ଆସନ୍ନ ମରୁଡି ବେଳେ ବର୍ଷା ଆଣିଛି ଆଶ୍ୱସ୍ତି

ମୌସୁମୀ ଉଭାନ, ଲଘୁଚାପ ଉପରେ ଭରସା

ଆଠଗଡ :  ଏତେବେଳକୁ ଧାନ କଳା ବୁଲି ବୁଦା ଧରିବା କଥା। କିନ୍ତୁ ନିଅଣ୍ଟିଆ ବର୍ଷା ଯୋଗୁଁ ବିଲ ଫାଟି ଆଁ କଲାଣି। ଆସନ୍ନ ମରୁଡିକୁ ନେଇ ବର୍ଷଯାକର ଆହାର ପାଇଁ ଚାଷୀକୂଳ ଚିନ୍ତାରେ ଥିବାବେଳେ ଶନିବାର ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ମଧ୍ୟରେ କିଛିଟା ଆଶ୍ୱସ୍ତି ଆଣିଛି । ଚଳିତବର୍ଷ ଅସ୍ୱଭାବିକ ପାଣିପାଗ ଯୋଗୁଁ ଆଠଗଡ ଉପଖଣ୍ଡ ଅଞ୍ଚଳର ବହୁ ଜମି ପଡିଆ ପଡିଛି । ଯେତିକି ବି ବର୍ଷା ହେଉଛି ତାହା ବିକ୍ଷିପ୍ତ ଭାବେ ହେଉଥିବାରୁ ତାହା ଖରିଫ ଧାନଚାଷ ପାଇଁ ପର୍ଯ୍ୟାପ୍ତ ହେଉନାହିଁ । ଏପରି ସ୍ଥିତିରେ ଆଠଗଡ ଅଞ୍ଚଳରେ ଜଳସେଚନର ବିକଳ ଚିତ୍ର ଚାଷୀଙ୍କର ହୋସ ଉଡାଇ ଦେଉଛି । ଶ୍ରାବଣ ମାସରେ ବର୍ଷାର ପରିମାଣ ଯେତିକ ହେବା କଥା ତା ଠାରୁ ଯଥେଷ୍ଟ କମ୍‌‌ ହୋଇ ନଥିଲେ ମଧ୍ୟ ବିକ୍ଷିପ୍ତ ଓ ଅନିୟମିତ ବର୍ଷା ଯୋଗୁଁ ଏହା ଖରିଫ ଧାନଚାଷ ପାଇଁ ଅନୁକୂଳ ହେଉନାହିଁ। ଅଗଷ୍ଟ ମାସରେ ୩୨୩ ମିମି ବର୍ଷା ହେବାକୁ ଥିବାବେଳେ ଚଳିତ ବର୍ଷ ଏହା ୨୭୯ମିମିରେ ସୀମିତ ରହିଛି। ଆଠଗଡ କୃଷି ଜିଲ୍ଲାରେ ଆଠଗଡ, ତିଗିରିଆ, ବଡମ୍ବା ଓ ନରସିଂହପୁର ବ୍ଲକରେ ଖରିଫ ଧାନଚାଷ ପାଇଁ ଯେତିକି ବର୍ଷାର ଆବଶ୍ୟକତା ରହିଛି ତାଠାରୁ କମ୍‌‌ ବର୍ଷା ହୋଇଥିବାରୁ ଅଧିକାଂଶ ଅଞ୍ଚଳରେ ମରୁଡି ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାରେ ଚାଷୀକୂଳ ଚିନ୍ତାରେ ରହିଛନ୍ତି । ଚଳିତବର୍ଷ ସରକାରୀ ତଥ୍ୟ ଅନୁଯାୟୀ ଆଠଗଡ ବ୍ଲକରେ ୧୨୯୦୫ ହେକ୍ଟର, ତିଗିରିଆରେ ୩୮୩୦ହେକ୍ଟର, ବଡମ୍ବା ବ୍ଲକରେ ୫୪୨୦ହେକ୍ଟର ଓ ନରସିଂହପୁରରେ ୭୩୮୯ ହେକ୍ଟର ଜମିରେ ଖରିଫ ଧାନଚାଷ ହୋଇଛି। ସେଥିମଧ୍ୟରୁ ଆଠଗଡ ବ୍ଲକରେ ୯୩୭୬ ହେକ୍ଟର, ତିଗିରିଆରେ ୨୩୩୮, ବଡମ୍ବାରେ ୯୧୩୫ ଓ ନରସିଂହପୁରରେ ୧୪୯୬୯ହେକ୍ଟର ଜମି ଜଳସେଚିତ ବୋଲି ସରକାରୀ ତଥ୍ୟରୁ ଜଣାପଡିଥିଲେ ମଧ୍ୟ ତାହା ବାସ୍ତବ କ୍ଷେତ୍ରରେ କିନ୍ତୁ ଦେଖାଯାଏ ନାହିଁ। ଆଠଗଡ ଉପଖଣ୍ଡର ୪ଟି ଯାକ ବ୍ଲକରେ ଯେତିକି ଚାଷଜମି ଜଳସେଚିତ ବୋଲି କୁହାଯାଉଛି ସେଗୁଡିକ କ୍ଷୁଦ୍ର ଜଳସେଚନ, ସରକାରୀ ଓ ବେସରକାରୀ ଉଠା ଜଳସେଚନ, କୂଅ, ପୋଖରୀ ଓ ଅନ୍ୟାନ୍ୟ ପ୍ରାକୃତିକ ଉତ୍ସରୁ ହିଁ ଜଳସେଚନ ହୋଇଥାଏ। ତେବେ ଚଳିତବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଅଧିକାଂଶ ଜଳଭଣ୍ଡାର ଶୁଖିଲା ପଡିଥିବାବେଳେ ପ୍ରାକୃତିକ ଉତ୍ସଗୁଡିକ ମଧ୍ୟ ପ୍ରାୟ ଶୁଖିଯାଇଛି । ସେହିପରି ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଭୂତଳ ଜଳସ୍ତରରେ ଉନ୍ନତି ପରିଲକ୍ଷିତ ହେଉନାହିଁ । ଆଠଗଡ ଉପଖଣ୍ଡରେ ଥିବା ସରକାରୀ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟରୁ ଅଧିକାଂଶ ଅଚଳ ହୋଇ ପଡିଛି। ଏପରି ସ୍ଥିତି ଲାଗି ରହିଲେ ଆଠଗଡ ଉପଖଣ୍ଡରେ ଅଧାରୁ ଅଧିକ ଅଞ୍ଚଳ ମରୁଡି ପ୍ରଭାବିତ ହେବାରୁ ଆଶଙ୍କା ସୃଷ୍ଟି ହୋଇଛି । ତେବେ ସେପ୍ଟେମ୍ବର ମାସରେ ଆବଶ୍ୟକତା ଅନୁଯାୟୀ ବର୍ଷା ହେଲେ ମରୁଡି ଆଶଙ୍କାକୁ ଏଡାଇ ଦେଇ ହେବ ବୋଲି କୃଷି ଅଧିକାରୀ ଓ ଚାଷୀ ମତବ୍ୟକ୍ତ କରିଛନ୍ତି।

Comments are closed.