ଓଡ଼ିଶାକୁ ସମୃଦ୍ଧ ଉତ୍କଳରେ ରୂପାନ୍ତରିତ କରାଯାଉ
ସୁଧାଂଶୁ ରଞ୍ଜନ ଦାସ
ଓଡ଼ିଶା ପର୍ଯ୍ୟଟନ ଓ ଫିକି ଦ୍ୱାରା ଆୟୋଜିତ “କାଲିଫର୍ଣ୍ଣିଆ ଓଡ଼ିଶା ରୂପାନ୍ତରଣ ଉତ୍ସବ” ଭୁବନେଶ୍ୱରରେ ବୁଦ୍ଧିଜୀବୀ, ପୁଞ୍ଜିନିବେଶକାରୀ ଓ ଉଦ୍ୟୋଗପତିମାନଙ୍କ ଗହଣରେ ସମାପନ ହୋଇଛି । ବିଦେଶୀ ପୁଞ୍ଜି ନିବେଶ ଦ୍ୱାରା ଆଇ ଟି, ସେମିକଣ୍ଡକ୍ଟର, ଶିଳ୍ପ ଓ ସେବାକ୍ଷେତ୍ରରେ ବିକାଶ ହେଲେ ଓଡିଶା କିଭଳି କାଲିଫର୍ଣ୍ଣିଆରେ ରୂପାନ୍ତରିତ ହେବ ଏହାର ରୋଡ଼ ମ୍ୟାପ ଏହି ଉତ୍ସବରେ ପ୍ରସ୍ତୁତ କରାଯାଇଥିଲା । ଯଦିଓ ଓଡ଼ିଶାର ଅଧିକାଂଶ ଲୋକ କାଲିଫର୍ଣ୍ଣିଆର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଚିତ୍ର ବିଷୟରେ ଅବଗତ ନୁହନ୍ତି, ଓଡିଶା କାଲିଫର୍ଣ୍ଣିଆରେ ରୂପାନ୍ତରିତ ହେବା କଥା ଓଡ଼ିଶାର ଶିକ୍ଷିତ ଯୁବପିଢି । ବୁଦ୍ଧିଜୀବୀମାନଙ୍କ ମନରେ ଜିଜ୍ଞାସା ସୃଷ୍ଟି କରିଛି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ଦର୍ଶାଯାଇଛି କାଲିଫର୍ଣ୍ଣିଆରେ ବାସଗୃହର ମୂଲ୍ୟ ଏତେ ଆକାଶଛୁଆଁ ହୋଇଛି ଯେ ଖୁବ୍ କମଲୋକ ସେଠାରେ ଘର କିଣିବାକୁ ସାହସ କରୁଛନ୍ତି । ରାସ୍ତାରେ ପ୍ରବଳ ଟ୍ରାଫିକ ଭିଡ ଯୋଗୁଁ ସେଠାରେ ଗାଡି ଚଳାଇବା କଷ୍ଟକର ହୋଇପଡିଛି । ଗ୍ରୀନ ହାଉସ ଏମିସନ ଏତେ ଅଧିକ ଯେ ସରକାର ଏହାକୁ କମାଇବାକୁ ଯାଇ ଲୋକଙ୍କଠାରୁ ଅଧିକ ଟାକ୍ସ ଆଦାୟ କରୁଛନ୍ତି । ବରିଷ୍ଠ ନାଗରିକଙ୍କୁ ପେନ୍ସନ ଦେବାପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ । କାଲିଫର୍ଣ୍ଣିଆରେ ବାସହୀନ ଲୋକଙ୍କ ସଂଖ୍ୟା ୧୪% ହାରରେ ବଢି ଚାଲିଛି । ବାସହୀନ ଲୋକଙ୍କ ଭିତରୁ ୬୮% ଲୋକ ଖୋଲା ଆକାଶ ତଳେ ଶୋଉଛନ୍ତି । କାଲିଫର୍ଣ୍ଣିଆ ଅର୍ଥନୀତି ଆଗକୁ ଆହୁରି ଦୁର୍ବଳ ହେବ ବୋଲି କେତେକ ଅର୍ଥନୀତିଜ୍ଞ ମତ ଦେଇଛନ୍ତି । ଦୂର ପାହାଡ଼, ଦୂର ରାଜ୍ୟ ଓ ଦୂର ଦେଶ ସବୁବେଳେ ସୁନ୍ଦର ଦେଖାଯାଏ । ପାଖକୁ ଆସିଲେ ଏହା କୁହେଳିକା ଭଳି ଲାଗେ । କିଛି ଦିନ ତଳେ ତେଲେଙ୍ଗାନା ସରକାର ହାଇଦରାବାଦକୁ ସିଙ୍ଗାପୁରରେ ପରିଣତ କରିବା ପାଇଁ ମଧ୍ୟ କହୁଥିଲେ । ଆଜି ହାଇଦରାବାଦର ଅଳ୍ପ କେତୋଟି ଅଞ୍ଚଳ ଛାଡିଦେଲେ ବାକି ସବୁ ଅଞ୍ଚଳ ଚାରିଦିନ ବର୍ଷା ହେଲେ ପାଣିଘେରରେ ରହୁଛି। ଶହ ଶହ ହ୍ରଦ, ପାହାଡ଼ ଓ ଅଙ୍ଗୁର ବଗିଚା କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି । ଯେଉଁ କେତୋଟି ହ୍ରଦ ବଞ୍ଚିଛି ସେଗୁଡିକ ଆଜି ପ୍ରଦୂଷିତ ହୋଇଯାଇଛି । ବର୍ଷାଜଳ ନିଷ୍କାସନ ପାଇଁ ବାଟ ନାହିଁ । ଐତିହାସିକ ମୂଷୀ ନଦୀ ନର୍ଦମାରେ ପରିଣତ ହୋଇଛି । ଭୂତଳ ଜଳସ୍ତର ଶୁଖି କାଠ ହୋଇଗଲାଣି । ସାମାନ୍ୟ କେତୋଟି ରାସ୍ତା ଛାଡି ହାଇଦରାବାଦର ଅନ୍ୟ ସମସ୍ତ ରାସ୍ତା ଖାଲ ଢିପରେ ପରିପୂର୍ଣ୍ଣ ହୋଇଛି । ଆଜି ହ୍ରଦର ନଗରୀ ହାଇଦରାବାଦରେ ଲୋକେ ପାଣି ପାଇଁ ପ୍ରତି ମାସରେ ହାରାହାରି ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଜି ଚେନ୍ନାଇ, ହାଇଦରାବାଦ, ମୁମ୍ବଇ, ବେଙ୍ଗାଲୁରୁ, ଦିଲ୍ଲୀ ଓ କଲକାତା ମନୁଷ୍ୟ ରହିବା ଉପଯୋଗୀ ନାହିଁ । ଏହି ସବୁ ସହରଗୁଡିକରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ମାନରେ ହ୍ରାସ ହେବା ସଂଗେ ସଂଗେ ଏହି ସେବାଗୁଡିକର ଦ୍ରୁତ ବ୍ୟବସାୟୀକରଣ ହୋଇଛି । ଶିକ୍ଷିତ ଯୁବପିଢ଼ି ବେରୋଜଗାରରୁ ତ୍ରାହି ପାଇବା ପାଇଁ ବାଧ୍ୟହୋଇ ବଡ ବଡ ସହରକୁ ଧାଇଁଛନ୍ତି । ଓଡ଼ିଶାରେ ଇଞ୍ଜିନିଅରିଂ କଲେଜଗୁଡିକର ସଂଖ୍ୟା ବୃଦ୍ଧି ହେବା ଦ୍ୱାରା ଆଇଟି ଓ ଶିଳ୍ପ ଉଦ୍ୟୋଗ ପାଇଁ ଯଦିଓ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି, ଆଇ ଟି ଓ ଶିଳ୍ପ କ୍ଷେତ୍ରରେ ରୋବଟ, ଅଟୋମେସନ ଓ କୃତ୍ରିମ ବୁଦ୍ଧିର ପ୍ରଚଳନ ହେବା ଦ୍ୱାରା ଏହା ଆଗଭଳି ଅଧିକ ରୋଜଗାର ସୃଷ୍ଟି କରୁନାହିଁ । ଅନେକ ଆଇଟି କମ୍ପାନୀ କ୍ୟାମ୍ପସ୍ ନିଯୁକ୍ତି କମ କରିଦେଲେଣି । ଏ ପରିସ୍ଥିତିରେ ଓଡ଼ିଶା ତାହାର ବିଭିନ୍ନ ଆର୍ଥିକ କ୍ଷେତ୍ର, ଫସଲ ବିବିଧତା, ଓଡ଼ିଆ ଲୋକଙ୍କ ଭିତରେ ଥିବା ଜ୍ଞାନ, ମେଧା ଶକ୍ତି, ସୃଜନଶିଳତା, କୌଶଳ ଓ ପ୍ରାକୃତିକ ସମ୍ପଦଗୁଡିକର ସମନ୍ବୟରେ ଆର୍ଥିକ ବିକାଶ କରିବା ଉଚିତ । ପ୍ରକୃତି ସହିତ ସନ୍ତୁଳନ ରକ୍ଷା କରି ବିକାଶ କରିବା ଆଜି ରାଜ୍ୟପାଇଁ ବହୁତ ବଡ ଆହ୍ୱାନ । ଏକ ବିକଶିତ ରାଜ୍ୟ ହେବାପାଇଁ ଓଡ଼ିଶାରେ ଅନେକ ସମ୍ଭାବନା ଅଛି ଯାହା ଅନ୍ୟ ରାଜ୍ୟକୁ ପ୍ରେରଣା ଦେବ । ରାଜ୍ୟର ବିକାଶ ପାଇଁ ସରକାର ଓଡ଼ିଶାକୁ କାଲିଫର୍ଣ୍ଣିଆ ରୂପାନ୍ତରିତ ନକରି ଓଡ଼ିଶାକୁ ସମୃଦ୍ଧ ଉତ୍କଳରେ ପରିବର୍ତ୍ତନ କରିବା ପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ ।
ଉତ୍କଳର କୃଷି, ନୌ-ବାଣିଜ୍ୟ, ହସ୍ତକଳା, କୁଟୀରଶିଳ୍ପ ଓ ସାମରିକ ଶକ୍ତି ଉତ୍କଳକୁ ଦିନେ ବିକାଶର ଶିଖରରେ ପହଞ୍ଚାଇଥିଲା। ଏସିଆର ବିଭିନ୍ନ ଦେଶରେ ଥିବା ଉତ୍କଳୀୟ ସଂସ୍କୃତିର ଚିହ୍ନ ଓ ଓଡ଼ିଶାର ବିଶାଳ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରଗୁଡିକ ଉତ୍କଳର ଏହି ଗରିମାମୟ ଇତିହାସର ମୂକସାକ୍ଷୀ ଭାବେ ଏବେ ବି ବିଦ୍ୟମାନ ଅଛି। ଦୁଃଖର କଥା ଗବେଷଣାର ଅଭାବରୁ ଓଡ଼ିଶାର ଗୌରେବାଳ ଇତିହାସ ମହାଭାରତ ଯୁଗରୁ ୧୫୦୦ ଶତାବ୍ଦୀ ପର୍ଯ୍ୟନ୍ତ ଅଜି ମଧ୍ୟ କୁହେଳିକା ଭିତରେ ଅଛି। ଓଡ଼ିଶାର ପ୍ରାଚୁର୍ଯ୍ୟ ଓ କଳିଙ୍ଗ ସାଗର(ଆଜିର ବଙ୍ଗୋପ ସାଗର) ଦେଇ ହେଉଥିବା ନୌବାଣିଜ୍ୟ ଉପରେ ଓଡ଼ିଶାର ସମ୍ପୂର୍ଣ୍ଣ ଆଧିପତ୍ୟ ୨୬୨ BCE ରେ ସମ୍ରାଟ ଅଶୋକଙ୍କୁ କଳିଙ୍ଗ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲା ଓ ସମ୍ରାଟ ଅଶୋକଙ୍କ ଏହି ଦୁଃସାହସ ପାଇଁ ମଗଧ ଓ କଳିଙ୍ଗର ସେନାଶକ୍ତି ନଷ୍ଟ ହୋଇଯାଇଥିଲା। ଶିଳାଲିପି ଅନୁସାରେ କଳିଙ୍ଗର ଏକ ଲକ୍ଷ ଏବଂ ମଗଧର ଏକ ଲକ୍ଷ ସୈନ୍ୟଙ୍କର କଳିଙ୍ଗ ଯୁଦ୍ଧରେ ମୃତ୍ୟୁ ହୋଇଥିଲା। ଏହି ଯୁଦ୍ଧରେ ଭାରତର ଦୁଇଟି ବିକଶିତ ରାଜ୍ୟ ତାହାର ସାମରିକ ଶକ୍ତିକୁ ହରାଇ ବସିଲା ଓ ଭାରତକୁ ପରବର୍ତ୍ତୀ କାଳରେ ବାହ୍ୟଶତ୍ରୁ ଆକ୍ରମଣପାଇଁ ରାସ୍ତା ପ୍ରଶସ୍ତ କରିଦେଲା। ସମ୍ରାଟ ଅଶୋକ ରାଜଧର୍ମରେ ମନ ନଲଗାଇ ବୌଦ୍ଧ ଧର୍ମ ପ୍ରଚାରରେ ସମୟ ଅତିବାହିତ କଲେ। ଅଶୋକଙ୍କ ପରେ ଓଡ଼ିଶା ତାହାର ସ୍ୱାଧୀନତା, ସାଂସ୍କୃତିକ ପରିବେଶ, ଆର୍ଥିକ, ସାମରିକ ଓ ଆଧ୍ୟାତ୍ମିକ ଶକ୍ତିକୁ ୧୫୦୦ ଶତାବ୍ଦୀ ଯାଏ ଅତୁଟ ରଖିଥିଲା। ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶା ତାହାର ଐତିହାସିକ ପୁଞ୍ଜିକୁ ସଂରକ୍ଷଣ କରିବା ପରିବର୍ତ୍ତେ ସମୟ ଗର୍ଭରେ ଲୀନ ହେବାକୁ ଦେଇଥିଲା। ଫଳରେ ଓଡ଼ିଶାରେ ଆତ୍ମଅଭିମାନ ଶୂନ୍ୟ ଅନେକ ଯୁବପିଢି ସୃଷ୍ଟିହେଲେ ଯାହାର ଫାଇଦା ବାହାର ରାଜ୍ୟର ଲୋକ ଉଠାଇଲେ। ଆଜି ଓଡ଼ିଆ ଭାଷା ସଂସ୍କୃତି ଅନେକ ଜିଲାରେ ଲୋପ ପାଇବାକୁ ବସିଛି ଅଥବା ବିକୃତ ହୋଇଯାଇଛି।
ବିକଶିତ ଦେଶ ଜର୍ମାନ, ଇଂଲାଣ୍ଡ ଓ ଫ୍ରାନ୍ସ ଇତ୍ୟାଦି ସେମାନଙ୍କ ଇତିହାସ ସାଙ୍ଗରେ ଜଡିତ ସାମାନ୍ୟ ପଥର ଖଣ୍ଡକୁ ମଧ୍ୟ ଯୁବପିଢିଙ୍କ ପାଇଁ ସାଇତି ରଖିଛନ୍ତି। ଯୁବପିଢିଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଓଡ଼ିଶା ପ୍ରଥମେ ସମସ୍ତ ଐତିହାସିକ ସ୍ଥାନ, ଉଦାହରଣ ସ୍ୱରୂପ ଦୟା ନଦୀର ତଟ ଯୋଉଠି କଳିଙ୍ଗ ଯୁଦ୍ଧ ହୋଇଥିଲା, କଟକର ବାରବାଟୀ ଦୁର୍ଗ, ବାଲିଯାତ୍ରା ପଡିଆ, ପୁରୀର ପୁରାତନ ମଠ ଓ ମନ୍ଦିର, ଉତ୍କଳର ନୌ ବାଣିଜ୍ୟ ସାଙ୍ଗରେ ସମ୍ପୃକ୍ତ ବନ୍ଦର। ସ୍ୱାଧୀନତା ସଂଗ୍ରାମ ସାଙ୍ଗରେ ଜଡିତ ସ୍ଥାନଗୁଡିକୁ ଚିହ୍ନଟ କରି ଏହାର ସଂରକ୍ଷଣ କରିବା ନିହାତି ଦରକାର। ଓଡ଼ିଶାର ସମସ୍ତ ଐତିହାସିକ ଓ ସାଂସ୍କୃତିକ ସ୍ଥାନଗୁଡିକୁ ନୂତନ କଂକ୍ରିଟ ଢ଼ାଞ୍ଚାରୁ ମୁକ୍ତ ରଖିବା ଉଚିତ। ପୁରାତନ କୀର୍ତ୍ତିରାଜିଗୁଡିକୁ ଅଭିଜ୍ଞ ଶିଳ୍ପୀଙ୍କଦ୍ୱାରା ମରାମତି କରାଯାଇ ପୂର୍ବ ଅବସ୍ଥାକୁ ଫେରାଇ ଆଣିଲେ ଏହାର ଐତିହାସିକ ମହତ୍ତ୍ବ ବଞ୍ଚି ରହିବ ଓ ଏହା ଓଡ଼ିଆ ଯୁବପିଢିଙ୍କ ଭିତରେ ସ୍ୱାଭିମାନ ସୃଷ୍ଟି କରିବ। ସ୍ୱାଭିମାନ ହିଁ ସମୃଦ୍ଧିର ପ୍ରଥମ ପାହାଚ। ଓଡ଼ିଶାରେ ମାନବ ବିକାଶର ନିହାତି ଆବଶ୍ୟକତା ଅଛି। ମାନବ ବିକାଶର ଅର୍ଥ ନୁହେଁ ଜିନ, ଟି ଶାର୍ଟ, କୋଟ, ପ୍ୟାଣ୍ଟ, ଟାଇ ଓ ବୁଟ ପିନ୍ଧି ଇଂରାଜୀରେ ଦିଶାହୀନ ଭାବରେ ଫଁ ଫାଁ କରିବା । ଓଡ଼ିଆ ବୋଲି ସ୍ୱାଭିମାନ, ଆତ୍ମବିଶ୍ୱାସ, ନିଷ୍ଠା, ସଚ୍ଚୋଟତା, ଶାରୀରିକ ଶକ୍ତି, ଦୟା, ସାହସ, ଦକ୍ଷତା ଓ ବୌଦ୍ଧିକ ବିକାଶ ଇତ୍ୟାଦି ଗୁଣ ଓଡ଼ିଶାର ପୁନଃ ନିର୍ମାଣରେ ସହାୟକ ହେବ। ଯଦିଓ ଓଡ଼ିଶାରେ ତାମିଲନାଡୁ ଓ ମହାରାଷ୍ଟ୍ର ଭଳି ଜାତିଆଣ ଭାବ ନାହିଁ, ଓଡ଼ିଆମାନଙ୍କ ଭିତରେ ଈର୍ଷା, ପରଶ୍ରୀକାତରତା, କଙ୍କଡା ପ୍ରବୃତ୍ତି, ଏକତାର ଅଭାବ, ଉଚିତ ମାର୍ଗ ଦର୍ଶନର ଅଭାବ, ବଳିଷ୍ଠ ନେତୃତ୍ୱର ଅଭାବ, ଉଦ୍ୟୋଗୀ ମନବୃତ୍ତିର ଅଭାବ, ତୃଣମୂଳ ଜ୍ଞାନର ଅଭାବ, ଶିକ୍ଷିତ ଲୋକଙ୍କର ସମାଜ ପ୍ରତି ଉଦାସୀନ ଭାବ, ସାହରାଭିମୁଖୀ ଶିକ୍ଷା, ଶିକ୍ଷିତ ଯୁବପିଢିଙ୍କ ଭିତରେ ଅନୁଶାସନର ଅଭାବ, ପାଶ୍ଚାତ୍ୟ ସଭ୍ୟତାରକୁ ପ୍ରଭାବ, ଲୋକଦେଖାଣିଆ ଖର୍ଚ୍ଚ, ଟଙ୍କିକିଆ ଚାଉଳର କୁପ୍ରଭାବ ଓ ଷ୍ଟାଟସ ସିମ୍ବଲ ପଛରେ ଅନ୍ଧ ହୋଇ ଧାଇଁବା ଇତ୍ୟାଦି ଆଜି ବୀର ଓ କର୍ମଠ ଓଡ଼ିଆ ଜାତିକୁ ରସାତଳଗାମୀ କରିଦେଇଛି। ସରକାର, ଜନସାଧାରଣ, ବୁଦ୍ଧିଜୀବୀ, ଯୁବପିଢି, ଗଣମାଧ୍ୟମ, ସମାଜସେବୀ ଓ ଧର୍ମ ଅନୁଷ୍ଠାନ ଇତ୍ୟାଦି ରାଜ୍ୟରେ ପ୍ରକୃତ ମାନବ ବିକାଶ ପାଇଁ ଉତ୍ତମ ମାନର ସ୍କୁଲ ଶିକ୍ଷା, ସାର୍ବଜନିକ ଖେଳ ପଡିଆ, ପାଠାଗାର, ଗବେଷଣା ପାଇଁ ଅନୁକୂଳ ବାତାବରଣ ଓ ଖେଳ ସଂସ୍କୃତିର ବିକାଶ କରିବା ସଂଗେ ସଂଗେ ରାଜ୍ୟରେ ଏକ ସୁସ୍ଥ ଓ ସାମାଜିକ ପରିବେଶ ସୃଷ୍ଟି କରିବା ଉଚିତ। ଯଦିଓ ଓଡ଼ିଶାର ସ୍କୁଲ ଶିକ୍ଷାର ଗୁଣାତ୍ମକ ମାନ ଭାରତର ଅଧିକାଂଶ ରାଜ୍ୟ ତୁଳନାରେ ଅଧିକ ବୋଲି ଜଣପଡେ, ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ସ୍କୁଲ ନଥିବାରୁ ଓଡ଼ିଶାର ଯୁବପିଢ଼ି ଗୁଣାତ୍ମକ ସ୍କୁଲ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶାପ୍ରେମୀ ଏହି ପୁଞ୍ଜି ନିବେଶକମାନେ ଓଡ଼ିଶାରେ ପିଲାମାନେ କମ ଖର୍ଚ୍ଚରେ କିଭଳି ଉତ୍ତମ ଶିକ୍ଷା ପାଇବେ ସେଥିପାଇଁ ସ୍କୁଲ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ନିବେଶ କରିବା ଉଚିତ। ଉତ୍ତମ ମାନର ସ୍କୁଲ ଶିକ୍ଷା ଯୁବପିଢିଙ୍କୁ ରୋଜଗାରକ୍ଷମ କରିବ। ଯେଉଁ ପିଲା ଦ୍ୱାଦଶ ଶ୍ରେଣୀ ଯାଏ ଉତ୍ତମ ସ୍କୁଲ ଶିକ୍ଷା ପାଇଥିବ ସେ ଜୀବନରେ କେବେ ହାରିବ ନାହିଁ। ଘୋଷା ବଳଦିଆ ପାଠ କେବେ ପିଲାମାନଙ୍କୁ ଆତ୍ମ ନିର୍ଭର କରେନାହିଁ । ରାଜ୍ୟରେ ବି.ଏଡ୍ ଶିକ୍ଷା ଦେବାପାଇଁ ଅଧିକ କଲେଜର ବ୍ୟବସ୍ଥା ହେବା ଉଚିତ। ସ୍କୁଲ ଶିକ୍ଷାର ଗୁଣାତ୍ମକ ମାନରେ ଉର୍ନ୍ନତି କରିବାପାଇଁ ସରକାର ସ୍କୁଲ ଘର ବନାଇବା ସଂଗେ ସଂଗେ ସ୍କୁଲ ଶିକ୍ଷକମାନଙ୍କ ପାଇଁ ଦରମା ଓ ପେନ୍ସନ ସୁବିଧାରେ ବୃଦ୍ଧି କଲେ ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀ ଶିକ୍ଷକ ଚାକିରି କରିବା ପାଇଁ ଉତ୍ସାହିତ ହେବେ।
ଆଜି ଭୁବନେଶ୍ୱର ଓ କଟକକୁ ଛାଡିଦେଲେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହେଲାପରି ଲାଗେ। ଅଧିକାଂଶ ଘରୋଇ ହସ୍ପିଟାଲ ଓ ଡାକ୍ତରମାନଙ୍କର ସେବା ମନୋବୃତ୍ତି ନଥିବାରୁ ସାଧାରଣ ଲୋକ ସ୍ୱାସ୍ଥ୍ୟସେବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବା ଦେଖିବାକୁ ମିଳୁଛି। ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେ ରିପୋର୍ଟରୁ ଜଣାପଡିଛି ଦେଶ ତୁଳନାରେ ଓଡ଼ିଶାର ନାଗରିକ ବେଶୀ ରୋଗଗ୍ରସ୍ତ। ଭେଜାଲ ଖାଦ୍ୟ, ଜଳ ଓ ବାୟୁ ପ୍ରଦୂଷଣ, ତାପମାତ୍ରାରେ ବୃଦ୍ଧି, ଜଙ୍ଗଲ ଅବକ୍ଷୟ ମଦ୍ୟପାନରେବୃଦ୍ଧି, ଶାରୀରିକ ବିକାଶ ପାଇଁ ସାର୍ବଜନିକ ଖେଳ ପଡ଼ିଆର ଅଭାବ, ଫାଷ୍ଟ ଫୁଡର ଲୋକପ୍ରିୟତା, ଅନୁଶାସନର ଅଭାବ, ଆଳସ୍ୟ ଓ ଜୀବନ ଶୈଳୀରେ ପରିବର୍ତ୍ତନ ଇତ୍ୟାଦି ଓଡ଼ିଶାରେ ଲୋକଙ୍କ ସ୍ୱାସ୍ଥ୍ୟର ଅବନତି ପାଇଁ ଦାୟୀ। ଲୋକଙ୍କ ସମସ୍ୟା ଉପରେ ତୃଣମୂଳ ଜ୍ଞାନଥିବା ଦୃଢ଼ମନା ଓ ସାହସୀ ନେତା ଯୁବପିଢିଙ୍କ ଭିତରୁ ତିଆରି ହେବା ଉଚିତ। ଓଡ଼ିଶାର ଦ୍ରୁତ ଆର୍ଥିକ ବିକାଶ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଓ ମାନସିକତାର ଗୁଣାତ୍ମକ ପରିବର୍ତ୍ତନ ଉପରେ ନିର୍ଭର କରେ। ଶୌର୍ଯ୍ୟ, ବୀର୍ଯ୍ୟ ଓ ପରାକ୍ରମ ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ଏହି ଉତ୍କଳୀୟମାନଙ୍କୁ ପୁନର୍ଜିବିତ କରିବା ପାଇଁ ସମାଜର ପ୍ରତି ସ୍ତରରେ ବଳିଷ୍ଠ ନେତୃତ୍ବର ଆବଶ୍ୟକତା ଅଛି।
Comments are closed.