ସ୍ବାୟତ୍ତ ଶାସନ – ନିଜ ହାତରେ କ୍ଷମତା
ସ୍ବାୟତ୍ତ ଶାସନ ବ୍ୟବସ୍ଥାରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆର୍ଆଇ) ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏହା ଦୁଇଟି ଉଦ୍ଦେଶ୍ୟ ନେଇ ଗଠିତ ହୋଇଛି। ଅର୍ଥନୈତିକ ବିକାଶ ପାଇଁ ଯୋଜନା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଏବଂ ଏସବୁ ଯୋଜନାର ବ୍ୟାପକ କାର୍ଯ୍ୟକାରିତା ପଞ୍ଚାୟତିରାଜ ପ୍ରତିଷ୍ଠାନର ମୂଳ କାର୍ଯ୍ୟ। ଏସବୁ କାର୍ଯ୍ୟ ନିମନ୍ତେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକୁ କ୍ଷମତା ହସ୍ତାନ୍ତର କରାଯାଇଛି। କିନ୍ତୁ ଏସବୁକୁ ବାସ୍ତବରେ ନିୟନ୍ତ୍ରଣ କରିବା କ୍ଷମତା ରାଜ୍ୟ ବ୍ୟବସ୍ଥାପିକା ସଭାର। ସେଥିପାଇଁ ବ୍ୟବସ୍ଥାପିକା ଆଇନ ତିଆରି କରେ।
୭୩ତମ ସମ୍ବିଧାନ ସଂଶୋଧନ ବଳରେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ୨୯ଟି ତାଲିକାଭୁକ୍ତ ବିଷୟରେ କ୍ଷମତା ହସ୍ତାନ୍ତର କରାଯାଇଛି। ମନେରଖିବାକୁ ହେବ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳପିଣ୍ଡ ହେଉଛି ଗ୍ରାମସଭା। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳଦୁଆ। ଗ୍ରାମସଭା ହେଉଛି ଗଁାର ଏକ ପରିଚାଳନା ପରିଷଦ ଏବଂ ଏହାକୁ ତଦାରଖ କରିବା ଦାୟିତ୍ବରେ ରହିଛି ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ପରିଷଦ। ବାସ୍ତବରେ ଗ୍ରାମସଭା ହେଉଛି ଗଣତନ୍ତ୍ରର ଏକ ସାମ୍ବିଧାନିକ ବ୍ୟବସ୍ଥା। ସ୍ବାୟତ୍ତ ଶାସନ ବ୍ୟବସ୍ଥାରେ ଗ୍ରାମସଭା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ମୂଳକେନ୍ଦ୍ର। ଗ୍ରାମସଭାର ମୂଳ ଆଭିମୁଖ୍ୟ ହେଲା ନିଜ ଗଁାର ବିକାଶ ପାଇଁ ଗ୍ରାମବାସୀ ଦ୍ବାରା ନିଷ୍ପତ୍ତି ନେବା, ଲୋକେ ନିଜ ପାଇଁ ଯୋଜନା ପ୍ରସ୍ତୁତ କରିବା। ସରକାରଙ୍କ ଦ୍ବାରା ପ୍ରଚଳନ କରାଯାଉଥିବା ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ କରାଯାଇପାରିବ ସେ ବିଷୟରେ ନିଷ୍ପତ୍ତି ନେବା। ଗ୍ରାମାଞ୍ଚଳରେ ସ୍ବାୟତ୍ତ ଶାସନ ବ୍ୟବସ୍ଥା ମଜଭୁତ କରିବା ପାଇଁ ୭୩ତମ ସମ୍ବିଧାନ ସଂଶୋଧନ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଛି।
ପଞ୍ଚାୟତିରାଜ ବ୍ୟବସ୍ଥାରେ ସ୍ବାୟତ୍ତ ଶାସନ ଜରିଆରେ ଗ୍ରାମସଭାର ମୌଳିକ କାର୍ଯ୍ୟ ପରିସର ମଧ୍ୟ ସ୍ଥିର ହୋଇଛି। କୌଣସି ନିର୍ଦିଷ୍ଟ ସରକାରୀ ଯୋଜନା ତୃଣମୂଳସ୍ତରରେ କିପରି କାର୍ଯ୍ୟକାରୀ ହୋଇପାରିବ ସେଥିରେ ଅନୁମୋଦନ ଦେବା, ହିତାଧିକାରୀ ଚିହ୍ନଟ କରିବା, ପଞ୍ଚାୟତସ୍ତରରେ ବଜେଟ ଅନୁମୋଦନରେ ନିଜର ବିଚାର ରଖିବା, ଟିକସ ଲାଗୁ କରିବା ଏବଂ କୃଷି ଉତ୍ପାଦନ ନିମିତ୍ତ ଯୋଜନାର କାର୍ଯ୍ୟକାରିତାରେ ଗଣତନ୍ତ୍ରର ଏହି ତୃଣମୂଳ ସଂସ୍ଥାର ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।
ଆଜିକାଲି ଦେଖାଯାଉଛି ଗ୍ରାମସଭାକୁ ସେତେଟା ଗୁରୁତ୍ବ ଦିଆଯାଉନାହିଁ। ଗ୍ରାମସଭାର ନିଷ୍ପତ୍ତି ଅଧିକାଂଶ କ୍ଷେତ୍ରରେ କାର୍ଯ୍ୟକାରୀ ମଧ୍ୟ ହେଉନାହିଁ। ପଞ୍ଚାୟତର ଅଧିକାଂଶ ସରପଞ୍ଚ ଗ୍ରାମସଭା ଆୟୋଜନ ପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି, ଗ୍ରାମସଭା ଡାକିବା ଉପରେ ମଧ୍ୟ ଗୁରୁତ୍ବ ଦେଉନାହାନ୍ତି। ଏପରିକି ଉପର ସ୍ତରରେ ଗ୍ରାମସଭାରେ ନିଆଯାଉଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବା ପରିବର୍ତ୍ତେ ତାହାକୁ ବଦଳାଇ ଦିଆଯାଉଛି। ଏହାଦ୍ବାରା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଖୋଲା ଉଲ୍ଲଙ୍ଘନ କରାଯାଉଛି।
୭୩ତମ ସମ୍ବିଧାନ ସଂଶୋଧନ ଆଇନର ବୈଶିଷ୍ଟ୍ୟ ଭିତରେ ରହିଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଗଠନ। ଏଥିରେ ଜନସଂଖ୍ୟା ଅନୁପାତରେ ତଫସିଲଭୁକ୍ତ ଜନଜାତି, ଜାତି ଏବଂ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ଗ୍ରାମସଭାକୁ ଅର୍ଥନୈତିକ ବିକାଶ ଓ ସାମାଜିକ ନ୍ୟାୟ ବାବଦରେ ସାମ୍ବିଧାନିକ ଦାୟିତ୍ବ ପ୍ରଦାନ କରାଯାଇଛି। ଏଥିରେ ପଞ୍ଚାୟତ ପାଇଁ ପ୍ରତି ୫ବର୍ଷରେ ନିର୍ବାଚନର ବ୍ୟବସ୍ଥା ରହିଛି ଏବଂ ପଞ୍ଚାୟତ ଭାଙ୍ଗିଲେ ୬ମାସ ମଧ୍ୟାରେ ନିର୍ବାଚନ କରାଇବାର ବିଧି ରହିଛି। ପଞ୍ଚାୟତିରାଜକୁ ୨୯ଟି ବିଷୟରେ କ୍ଷମତା ହସ୍ତାନ୍ତର କରାଯାଇଛି।
ପ୍ରତି ୫ ବର୍ଷରେ ରାଜ୍ୟ ଅର୍ଥ ଆୟୋଗ ଗଠନ ସହିତ ରାଜ୍ୟ ନିର୍ବାଚନ ଆୟୋଗର ଗଠନ ପାଇଁ ବିଧି ବ୍ୟବସ୍ଥା ସ୍ଥିର ହୋଇଛି। ସେହିପରି ୭୪ତମ ସମ୍ବିଧାନ ସଂଶୋଧନ ଆଇନ ୧୯୯୨ରେ ଜିଲାସ୍ତରରେ ଯୋଜନା କମିଟି ଗଠନ କରାଯିବାର ବ୍ୟବସ୍ଥା ରହିଛି। ସାମଗ୍ରିକ ଭାବେ ଜିଲା ପାଇଁ ଉନ୍ନୟନ ଯୋଜନା ପ୍ରସ୍ତୁତି ପାଇଁ ନିୟମାବଳି ଜାରି ହୋଇଛି ଏବଂ ଏସବୁ ଯୋଜନା ପଞ୍ଚାୟତ ଏବଂ ପୌରପାଳିକା ଦ୍ବାରା ସ୍ଥିରୀକୃତ ପାଇଁ ଧାର୍ଯ୍ୟ ହୋଇଛି।
ସଂକ୍ଷେପରେ ଓଡ଼ିଶା ପଞ୍ଚାୟତିରାଜ ବ୍ୟବସ୍ଥା
ଗ୍ରାମ ସଂଖ୍ୟା -୫୩୮୪୫,
ଗ୍ରାମ ପଞ୍ଚାୟତ- ୬୭୯୮,
ପଞ୍ଚାୟତ ସମିତି- ୩୧୪,
ଜିଲା ପରିଷଦ – ୩୦
ମୋଟ ନିର୍ବାଚିତ ଲୋକ ପ୍ରତିନିଧି – ୧୦୬୪୮୭
ପଞ୍ଚାୟତ ବିକାଶ ପାଇଁ ପାଣ୍ଠିର ଉତ୍ସ
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଆଇନ (ମନରେଗା)
ଜାତୀୟ ଗ୍ରାମୀଣ ଜୀବିକା ମିଶନ
ଗ୍ରାମାଞ୍ଚଳ ଗୃହ ନିର୍ମାଣ (ରୁରାଲ ହାଉସିଂ) ଅନୁଦାନ,
ନିଜସ୍ବ ଆୟ
Comments are closed.