ସହସ୍ର ବ୍ରାହ୍ମଣ (?) ଭୋଜନ

ନୀଳକଂଠ ରଥ

ଚାରିଦିନ ତଳେ ମୁଁ ରହୁଥିବା ମହାରାଷ୍ଟ୍ରର ପୁଣେ ସହରରେ ସକାଳେ ଖବରକାଗଜରେ ପଢିଲି – “ଦଗଡୁଶେଠ ଗଣପତି ମଂଦିରରେ ତିନିଦିନ ଲାଗି ଚାଲିଥିବା ଏକ ଯଜ୍ଞ ଶେଷରେ ସହସ୍ର ବ୍ରାହ୍ମଣ ଭୋଜନ ଦିଆଗଲା”। ପଢି ଆଶ୍ଚର୍ଯ୍ୟ ଲାଗିଲାନି, ଦୁ:ଖିତ ହେଲି। ଆମେ କେତେକାଳ ପରଂପରାର ଦାସ ହୋଇ ରହିବା!

ମହାରାଷ୍ଟ୍ରରେ, ଅନ୍ୟ ସବୁ ରାଜ୍ୟ ଭଳି, ଜାତିଦ୍ବେଷରେ ବ୍ରାହ୍ମଣ ବଳି ପଡିଲେଣି। ଆଗେ ସବୁ ଧାର୍ମିକ କାର୍ଯ୍ୟରେ ବ୍ରାହ୍ମଣଂକ ପୌରହିତ୍ବ, ବ୍ରାହ୍ମଣଭୋଜନ ଓ ଦକ୍ଷିଣାଦାନ ତ ଥିଲା। ବ୍ରିଟିଶ ଆମଦାନୀରୁ ସେମାନେ ଆଗ ଶିଖି ସବୁ ଚାକିରିବାକିରି, ନୂଆ ବ୍ୟବସାୟରେ ସ୍ଥାନ ଜମାଇଲେ। କ୍ରମେ ଅନ୍ୟ ଜାତିଂକର ବ୍ରାହ୍ମଣ ବିରୋଧ ଆରଂଭ ହେଲା। ମହାରାଷ୍ଟ୍ରରେ କୋହ୍ଲାପୁର ଗଡଜାତର ରାଜା ସାହୁ ମହାରାଜ ଏ ବାବଦରେ ଆଗୁଆ ଥିଲେ। ଶହେ-ବିଶାଶେ ବର୍ଷ ଭିତରେ ପରିସ୍ଥିତି ବଦଳି ଯାଇଚି। ଆଜି ମଂତ୍ରାଳୟରେ ନୂଆ କିରାନିଠାରୁ ଉପରର ହାକିମଂକ ଭିତରେ ବ୍ରାହ୍ମଣ ଖୋଜିବାକୁ ଗଲେ କଷ୍ଟପଡିବ। ସ୍କୁଲରେ ବି ବ୍ରାହ୍ମଣ ମାଷ୍ଟ୍ରଂକ ସଂଖ୍ୟା ବହୁତ କମ୍। ସ୍ବାଭାବିକ। ଲୋକସଂଖ୍ୟାରେ ବ୍ରାହ୍ମଣ ମାତ୍ର ଚାରି ଶତାଂଶ। ଯାହାହେବାର ତାହା ଧୀରେ ଧୀରେ ହେଲାଣି। ରାଜନୀତି କ୍ଷେତ୍ରରେ ତ ବ୍ରାହ୍ମଣଂକ ସ୍ଥାନ ପ୍ରାୟ ଶୂନ୍ୟ।

ମାତ୍ର, ପରଂପରାରେ ଥିବା ବ୍ରାହ୍ମଣଂକ ସ୍ଥାନ ପ୍ରାୟ ପୂର୍ବଭଳି ବଜାୟ ରହିଚି କହିଲେ ଅତ୍ୟୁକ୍ତି ହେବନାହିଁ। ଶ୍ମଶାନକୁ ଗଲେ ବ୍ରାହ୍ମଣ ପୁରୋହିତ ଲୋଡା। ଏବେ ଅଧିକାଂଶ ବ୍ରାହ୍ମଣ ତାଂକ ନିଜଂକ ପାଇଁ ଆଉ କ୍ରିୟାକର୍ମ କରୁନାହାଂତି। ଶ୍ରାଦ୍ଧ ନାହିଁ କହିଲେ ଚଳେ। ମାତ୍ର ବହୁଜନ ସମାଜରେ ପରଂପରା ବିଦ୍ୟମାନ। କ୍ରିୟାକର୍ମ କରିବାଲାଗି ତାଂକର ବ୍ରାହ୍ମଣ ଲୋଡା। ଆଉ, ଆଜିର ଇଲେକ୍ଟ୍ରିକ୍‌ ଶବଦାହ ବ୍ୟବସ୍ଥା ତାଂକୁ ଠିକ୍ ଲାଗୁନି। ସବୁ ଘରୋଇ କ୍ରିୟାକର୍ମ ପାଇଁ ବ୍ରାହ୍ମଣ ପୁରୋହିତ ଲୋଡା। ସାହୁ ମହାରାଜ ଅବ୍ରାହ୍ମଣଂକୁ କ୍ରିୟା କର୍ମରେ ଟ୍ରେନିଂ ଦେବାର ବ୍ୟବସ୍ଥା କଲେ। ମାତ୍ର ତାହା ବେଶି କାଳ ରହିଲାନାହିଁ। ପୁଣେ ସହରରେ ଏକ ଘରୋଇ ସଂସ୍ଥା ପ୍ରାୟ ପଚାଶ ବର୍ଷ ତଳେ ସବୁ ଜାତିର ମହିଳା ତଥା ପୁରୁଷଂକୁ ଧାର୍ମିକ କ୍ରିୟା କର୍ମରେ ଟ୍ରେନିଂ ଦେବାର ଅନୁଷ୍ଠାନ ଗଢିଲେ। ଅନେକ ଆସିଲେ। ମାତ୍ର ତାହାର ବ୍ୟବହାର କେବଳ ନୂଆ ଭୂଆ ହେଲାଭଳି।

ପୁଣେରେ ପେଶୱାକାଳୀନ ଅନେକ ଦେଉଳ ଅଛି। ମାତ୍ର ଏ ସହରରେ ଗଣପତି ଓ ମାରୁତିଂକ ପ୍ରାଦୁର୍ଭାବ ପ୍ରଚଂଡ। ପ୍ରାଦୁର୍ଭାବ କହିବାର କାରଣ, ଏ ସହରର ଅଣଓସାରିଆ ରାସ୍ତାଘାଟରେ ଅସଂଖ୍ୟ ଗଣପତି ଓ ମାରୁତି ପୂଜାସ୍ଥାନ। କାଲି ନଥିଲା, ମାତ୍ର ଆଜି ଦେଖିଲାବେଳକୁ ପଥରରେ ସିଂଦୂର ବୋଳି ଗଣପତି ବା ମାରୁତି ରାସ୍ତାକଡରେ ବିରାଜମାନ। ଚାହୁଁଚାହୁଁ ବର୍ଷେ ଦିବର୍ଷ ଭିତରେ ସେଠାରେ ଛୋଟ (ଦି-ତିନି ଫୁଟ ଉଁଚର) ଦେଉଳଟିଏ ଉଭା। ତାକୁ ସେଠାରୁ ହଟାଇବାର କାହାର ଛାତି ନାହିଁ।

ଏ ସହରର ସବୁଠାରୁ ନୂଆ ବିଶିଷ୍ଟ ମଂଦିର ହେଲା ଦଗଡୁଶେଠ୍‌ ଗଣପତି ମଂଦିର — ଶହେପଚିଶ ବର୍ଷର। ଦ୍ବିତୀୟ ମହାଯୁଦ୍ଧ ପର୍ଯ୍ୟଂତ ଏହା ଆଉ ସବୁ ଦେଉଳ ଭଳି ଥିଲା। ହେଲେ ଗତ ପଚାଶ-ଷାଠିଏ ବର୍ଷ ଭିତରେ ଏହାର ପ୍ରଚଂଡ ପ୍ରଗତି ହୋଇଚି। ପ୍ରତି ଗଣେଶ ଚତୁର୍ଥୀରେ ଅତି କମରେ ଦଶହଜାର ସ୍ତ୍ରୀ-ପୁରୁଷ-ପିଲେ ସଂଧ୍ୟାରେ ସେଠା ଆଗର ରାସ୍ତାରେ ଠିଆହୋଇ ଅଥର୍ବ ଶୀର୍ଷର ପାରାୟଣ କରଂତି। ଦେଉଳକୁ କେବଳ ଗଣେଶ ଚତୁର୍ଥୀରେ ଲକ୍ଷେ ଉପରେ ନାରିକେଳ ମିଳେ; ବର୍ଷ ଭିତରେ କେତେ ହେଉଥିବ କେଜାଣି। ଏ ଗଣପତି ମଂଦିର ସହରର ସବୁଠାରୁ ଧନୀ ମଂଦିର। ସେଦିନ ପ୍ରଧାନମଂତ୍ରୀ ଦେଉଳରେ ପୂଜାକରି ଗଲେ। ଦଗଡୁ ଶେଠଂକ କୁଟୁଂବର ଲୋକ ଓ ତାଂକ ସାଥିମାନେ ମଂଦିରର ଟ୍ରଷ୍ଟି। ସେମାନେ ବ୍ରାହ୍ମଣ ନୁହଂତି। ମାତ୍ର ସହସ୍ର ବ୍ରାହ୍ମଣଭୋଜନ କରାଇଲେ।

prayash

ମହାରାଷ୍ଟ୍ରର ଏ ପରଂପରା ବହୁତ ପୁରୁଣା। ଖାଲି ପେଶୱେ ବ୍ରାହ୍ମଣ ଥିଲେ। ସେ ଗଣେଶ ପୂଜାର ଆରଂଭ କରାଇଲେ। ଅସଂଖ୍ୟ ବ୍ରାହ୍ମଣଂକୁ ଭୂରିଭୋଜନ ଦେଇ, ତାଂକୁ ଦକ୍ଷିଣା ଦେବାର ପ୍ରଥା ଏତେ ପ୍ରବଳ ଥିଲା ଯେ ଅସଂଖ୍ୟ ଗରିବ ବ୍ରାହ୍ମଣ କୋଂକଣରୁ ପୁଣେ ଆସି ଦକ୍ଷିଣା ସାହାଯ୍ୟରେ ରହୁରହୁ ଶିଖି ସ୍ଥାୟୀ ହେଲେ। ଦକ୍ଷିଣା ପ୍ରଥା ୧୮୧୮ରେ ପେଶୱେ ହାରି, ଇଂରେଜ ରାଜତ୍ବ ଆସିବାପରେ ବି ପ୍ରାୟ କୋଡିଏ ବର୍ଷ ପର୍ଯ୍ୟଂତ ଚାଲିଥିଲା। ପେଶୱାଂକ ସୈନ୍ୟବାହିନୀର ପ୍ରଧାନ ସର୍ଦାର ଥିଲେ ଗୱାଲିଅରର ଶିଂଦେ ଓ ଇଂଦୋରର ହୋଳକର। ସେମାନେ ବ୍ରାହ୍ମଣ ନୁହତି। ମାତ୍ର ସିପାହି ବିଦ୍ରୋହ କାଳ ପର୍ଯ୍ୟଂତ ବଡ ଆକାରରେ ଯଜ୍ଞକରି ସେଥିରେ ବ୍ରାହ୍ମଣଂକୁ ପୌରହିତ୍ବର ଉଚ୍ଚ ପାଉଣା ଓ ବହୁମାନର ଦକ୍ଷିଣା ଓ ସହସ୍ର ବ୍ରାହ୍ମଣଭୋଜନର ବ୍ୟବସ୍ଥା କରୁଥିଲେ। ଏବେ ମଧ୍ୟ ଛୋଟବଡ ଆକାରରେ ପ୍ରଥା ଚାଲିଚି।

ଖାଲି ମହାରାଷ୍ଟ୍ର କଥା କିଆଁ, ମୋର ନିଜଗାଁ କଥା ବି ମନେ ପଡୁଚି। ମୋ ବୁଢାବାପା ୧୮୯୬ ମସିହାରେ ଆଠଗଡ ଆସିଲେ, କାରଣ ସେ ଦେଶୀୟ ରାଜ୍ୟର ରାଜା ବିଶ୍ବନାଥ ଦେବବର୍ମା ଗୋଟିଏ ବ୍ରାହ୍ମଣ ଶାସନ ବସାଇବା ପାଇଁ ବ୍ରାହ୍ମଣ ଖୋଜୁଥିଲେ। ସେ ଶାସନରେ ପ୍ରାୟ ତିନିଡଜନ ବ୍ରାହ୍ମଣଂକୁ ଘର, ବାଡି, କିଛି ନିଷ୍କର ଚାଷଜମି ଦେଇ ରଖିଲେ। (ମୋ ବାପା ଓ ମୁଁ ସେଇ ଗାଁରେ ଜନ୍ମ)। ସେ କିଆଁ ୟା କଲେ? ପୁଣ୍ୟ ଅର୍ଜନ କରିବା ପାଇଁ। ଆଗରୁ ପୁରୀର ଗଜପତି ରାଜାମାନେ ତା’ କରୁଥିଲେ, କେତେ ବ୍ରାହ୍ମଣ ଶାସନ ପୁରୀ ଜିଲାରେ!

ବାସ୍ତବିକ କଂପାନୀ ଶାସନ ପୂର୍ବରୁ ଭାରତରେ କେହି ବ୍ରାହ୍ମଣ ରାଜା ନଥିଲେ। ସମସ୍ତେ ଅବ୍ରାହ୍ମଣ। ମାତ୍ର ସମସ୍ତେ ବ୍ରାହ୍ମଣଂକୁ ଭୋଜନ, ଦାନ, ଦକ୍ଷିଣା ଦେବାରେ ବ୍ୟଗ୍ର। କେହି କହିପାରଂତି ଏହାର କାରଣ ବ୍ରାହ୍ମଣ ସଂସ୍କୃତ ଶିକ୍ଷିତ ଥିଲେ। ରାଜାଂକର ଶିକ୍ଷିତ ସମାଜର ଆବଶ୍ୟକତା। ହୋଇପା​‌େ‌ର। ମାତ୍ର, ସବୁ ଅଂଚଳର ମୌଖିକ ସାହିତ୍ୟରେ ଅଶିକ୍ଷିତ ବ୍ରାହ୍ମଣଂକ ଥଟ୍ଟା ମଧ୍ୟ ଉପଲବ୍ଧ । ଅସଲ କଥା, ଏ ଜାତିବଦ୍ଧ ସମାଜରେ ଅନ୍ୟ ଜାତିର ଶିକ୍ଷା ଓ ତା’ ଦ୍ବାରା ଯୋଗ୍ୟତାର ବିଚାର, ତେଣୁ ବ୍ୟବସ୍ଥାର ବିଚାର ବି ନଥିଲା । ତେଲିଆ ମୁଂଡରେ ତେଲ ଆମ ପରଂପରାର ପ୍ରଧାନ ଲକ୍ଷଣ ।

ଆଜିର ସହସ୍ର ବ୍ରାହ୍ମଣ ଭୋଜନ କଥା ପଢିଲାବେଳେ ଓ ସେ ଯୋଗୁଁ ଆମ ରାଧାନାଥପୁର ଶାସନ କଥା ଭାବିଲାବେଳେ ଚିଂତା ମନରେ ପଶେ । ପୁଣ୍ୟ ଅର୍ଜନ କରିବାପାଇଁ ବିଶ୍ବନାଥ ଦେବବର୍ମା ତାଂକ ଗଡର ବାଶେଳୀ ଦିଅଁକ ପଛପଟ ପାହାଡ ଉପରେ ରହୁଥିବା ତଅଁଳାଂକ ବା ଗଡକଣର ଅବାଟରେ ରହୁଥିବା ହାଡି ପାଣଂକର ଠିକଣାରେ ରହିବା, ଚଷିବା ଓ ସାକ୍ଷରତାର ବ୍ୟବସ୍ଥା କରିଥିଲେ ପୁଣ୍ୟ ଅର୍ଜନ ହୋଇ ନଥାଂତା କି? ନହେଲା, ସେବକାର କଥା । ହେଲେ ଆଜି ସ୍ବାଧୀନତାର ପଚସ୍ତରିବର୍ଷ ପରେ, ଯେତେବେଳେ ବହୁଜନ ସମାଜରେ ଶିକ୍ଷା ଓ ଅର୍ଜନର କ୍ଷମତା ଏତେ ବଢିଚି, ସେତେବେଳେ ପୁଣ୍ୟ ଅର୍ଜନ କରିବାପାଇଁ ସହସ୍ର ବ୍ରାହ୍ମଣଭୋଜନ କରାଇବାର କି ଆବଶ୍ୟକତା? ତା’ ପରିବର୍ତେ ପୁଣେର ବିଭିନ୍ନ ପ୍ରକାରର ସ୍ବଚ୍ଛତା କାମରେ ଲିପ୍ତ ସହସ୍ର ମହିଳା ଓ ପୁରୁଷଂକୁ ସପତ୍ନିକ ବା ସପତିକ ଆସି ଗଣେଶ ମଂଦିରରେ ପଂକ୍ତିରେ ବସି ପାରଂପରିକ ଭୋଜନକରି, ପ୍ରତ୍ୟେକଂକୁ ଶାଢି, ଧୋତି ସହ ଦକ୍ଷିଣାଦେଇ ନମସ୍କାର କରି ବିଦାୟ ଦେଇଥିଲେ ପୁଣ୍ୟ ଅର୍ଜନ ହୋଇନଥାଂତା କି? ଆମ ବିଭକ୍ତ ସମାଜକୁ, ପରସ୍ପରକୁ ପାଖକୁ ଆଣିବାର ପ୍ରଥମ ପଦକ୍ଷେପ ହୋଇଥାଆଂତା ।

ଆମ ସମାଜ ପରଂପରାରୁ ବାହାରି ନ ପଡିଲେ ଆମ ଭବିଷ୍ୟତ ଅଂଧକାରମୟ । ଆମ ଜାତି ବ୍ୟବସ୍ଥା ଏତେ ଭୟଂକର ଯେ ଜଣେ ବୈଜ୍ଞାନିକ ଆମ ଜାତି ବ୍ୟବସ୍ଥାର ଅଧ୍ୟୟନ କଲାବେଳେ ଲେଖିଲେ, ଚୀନ ଲୋକସଂଖ୍ୟା ଦୃଷ୍ଟିରୁ ସବୁଠାରୁ ବଡ ରାଜ୍ୟ । ଭାରତ ଅସଲ ଅର୍ଥରେ ସାଢେ ଚାରିହଜାର ଅପେକ୍ଷାକୃତ ଅଳ୍ପଅଳ୍ପ ଲୋକଂକ ରାଜ୍ୟମାନ ଥିବା ଏକ ବିରାଟ ଦେଶ । ପ୍ରତ୍ୟେକ ଜାତିର ଲୋକେ ଏକ ଭିନ୍ନ ରାଜ୍ୟ, କାରଣ ତାଂକ ଭିତରେ ସାମାଜିକ ଭିନ୍ନତା ପ୍ରଚଂଡ । ତେଣୁ ପ୍ରତ୍ୟେକ ଜାତି ଏକ ସ୍ବତଂତ୍ର ଦେଶ କହିଲେ ଚଳେ । ଏହା ଫଳରେ ଭାରତର ଅଭିବୃଦ୍ଧି ସହଜ ନୁହେଁ । ଏ ଅପରିମାଣଦର୍ଶୀ ଉଚ୍ଚନୀଚ ସାମାଜିକ ବ୍ୟବହାର ଓ ଜାତି-ଜାତି ଭିତରେ ସହଜୀବନର ସଂପୂର୍ଣ ଅଭାବକୁ ଆମେ ପରଂପରା ବୋଲି କେତେକାଳ ଜାବୁଡି ଧରି ବସିବା ? ପ୍ରକୃତି ଅନ୍ୟ ପ୍ରାଣୀ-ଜୀବଜଂତୁଂକୁ ନିଜ ଶରୀର ସାହାଯ୍ୟରେ ବଂଚିବାପାଇଁ ଦାଂତ-ନଖ ଓ ସ୍ନାୟୁକ ଶକ୍ତି ଦେଇଛି । ମନୁଷ୍ୟଠାରେ ତା ନାହିଁ, ଅଛି ବିଚାର କରି ବାଟକାଢିବାର ଶକ୍ତି। ଆମେ ତାହାର ବ୍ୟବହାର ନକରି ଅବିଚାରରେ ବୁଡିମରିବା ସିନା ।

kalyan agarbati

Comments are closed.