନିୟମର ବଶବର୍ତ୍ତୀ ହୋଇ ପରିସଂସ୍ଥାମାନଙ୍କରେ ଜୀବନ ନିର୍ବାହ କରୁଥିଲାବେଳେ ସ୍ବାର୍ଥାନ୍ବେଷୀ ମନୁଷ୍ୟ ନିଜକୁ ପ୍ରକୃତିଠୁ ଊର୍ଦ୍ଧ୍ୱରେ ଏବଂ ଏହାଠାରୁ ଅଧିକ ଶକ୍ତିଶାଳୀ ଥିବା ଭ୍ରମାତ୍ମକ ମାନସିକତାରେ ପରିଚାଳିତ ହୋଇ ପ୍ରାକୃତିକ ପରିସଂସ୍ଥାରେ ବହୁବିଧ ବିଭ୍ରାଟ ସୃଷ୍ଟିରେ ମଗ୍ନ ରହିଛି। ପ୍ରକୃତି ବିଚାରରେ ଡାଇନୋସ ଯେତେବେଳେ ଏକ ଅବାଞ୍ଛିତ ଜୀବ ରୂପେ ପରିଗଣିତ ହେଲା, ଏହା ସହ ଅନ୍ୟ ଅନେକ ଜୀବଜାତି ଏକ ମହାବିଲୁପ୍ତିର ସମ୍ମୁଖୀନ ହୋଇ ପୃଥିବୀପୃଷ୍ଠରୁ ଅନ୍ତର୍ଦ୍ଧାନ ହୋଇଗଲେ। ଏପରି ପାଞ୍ଚଟି ମହାବିଲୁପ୍ତି ପୃଥିବୀ ଇତିହାସରେ ପୂର୍ବରୁ ସଂଘଟିତ ହୋଇସାରିଛି, ଯେଉଁଥିରେ କୌଣସି ବିଧ୍ବଂସକାରୀ ପ୍ରାକୃତିକ ପ୍ରକ୍ରିୟାର ପ୍ରଭାବରେ ତତ୍କାଳୀନ ବହୁ ପ୍ରାଣୀ ଓ ଉଦ୍ଭିଦ ଏହି ଗ୍ରହରୁ ବିଲୁପ୍ତ ହୋଇ ଯାଇଛନ୍ତି। ସମ୍ପ୍ରତି ମାନବୀୟ ପ୍ରତିପତ୍ତି ପ୍ରାଧାନ୍ୟ ହାସଲ କରିଥିବାରୁ ବର୍ତ୍ତମାନର ଭୂତାତ୍ତ୍ୱିକ ସମୟ ଅବଧିକୁ ‘ଆନ୍ଥ୍ରୋପୋସିନ୍’ ଆଖ୍ୟା ପ୍ରଦାନ କରାଯାଇଛି। କାରଣ ଆଜିର ବାସ୍ତବତା ହେଉଛି, ଅଗ୍ନିରୁ କୃଷି ପର୍ଯ୍ୟନ୍ତ ସବୁ କିଛି ନବ ପ୍ରବର୍ତ୍ତନ ମାନବୀୟ ଉନ୍ନତ ମସ୍ତିଷ୍କର ପରାକାଷ୍ଠା ପ୍ରଦର୍ଶନ କରୁଛି; ଅନ୍ୟ ପକ୍ଷରେ, ଏପରି କୌଣସି ସ୍ଥାନ ନାହିଁ ଯେଉଁଠି ମଣିଷର ବିନାଶକାରୀ ପଦଚିହ୍ନ ଅପହଞ୍ଚ ରହିଛି।

ଏପରି ଦୃଶ୍ୟପଟରେ ଯଦି ମନୁଷ୍ୟ ଜାତିର ନକାରାତ୍ମକ ଏବଂ ପ୍ରକୃତି ବିଧ୍ବଂସକାରୀ କାର୍ଯ୍ୟଧାରାର ବିଚାରପୂର୍ବକ ଚାର୍ଲସ୍‌ ଡାରୱିନ୍‌ଙ୍କ ପ୍ରସ୍ତାବିତ ‘ପ୍ରାକୃତିକ ଚୟନ’ ନୀତିର ଅନୁସରଣରେ ଅଦମ୍ୟ ଶକ୍ତିଶାଳୀ ପ୍ରକୃତି ଯଦି ପୃଥିବୀ ପୃଷ୍ଠରେ ମଣିଷର ଭବିଷ୍ୟତ ଉପସ୍ଥିତିକୁ ଅଗ୍ରାହ୍ୟ କରନ୍ତା, ତେବେ ମଣିଷ ବିଲୁପ୍ତି ପଥର ଯାତ୍ରୀ ହେବା ଅବଶ୍ୟମ୍ଭାବୀ ହୁଅନ୍ତା। ଏପରି ନୀତି ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ପ୍ରକୃତି ହେଉଛି ସର୍ବୋଚ୍ଚ ଶକ୍ତି, ଯାହା ଡାରୱିନ ତାଙ୍କ ବିବର୍ତ୍ତନବାଦ ବୈଜ୍ଞାନିକ ସିଦ୍ଧାନ୍ତରେ ଉଳ ଦୃଷ୍ଟାନ୍ତର ସହ ଉପସ୍ଥାପନ କରିଛନ୍ତି। ମାନବ ସମାଜର ଅବର୍ତ୍ତମାନରେ ପ୍ରକୃତି ଓ ଜୀବଜଗତରେ ଆମୂଳ ଚୂଳ ପରିବର୍ତ୍ତନ ଘଟି ଧରିତ୍ରୀ ମାନବ ଜାତି ଉତ୍ପତ୍ତିର ପୂର୍ବସ୍ଥିତିକୁ ପ୍ରତ୍ୟାବର୍ତ୍ତନ କରନ୍ତା, ଯେଉଁଠି ମାନବ ସଭ୍ୟତାର ଚିହ୍ନବର୍ଣ୍ଣ ହିଁ ପରିଦୃଷ୍ଟ ହୁଅନ୍ତା ନାହିଁ। ଅଟ୍ଟାଳିକାମୟ କଙ୍କ୍ରିଟ ଜଙ୍ଗଲ, ବିକାଶକୈନ୍ଦ୍ରିକ ବିଭିନ୍ନ ଭିତ୍ତିଭୂମି, ଶିଳ୍ପାନୁଷ୍ଠାନ, ଯାନବାହନ, ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ଜନସମାଜ ପରିପୂର୍ଣ୍ଣ ତଥା ପ୍ରଦୂଷଣର ପ୍ରମୁଖ ଉତ୍ସ ସହରାଞ୍ଚଳ ସବୁ କ୍ରମେ ଧରାଶାୟୀ ହୋଇ ଧ୍ବଂସସ୍ତୂପରେ ପରିଣତ ହୁଅନ୍ତେ। ପରବର୍ତ୍ତୀ ସମୟରେ ପ୍ରକୃତି ଏସବୁର ପୁନରୁଦ୍ଧାର ପୂର୍ବକ ସବୁଜିମା ଓ ଜୈବ ବିବିଧତାରେ ପରିପୂର୍ଣ୍ଣ କରନ୍ତା । ମାନବୀୟ କୋଳାହଳ ତଥା ବ୍ୟୋମଯାନ, ରେଳ, ମୋଟର ଏବଂ କଳକାରଖାନାର ଘର୍ଘର ନାଦ ନିଃଶବ୍ଦ ହୋଇଯାଇ ନୀରବତାର ରାଜତ୍ୱ ବିସ୍ତାରିତ ହୁଅନ୍ତା ଏବଂ ଏପରି ନୀରବତା ମଧ୍ୟରେ ପଶୁପକ୍ଷୀ ମାନଙ୍କର କଳରବ ପ୍ରାଧାନ୍ୟ ଲାଭ କରନ୍ତା। ସଭ୍ୟତାର ଚିହ୍ନ ଟିଭି, ମୋବାଇଲ୍ ଏବଂ କମ୍ପ୍ୟୁଟର ପରି ସମସ୍ତ ବୈଦ୍ୟୁତିକ ଓ ଯୋଗାଯୋଗ ବ୍ୟବସ୍ଥା ଏବଂ ତଜ୍ଜନିତ ସରଞ୍ଜାମ ଅଦୃଶ୍ୟ ହୋଇଯାନ୍ତେ। ବିଦ୍ୟୁତ୍‌ଶକ୍ତି ଉତ୍ପାଦନର ପରିସମାପ୍ତି ଘଟନ୍ତା ଏବଂ ଏଡିସନଙ୍କ ଉଦ୍ଭାବିତ ବିଦ୍ୟୁତ୍ ତୁଲ୍ୟ ଆଲୁଅର ଅନୁପସ୍ଥିତିରେ ନିଶାକାଳ ଅମାବାସ୍ୟାର ଅନ୍ଧକାରଠାରୁ ଅଧିକ ଅନ୍ଧକାରାଚ୍ଛନ୍ନ ହୁଅନ୍ତା। ଏପରି ସ୍ଥଳେ, ଶକ୍ତି ଉତ୍ପାଦନ ନିମନ୍ତେ ବ୍ୟବହୃତ କୋଇଲା, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନ ଏବଂ ଅନ୍ୟାନ୍ୟ ଉତ୍ସରୁ ନିର୍ଗତ କ୍ଷତିକାରକ ପ୍ରଦୂଷକ ପଦାର୍ଥ ସବୁର ଉତ୍ପତ୍ତି ସମାପ୍ତ ହୁଅନ୍ତା ଏବଂ ବାୟୁ, ଜଳ ଓ ମୃତ୍ତିକାର ପ୍ରଦୂଷଣ ନିଃଶେଷ ହୋଇ ପ୍ରକୃତି, ପରିବେଶ ପୁଣି ସ୍ୱଚ୍ଛ, ନିର୍ମଳ, ଗୁଣାତ୍ମକ-ମାନ ସମ୍ପନ୍ନ ହୁଅନ୍ତା। ଓଜୋନ ସ୍ତରରେ ଅବକ୍ଷୟ, ଅମ୍ଲ ବୃଷ୍ଟି, ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରାକୃତିକ ବିପର୍ଯ୍ୟୟ ପରି ସମସ୍ୟା ସ୍ୱୟଂ ସମାହିତ ହୋଇଯାନ୍ତା। ବିଶ୍ୱରେ ପ୍ରତି ବର୍ଷ ଉତ୍ପାଦନ ହେଉଥିବା ୩୦୦-୪୦୦ ଟନ୍‌ ପ୍ଲାଷ୍ଟିକ୍‌ ପଦାର୍ଥରୁ ଅଧିକାଂଶ ପରିବେଶକୁ ନିର୍ଗତ ହୋଇ ଏହାର ପ୍ରଦୂଷଣ ଓ ଜୀବଜନ୍ତୁଙ୍କର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର କରନ୍ତା ନାହିଁ। ଏ ସବୁ ସମୁଦ୍ର ପରିସଂସ୍ଥାରେ ମାଇକ୍ରୋପ୍ଲାଷ୍ଟିକ ରୂପେ ବିଶାଳ ସଂଖ୍ୟାରେ ଗଚ୍ଛିତ ହୋଇ ଜଳୀୟ ଜୀବମାନଙ୍କୁ ମୃତ୍ୟୁମୁଖରେ ପକାନ୍ତେ ନାହିଁ। ଆଣବିକ ରିଆକ୍ଟରରୁ ବିଧ୍ୱଂସକାରୀ ବିକିରଣ ନିର୍ଗତ ହୁଅନ୍ତା ନାହିଁ।

prayash

ପ୍ରଦୂଷଣ-ରହିତ ଆକାଶ ନୀଳରଙ୍ଗରେ ସୁଶୋଭିତ ହୋଇ ରାତ୍ରିର ଅନ୍ଧକାରରେ ତାରକା-ଦୀପ୍ତରୂପରେ ଚମକପ୍ରଦ ଦିଶନ୍ତା । ଜଳଚର ଓ ସ୍ଥଳଚର ଜୀବଙ୍କର ବ୍ୟବହାର ନିମନ୍ତେ ସମସ୍ତ ଜଳ ଉତ୍ସରେ ସ୍ୱଚ୍ଛ, ନିର୍ମଳ ଓ ପ୍ରଦୂଷଣ-ମୁକ୍ତ ଜଳରାଶି ଉପଲବ୍ଧ ରହନ୍ତା । ମୃତ୍ତିକା ମଧ୍ୟକୁ ମନୁଷ୍ୟ ବ୍ୟବହାରରୁ ନିର୍ଗତ ବିବିଧ ବିଷାକ୍ତ ରାସାୟନିକ ପଦାର୍ଥ ଓ କୀଟନାଶକର ପ୍ରବାହ ମଧ୍ୟ ସମାପ୍ତ ହୁଅନ୍ତା । ସମ୍ପ୍ରତି ପୃଥିବୀର ବିଭିନ୍ନ ପରିସଂସ୍ଥାମାନଙ୍କରେ ଜୀବନଧାରଣ କରୁଥିବା ସମୁଦାୟ ୧୩.୬ ନିୟୁତ ପ୍ରାଣୀ-ଉଦ୍ଭିଦ-ଅଣୁଜୀବଙ୍କ ମଧ୍ୟରୁ ମାନବୀୟ ବିନାଶକାରୀ ପ୍ରଭାବର ଚାପରେ ପ୍ରତି ଘଣ୍ଟାରେ ପ୍ରାୟ ତିନିଟି ଏବଂ ପ୍ରତ୍ୟେକ ବର୍ଷ ପ୍ରାୟ ୨୭,୦୦୦ ପର୍ଯ୍ୟନ୍ତ ବିଭିନ୍ନ ଜୀବ ଜାତିଙ୍କର ସଂଖ୍ୟାରେ ହ୍ରାସ ଘଟି ସେମାନେ ସର୍ବକାଳ ନିମନ୍ତେ ବିଲୁପ୍ତ ହୋଇଯାଉଛନ୍ତି। ଏପରି ନିରାଶାଜନକ ଘଟଣା କ୍ରମରେ ଏକବିଂଶ ଶତାବ୍ଦୀ ସମାପ୍ତି ବେଳକୁ ଜୀବଜଗତର ଚିତ୍ରପଟ ହୁଏତ ପ୍ରଭୂତ ଭାବରେ ପରିବର୍ତ୍ତିତ ହୋଇ ଅନେକ ଜୀବଜାତି ବିଶ୍ୱ ଦୃଶ୍ୟପଟରୁ ଅଦୃଶ୍ୟ ହୋଇଯିବେ। ଅଥଚ, ମାନବଜାତିର ସଂଖ୍ୟାରେ ଅଭୂତପୂର୍ବ ବିସ୍ଫୋରଣ ଘଟି ଚାଲିଛି, ଯାହା ୧୮୦୪ ମସିହାରେ ୧୦୦ କୋଟି, ସମ୍ପ୍ରତି ୮୦୦ କୋଟିରେ ଏବଂ ୨୦୫୦ ବେଳକୁ ଏହା ୧୦୦୦ କୋଟି ଅତିକ୍ରମ କରିବାର ପୂର୍ବାକଳନ କରିଛି ଜାତିସଙ୍ଘ। ଏସବୁ ପ୍ରକ୍ରିୟାରେ ବିରାମ ଲାଗନ୍ତା ଯଦି ପ୍ରକୃତିର ନିଷ୍ପତ୍ତିରେ ମାନବଜାତି ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାନ୍ତା, ଯେ ପରିକି ଅନ୍ୟ ଜୀବଜାତି ମାନଙ୍କ କ୍ଷେତ୍ରରେ ସଂଘଟିତ ହେଉଛି। ପ୍ରକୃତିର ପରୀକ୍ଷଣରେ ପ୍ରାଣୀଜଗତରେ କ୍ଷୁଦ୍ର ଏମିବାଠାରୁ ବୃହଦାକାର ନୀଳତିମି ଓ ହାତୀ ପର୍ଯ୍ୟନ୍ତ ଏବଂ ଉଦ୍ଭିଦ ଜଗତରେ ଶୈବାଳଠାରୁ ବଟବୃକ୍ଷ ପରି ମହାଦ୍ରୁମର ସୃଷ୍ଟି ଘଟିଛି ଏବଂ ପ୍ରାକୃତିକ ନିୟମର ବଶବର୍ତ୍ତୀ ହୋଇ ସେମାନେ ଜୀବନ ନିର୍ବାହ କରୁଛନ୍ତି; କିନ୍ତୁ ବୁଦ୍ଧିମତ୍ତାର ଶ୍ରେଷ୍ଠ ଜୀବ ମନୁଷ୍ୟ ସମସ୍ତ କ୍ଷେତ୍ରରେ ଚମତ୍କାରିତା ହାସଲ କରିଥିଲେ ସୁଦ୍ଧା ତା’ଠାରେ ବିଜ୍ଞତା ପ୍ରଦର୍ଶନର ଘୋର ଅଭାବ ପରିଲକ୍ଷିତ ହେଉଛି ଏବଂ ପରିଣାମରେ ପ୍ରକୃତି ଓ ଜୀବଜଗତର ବିନାଶ ସାଧନ ହେଉଛି।

ମାନବ ଜାତିର ବିଲୁପ୍ତି ଘଟିଲେ ପ୍ରାକୃତିକ ଅନବିକରଣୀୟ ସମ୍ବଳର ବହୁଳ ବ୍ୟବହାରରେ ଅଙ୍କୁଶ ଲାଗନ୍ତା ଏବଂ ପୃଥିବୀରେ ସମ୍ବଳର ପ୍ରାଚୁର୍ଯ୍ୟ ଭରି ରହନ୍ତା। ଅରଣ୍ୟ ସମ୍ପଦ ଉପରେ ସୃଷ୍ଟ ମାନବୀୟ ଚାପର ପ୍ରତିଫଳରେ ପ୍ରତିବର୍ଷ ହ୍ରାସ ପାଉଥିବା ଏକକୋଟି ହେକ୍ଟର ଆକାରର ଜଙ୍ଗଲ ସୁରକ୍ଷିତ ହୋଇଯାନ୍ତା ଏବଂ ବିନଷ୍ଟ ଜଙ୍ଗଲର ତ୍ୱରିତ ପୁନରୁଦ୍ଧାର ହୁଅନ୍ତା। ସିଂହ, ବାଘ, ହାତୀ, ଭାଲୁ ଏବଂ ଗଣ୍ଡା ପରି ବୃହତ ପ୍ରାଣୀଙ୍କର ଆତଯାତରେ ବନ୍ୟ ପରିସଂସ୍ଥା ପୁଣି ଥରେ ସମୃଦ୍ଧ ଓ ସକ୍ରିୟ ହୋଇଉଠନ୍ତା ଏବଂ ଆମାଜନ ପରି ବୃଷ୍ଟି ଜଙ୍ଗଲ ପୁଣି ଥରେ ଜୈବବିବିଧତାର ସମ୍ଭାରରେ ପରିପୂର୍ଣ୍ଣ ହୋଇ ଉଠନ୍ତେ। ବନ୍ୟ ପ୍ରାଣୀମାନେ ଶିକାରୀଙ୍କ ପ୍ରାଦୁର୍ଭାବରୁ ମୁକ୍ତ ହୋଇ ଖୋଲା ଭାବରେ ବିଚରଣ କରିବାର ସୌଭାଗ୍ୟ ଅର୍ଜନ କରନ୍ତେ। କୃଷିକ୍ଷେତ୍ର ସବୁ ପ୍ରାକୃତିକ ପରିସଂସ୍ଥାରେ ରୂପାନ୍ତରିତ ହୁଅନ୍ତା ଏବଂ ଗୃହପାଳିତ ପଶୁମାନେ ପୁଣି ଜଙ୍ଗଲୀ ଜନ୍ତୁ ପାଲଟି ଯାନ୍ତେ, ଯାହା ବିବର୍ତ୍ତନକୁ ପଶ୍ଚାଦ୍‌ଗାମୀ କରନ୍ତା। ମାନବୀୟ କାର୍ଯ୍ୟ କଳାପରୁ ନିର୍ଗତ ସବୁଜ ଗୃହ ବାଷ୍ପ ନିର୍ଗମନ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରିତ ହୋଇଯାଆନ୍ତା ଏବଂ ଏହାର ପରିଣାମରୁ ସୃଷ୍ଟ ବିଶ୍ୱର ମୁଖ୍ୟ ଆହ୍ବାନକାରୀ ସମସ୍ୟା ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଦୂରୀଭୂତ ହୋଇଯାନ୍ତା। ଚନ୍ଦ୍ର ଓ ମଙ୍ଗଳ ଅଭିଯାନ ତଥା ପୃଥିବୀ ବାହାରେ ଜୀବନର ସତ୍ତା ଅନୁସନ୍ଧାନରେ ସ୍ୱୟଂ ସମାପ୍ତି ଘଟନ୍ତା।

ଏବେ ପ୍ରସଙ୍ଗ ହେଉଛି ବିବର୍ତ୍ତନ ପ୍ରକ୍ରିୟାର ପ୍ରଲମ୍ବିତ ଅବଧି ମଧ୍ୟରେ ପୃଥିବୀରୁ ବିଲୁପ୍ତ ହୋଇଥିବା ପୂର୍ବର ବହୁ ଜୀବଜନ୍ତୁ କାଳର କରାଳଗର୍ଭରେ ଲୀନ ହୋଇସାରିଛନ୍ତି, ଯେଉଁଥିରୁ କେତେକ ଜୀବଙ୍କର ଜୀବାଶ୍ମ ଆଜି ମଧ୍ୟ ଭୂତଳରେ ଗଚ୍ଛିତ ହୋଇରହିଛି। କାଳ ସୁଦୀର୍ଘ, ପ୍ରକୃତି ମହାଶକ୍ତିଶାଳୀ; ମଣିଷ କିନ୍ତୁ ମରଣଶୀଳ, କ୍ଷଣିକ। ଯିଏ ପ୍ରକୃତିକୁ ସୁରକ୍ଷିତ ନ କରେ, ତା’ର ପତନ ଅବଶ୍ୟମ୍ଭାବୀ; କାରଣ ‘ପ୍ରକୃତି ରକ୍ଷତି ରକ୍ଷିତଃ’ । ଆମେ ଯଥେଷ୍ଟ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସୀମାରେଖା ଅତିକ୍ରମ କରିସାରିଛୁ। ନିକଟରେ ଘଟିଥିବା ଭୂତାଣୁଜନିତ କୋଭିଡ ବୈଶ୍ବିକ ମହାମାରୀ ହୁଏତ ପ୍ରକୃତିର ଏକ ପରୀକ୍ଷଣ ଥିଲା ମାନବ ଉଦ୍ଦେଶ୍ୟରେ। ଏପରି ମାନବ-ନିର୍ଦ୍ଦିଷ୍ଟ, ଜୀବାଣୁ-ପ୍ରବର୍ତ୍ତିତ ଘଟଣା ଭବିଷ୍ୟତରେ ଭିନ୍ନ ରୂପରେ, ଅଧିକ ଭୟଙ୍କର ଭାବରେ ପ୍ରକଟିତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ଓ ‘ଆମ ବିନା ବିଶ୍ୱ’ (୨୦୦୭) ପୁସ୍ତକର ଲେଖକ ଆଲାନ୍ବିଜ୍‌ମ୍ୟାନ ଏବଂ ଅନ୍ୟ କେତେକ ଚିନ୍ତକ ମନୁଷ୍ୟ ପୃଥିବୀରୁ ହଠାତ ସପୂର୍ଣ୍ଣ ବିଲୁପ୍ତ ହୋଇଗଲେ ସମ୍ଭାବନାର ବିଭିନ୍ନ ଦିଗ ଉପରେ ବିଶ୍ଳେଷଣ କରିଛନ୍ତି। ଏପରି ସ୍ଥିତିରେ, ବିଲୁପ୍ତ ହୋଇଯାଇଥିବା ଅନ୍ୟ ଜୀବଜାତିଙ୍କର ପୁନର୍ଜୀବନଲାଭ ନିମନ୍ତେ ହୁଏତ ୩ରୁ ୭ନିୟୁତ ବର୍ଷ ପର୍ଯ୍ୟନ୍ତ କିମ୍ବା ଅଧିକ ସମୟ ଲାଗିପାରେ। ବୈଜ୍ଞାନିକ ଜେନ୍ସ-ଖ୍ରୀଷ୍ଟିଆନ୍ସେଭେନିଙ୍ଗ କହିଛନ୍ତି ଯେ ଯଦି ମଣିଷର ପ୍ରଭାବ ନ ରହନ୍ତା, ତେବେ ସମଗ୍ର ବିଶ୍ୱ ଗୋଟିଏ ବିଶାଳ ଜଙ୍ଗଲାଞ୍ଚଳରେ ରୂପାନ୍ତରିତ ହୋଇଯାନ୍ତା। ମାନବଜାତିର ଅନୁପସ୍ଥିତିରେ ପ୍ରାକୃତିକ ନିୟମର ବଶବର୍ତ୍ତୀ ହୋଇ ଗ୍ରହର ସବୁକିଛି ସୁଚାରୁରୂପେ ଗତି କରନ୍ତା ଏବଂ ମାନବ ସୃଷ୍ଟ ସମସ୍ତ କଳାଦାଗ କ୍ରମେ ଲିଭିଲିଭି ଯାନ୍ତା । ଆଉ ସେତେବେଳେ ମଣିଷକୁ ଯଦି ଏକ ସୁଯୋଗ ଉପଲବ୍ଧ ହୁଅନ୍ତା ପୁଣି ଥରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରି ପରିବର୍ତ୍ତିତ ପ୍ରକୃତିର ଚିତ୍ରକୁ ଉପଭୋଗ କରିବା ପାଇଁ, ମଣିଷ ନିଜ କୃତକର୍ମ ନିମନ୍ତେ ଅତ୍ୟନ୍ତ ମର୍ମାହତ ଓ ଅନୁତପ୍ତ ହୁଅନ୍ତା। ଆସନ୍ତୁ ଗ୍ରହରୁ ବିଲୁପ୍ତ ହେବା ପୂର୍ବରୁ ଅକ୍ଷମଣୀୟ କୃତକର୍ମ ନିମନ୍ତେ ପଶ୍ଚାତ୍ତାପ ଦ୍ୱାରା ନିଜ ମାନସିକତା ଓ କାର୍ଯ୍ୟଧାରାରେ ସକାରାତ୍ମକ ପରିବର୍ତ୍ତନ ଘଟାଇବା ଏବଂ ଉତ୍ତମ ଗୁଣାତ୍ମକ ମାନଯୁକ୍ତ ପ୍ରକୃତିର ଏକ ଶୃଙ୍ଖଳିତ ଜୀବରୂପେ ପ୍ରତିଶ୍ରୁତିବଦ୍ଧ ହୋଇ ଅନ୍ୟ ଜୀବମାନଙ୍କ ସହ ଏହି ଗ୍ରହରେ ସହାବସ୍ଥାନ କରିବା ।

kalyan agarbati

Comments are closed.