ଚେତନା: ଏକ ଅସମାହିତ କଠିନ ସମସ୍ୟା
ଦୁର୍ଗାପ୍ରସାଦ ଆଚାର୍ଯ୍ୟ
୧୯୯୮ ମସିହାରେ ଆସୋସିଏସନ୍ ଫର୍ ଦି ସାଇଣ୍ଟିଫିକ୍ ଷ୍ଟଡ଼ି ଅଫ୍ କନ୍ସସ୍ନେସ୍ (ଏଏସ୍ଏସ୍ସି)ର ଏକ ସମ୍ମିଳନୀରେ ସ୍ନାୟୁବିଜ୍ଞାନୀ(ନ୍ୟୁରୋସାଇଣ୍ଟିଷ୍ଟ)କ୍ରିଷ୍ଟୋଫ୍ କୋକ୍ ବିଜ୍ଞାନୀ ଦାର୍ଶନିକ ଡେଭିଡ଼୍ ଚାମଜ୍ଙ୍କ ସହ ଗୋଟିଏ ବାଜି ଲଗାଇଥିଲେ। କଗ୍ନିଟିଭ୍ ବା ସଜ୍ଞାନାତ୍ମକ ବିଜ୍ଞାନରେ ଗଭୀର ରୁଚି ରଖିଥିବା କୋକ୍ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ଖୁବ୍ ଶୀଘ୍ର ନ୍ୟୁରୋସାଇନ୍ସ ଚଳାଇଥିବା ପରୀକ୍ଷା ନିରୀକ୍ଷାରୁ ସ୍ପଷ୍ଟ ହୋଇଯିବ ଯେ ଚେତନା ବା ଆତ୍ମାନୁଭୂତି ଓ ସେଥିରୁ ସୃଷ୍ଟି ହେଉଥିବା ‘ମୁଁତ୍ୱ’ ଭାବ, ମମତ୍ୱବୋଧ ମୂଳରେ ରହିଛି ମଣିଷର ମସ୍ତିଷ୍କରେ ଥିବା କୋଟି କୋଟି ନିଉରନ ମଧ୍ୟରେ ନିରବଚ୍ଛିନ୍ନ ଭାବେ ଚାଲିଥିବା ପାରସ୍ପରିକ କ୍ରିୟା ପ୍ରତିକ୍ରିୟା। ସେ ବିଶ୍ୱାସ କରୁଥିଲେ ଯେ କନ୍ସସ୍ନେସ୍ ବ୍ୟାପାରଟି ସମ୍ପୂର୍ଣ୍ଣ ଏକ ଭୌତିକ ବ୍ୟାପାର ଓ ସେଥିପାଇଁ ଏହା ମିଜରେବଲ୍ ବା ପରିମାପ ଯୋଗ୍ୟ; କିନ୍ତୁ ବିଜ୍ଞାନୀ-ଦାର୍ଶନିକ ଚାମଜ୍, ଯିଏ ବହୁ ପୂର୍ବରୁ କନ୍ସସ୍ନେସ୍କୁ ଏକ କଠିନତମ ସମସ୍ୟା ବୋଲି କହି ପଦାର୍ଥ ବିଜ୍ଞାନୀମାନଙ୍କୁ ସତର୍କ କରାଇ ଦେଇଥିଲେ, ସିଏ କୋକ୍ଙ୍କ ସହ ଏକମତ ହୋଇ ନଥିଲେ। ତେଣୁ, କୋକ୍ ଯେତେବେଳେ ୧୯୯୮ ମସିହାର ସେ ସମ୍ମିଳନୀରେ କହିଲେ ଯେ ଆଉ ମାତ୍ର ୨୫ ବର୍ଷ ପରେ ବିଜ୍ଞାନ ନିଉରନ୍ମାନଙ୍କ ପାରସ୍ପରିକ ସମ୍ବନ୍ଧ ଓ କ୍ରିୟା ପ୍ରତିକ୍ରିୟାରୁ କିପରି ଚେତନା ତଥା ବ୍ୟକ୍ତିକୈନ୍ଦ୍ରିକ ଅନୁଭୂତି ସୃଷ୍ଟି ହୁଏ ତାହା ପ୍ରମାଣିତ କରିଦେବ, ଡେଭିଡ଼ ଚାମଜ୍ ସ୍ୱାଭାବିକ ଭାବରେ ତାଙ୍କ ସହ ଅସହମତ ହେଲେ। ଜିଦ୍ ବଶତଃ ହେଉ ବା ତୁଚ୍ଛା କୌତୁକ ବଶତଃ ହେଉ, କୋକ୍ ସିଧା ସିଧା ବାଜିଟିଏ ଲଗାଇ ଦେଇ ଘୋଷଣା କରିଦେଲେ ଯେ ଯଦି ୨୦୨୩ ମସିହା ସୁଦ୍ଧା ତାଙ୍କ କଥା ସତ୍ୟ ନ ହୁଏ, ତେବେ ସେ ଚାମଜ୍ଙ୍କୁ ଏକ ଦୁର୍ମୂଲ୍ୟ ପଦାର୍ଥ ଦେବେ।
ଏଇ ନିକଟରେ ଖବର ପ୍ରକାଶ ପାଇଛି ଯେ ୨୦୨୩ର ସଦ୍ୟତମ ‘ଏସ୍.ଏସ୍.ଏସ୍.ସି’ ବୈଠକରେ କୋକ୍ ମହାଶୟ ତାଙ୍କ ବାଜିଟି ହାରିଯାଇ ଡେଭିଡ଼ ଚାମଜଙ୍କୁ ଅଗତ୍ୟା ଏକ ଦୁର୍ମୂଲ୍ୟ ପଦାର୍ଥ ପ୍ରଦାନ କରିଛନ୍ତି। ତେବେ, ମଜାର କଥା ହେଉଛି, କୋକ୍ ଚାମଜ୍ଙ୍କୁ ପୁନଶ୍ଚ ଆହ୍ୱାନ ଦେଲା ଭଳି ସ୍ୱରରେ କହିଛନ୍ତି ଯେ ତାଙ୍କୁ ଆଉ ଗୋଟିଏ ‘୨୫’ ବର୍ଷର ଅବଧି ଦିଆଗଲେ, ଅର୍ଥାତ୍ ୨୦୪୮ ମସିହାରେ ସେ ନ୍ୟୁରୋସାଇନ୍ସ ସୌଜନ୍ୟରୁ ପ୍ରାପ୍ତ ହୋଇଥିବା ତଥ୍ୟ ଉପସ୍ଥାପନ କରି ପ୍ରମାଣିତ କରିଦେବେ ଯେ ଚେତନା ସୃଷ୍ଟି ହୁଏ ମସ୍ତିଷ୍କର ନିଉରନ୍ ନେଟ୍ୱାର୍କରୁ, ଅନ୍ୟଥା ନୁହେଁ। କୋକ୍ଙ୍କ ଏଇ ଅନୁରୋଧ ଅବା ଆହ୍ୱାନକୁ ଚାମଜ୍ ଗ୍ରହଣ କରି କୌତୁକରେ କହିଛନ୍ତି, ‘ଠିକ୍ ଅଛି। ଆହୁରି ୨୫ ବର୍ଷ ଆପଣଙ୍କୁ ଦେଲି; କିନ୍ତୁ ଆପଣଙ୍କ ଜିତାପଟ ଦେଖିବାକୁ ମୁଁ ସେତେବେଳେ ଥିବି କି ନ ଥିବି, କିଏ ଜାଣେ!’
ଅଧ୍ୟାତ୍ମବାଦୀ ଚିନ୍ତକ- ଦାର୍ଶନିକ, ବିଶେଷକରି ଭାରତୀୟ ବେଦାନ୍ତ ଦର୍ଶନର ପ୍ରବକ୍ତାମାନେ କନ୍ସସ୍ନେସ ବା ଚେତନା ଏ ସକଳ ସୃଷ୍ଟିର ମୂଳାଧାର ବୋଲି ସର୍ବଦା କହି ଆସିଛନ୍ତି। ଏଇ ମେଟାଫିଜିକାଲ ବା ଆଧିଭୌତିକ ଅବଧାରଣାକୁ କ୍ୱାଣ୍ଟମ୍ ମେକାନିକ୍ସ ଦ୍ୱାରା ପ୍ରତିଷ୍ଠିତ ଅନିଶ୍ଚିତତା (ଲ’ ଅଫ୍ ଅନ୍ସର୍ଟନଟି)ତତ୍ତ୍ୱ ଓ କଣିକାମାନଙ୍କ ସହବନ୍ଧନ (ଲ’ ଅଫ୍ ଏନ୍ଟାଙ୍ଗଲମେଣ୍ଟ) ତତ୍ତ୍ୱ ସମର୍ଥନ କରୁଛି ବୋଲି ସେମାନେ ଦାବି କରିଥାନ୍ତି। କ୍ୱାଣ୍ଟମ୍ ପାର୍ଟିକଲ୍ ବା କ୍ୱାଣ୍ଟମ୍ କଣିକାର ତରଙ୍ଗ-କଣିକା ଦ୍ୱେତସ୍ଥିତି ଓ ସେଇ ସ୍ଥିତିର ଉଦ୍ଘାଟନରେ ପରିମାପ (ମିଜର୍ମେଣ୍ଟ) ଓ ନିରୀକ୍ଷଣ (ଅବଜରଭେସନ୍)ର ଭୂମିକା ରହିଛି ବୋଲି ଜଣାପଡ଼ିବା ପରେ ଆଧିଭୌତିକତାବାଦୀ ଦାର୍ଶନିକମାନେ ପରମ ଚୈତ୍ୟସତ୍ତା ଦୃଶ୍ୟମାନ ବସ୍ତୁସକଳ ସୃଷ୍ଟି କରିଥାଏ ବୋଲି କହିବା ପାଇଁ ନୂତନ ପ୍ରେରଣା ପାଇଛନ୍ତି। ଅନ୍ୟ ପକ୍ଷରେ, ଅଧିକାଂଶ ଦିଗ୍ଗଜ କ୍ୱାଣ୍ଟମ୍ ପଦାର୍ଥ ବିଜ୍ଞାନୀ କନ୍ସସ୍ନେସ୍ ବା ଚେତନା ପୂରାପୂରି ଏକ ଭୌତିକ ବ୍ୟାପାର ବୋଲି କହିବା ସଙ୍ଗେ ସଙ୍ଗେ ଆଧିଭୌତିକତାବାଦୀ, ଅଧ୍ୟାତ୍ମବାଦୀ ଓ ଈଶ୍ୱରବାଦୀମାନଙ୍କୁ ନିରନ୍ତର ପରିହାସ କରି ଚାଲିଛନ୍ତି। କୋକ୍ଙ୍କ ଭଳି ଅନେକ ସ୍ନାୟୁବିଜ୍ଞାନୀ ଦୃଢ଼ ନିଶ୍ଚିତ ଯେ ମଣିଷର ବ୍ୟକ୍ତିକୈନ୍ଦ୍ରିକ ଅନୁଭୂତି, ଅଭିଜ୍ଞତା ଆଦୌ କୌଣସି ସ୍ୱର୍ଗୀୟ ପରମ ଚୈତ୍ୟସତ୍ତାର ସର୍ବ ବ୍ୟାପକ ଉପସ୍ଥିତ ଯୋଗୁଁ ସୃଷ୍ଟି ହୁଏ ନାହିଁ। ଏହା ସୃଷ୍ଟି କରିଥାଏ ମଣିଷର ମସ୍ତିଷ୍କର ନିଉରନ୍ମାନଙ୍କ ନେଟ୍ୱାର୍କ। ସେମାନେ ଦୃଢ଼ ନିଶ୍ଚିତ ଯେ ନ୍ୟୁରୋସାଇନ୍ସ ଦିନେ ନା ଦିନେ ଚେତନା ସୃଷ୍ଟି ପଛରେ ଥିବା ନିଉରାଲ କୋରିଲେଟସ୍ (ନିଉରନ୍ମାନଙ୍କ ପାରସ୍ପରିକ ସମ୍ବନ୍ଧ) ସମ୍ପର୍କରେ ପ୍ରାମାଣିକ ତଥ୍ୟଗୁଡ଼ିକ ସାର୍ବଜନୀନ କରିଦେବ।
ଡେଭିଡ଼ ଚାମଜ୍ଙ୍କ ସହ ଲଗାଇଥିବା ବାଜିଟି ହାରିଯାଇଥିଲେ ମଧ୍ୟ କୋକ୍ ଆଦୌ ନିରୁତ୍ସାହ ନହୋଇ ଆଉ ଏକ ୨୫ ବର୍ଷର ସମୟ ଅବଧି ମଧ୍ୟରେ, ଅର୍ଥାତ୍ ୨୦୪୮ ମସିହା ସୁଦ୍ଧା ନିଉରନ୍ ଓ ଚେତନା ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଓ ଚାମଜ୍ଙ୍କୁ ଅନୁରୋଧ କରିଛନ୍ତି ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ। ତେବେ, ଜଣାଯାଉଛି ପଦାର୍ଥ ବିଜ୍ଞାନୀ ଓ ଅଧ୍ୟାତ୍ମବାଦୀ ବା ଆଧିଭୌତିକତାବାଦୀଙ୍କର ଏଇ ତର୍କ ବିତର୍କ, ମତମତାନ୍ତର ଅନିର୍ଦ୍ଦିଷ୍ଟ କାଳ ଯାଏ ଚାଲିଥିବ। କୋକ୍ ପୁନଶ୍ଚ ଯେଉଁ ସମୟସୀମା ନିର୍ଦ୍ଧାରଣ କରିଛନ୍ତି ତାହା ଅତିକ୍ରାନ୍ତ ହୋଇଗଲା ପରେ ମଧ୍ୟ କନ୍ସସ୍ନେସ୍ ବ୍ୟାପାରଟି କଠିନତମ ସମସ୍ୟା (ହାର୍ଡ଼ ପ୍ରୋବ୍ଳେମ) ହୋଇ ରହିଥିବ।
ଏଇ ପରିପ୍ରେକ୍ଷୀରେ ଲେଖକର ମନେ ପଡ଼ିଯାଏ ରବି ଠାକୁରଙ୍କ ଏଇ କେତୋଟି ପଂକ୍ତି: ‘ରଥ ବୋଲେ ଆମି ଦେବ / ପଥ ବୋଲେ ଆମି / ମୂର୍ତ୍ତି ବୋଲେ ଆମି ଦେବ / ହାସେ ଅନ୍ତର୍ଯ୍ୟାମୀ’। ପରମ ସତ୍ୟ ବା ପରମ ଚୈତ୍ୟସତ୍ତାର ସତ୍ସ୍ୱରୂପ ଜାଣିବା ପାଇଁ ମଣିଷର ଏଇ ତୀବ୍ର ଅଭୀପ୍ସା ଓ ନିରବଚ୍ଛିନ୍ନ ପ୍ରଚେଷ୍ଟା କେଉଁ ଅଲୌକିକ ଓଷ୍ଠଧାରରେ ସ୍ମିତ ହାସ୍ୟଟିଏ ଯେ ଖେଳାଉ ନଥିବ, କିଏ ଜାଣେ?
Comments are closed.