ଭାରତର ପ୍ରଥମ ସୌର ଅଭିଯାନ – ଆଦିତ୍ୟ
ହିମାଂଶୁ ଶେଖର ଫତେସିଂହ
ନିକଟରେ ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାପରେ ଦେଶବ୍ୟାପୀ ଆନନ୍ଦର ଲହରୀ ଖେଳିଯାଇଛି। ପୃଥିବୀର ଚତୁର୍ଥ ରାଷ୍ଟ୍ରଭାବେ ଭାରତ ଚନ୍ଦ୍ରପୃଷ୍ଠରେ ନିଜର ଯାନ ଅବତରଣ କରାଇବାରେ ସମର୍ଥ ହୋଇଛି। ଏହା ପୂର୍ବରୁ ସୋଭିଏତ ଋଷ୍, ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରାଇବାରେ ସଫଳ ହୋଇଥିଲେ। ତେବେ ସବୁଠାରୁ ଗୌରବର କଥା ହେଉଛି, ଚନ୍ଦ୍ରର ଦକ୍ଷିଣ ମେରୁରେ ଏକ ମହାକାଶ ଯାନ ଅବତରଣ କରାଇବାରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହା ଫଳରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ବିରଳ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ଚନ୍ଦ୍ର ଅଭିଯାନରେ ଭାରତର ବିରଳ ସଫଳତାରେ ଉଲ୍ଲସିତ ଭାରତର ପ୍ରଧାନମନ୍ତ୍ରୀ ଭାରତର ସୂର୍ଯ୍ୟ ଅଭିଯାନ ସମ୍ବନ୍ଧରେ ଘୋଷଣା କରିଛନ୍ତି। ସୂର୍ଯ୍ୟର ପର୍ଯ୍ୟବେକ୍ଷଣ ପାଇଁ ଭାରତ ପ୍ରଥମ ଥର ପାଇଁ ଏକ ମାହାକାଶଯାନ ପ୍ରେରଣକରିବାକୁ ଯୋଜନା କରିଛି। ଏହାର ନାମ ରଖାଯାଇଛି, ଆଦିତ୍ୟ- L1। ସୂର୍ଯ୍ୟର ସଂସ୍କୃତ ଅାଦିତ୍ୟ ହୋଇଥିବାରୁ ତଦନୁଯାୟୀ ଏହାର ଏପରି ନାମକରଣ କରାଯାଇଛି। ପୂର୍ବରୁ ଏହି ଅଭିଯାନର ନାମ ରହିଥିଲା, ଆଦିତ୍ୟ-୧। ଏବେ ଏହାର ନାମକୁ ପରିବର୍ତ୍ତନ କରି ଏପରି ରଖାଯାଇଛି। ଏହା ପୃଥିବୀରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଏକ ନିର୍ଦ୍ଦିଷ୍ଟ ବିନ୍ଦୁକୁ କେନ୍ଦ୍ରକରି ରହିଥିବା ଏକ ଭିନ୍ନ କକ୍ଷରେ ପ୍ରତିଷ୍ଠିତ ହେବ। ଏହି ନିର୍ଦ୍ଦିଷ୍ଟ ବିନ୍ଦୁକୁ କୁହାଯାଏ, ଲାଙ୍ଗ୍ରାଜିଆନ୍ ବିନ୍ଦୁ। ତେଣୁ ଏହାର ନାମକୁ ଆଦିତ୍ୟ- L1 ରଖାଯାଇଛି। ଏହି କକ୍ଷରେ ରହିବା ଫଳରେ ଆଦିତ୍ୟ- L1 ସୂେର୍ଯ୍ୟାପରାଗ ସମୟରେ ମଧ୍ୟ ନିରନ୍ତର ଭାବରେ ସୂର୍ଯ୍ୟର ପର୍ଯ୍ୟବେକ୍ଷଣ କରିପାରିବ। ପ୍ରକ୍ଷେପଣର ୧୦୯ ଦିନ ପରେ ଆଦିତ୍ୟ- L1 ଏହି କକ୍ଷପଥରେ ଅବସ୍ଥାପିତ ହୋଇ ସୂର୍ଯ୍ୟକୁ ପରିକ୍ରମା କରିବ। ଆଗାମୀ ସେପ୍ଟେମ୍ବର ମାସ ୨ ତାରିଖ ଏହାକୁ ସୂର୍ଯ୍ୟ ଅଭିମୁଖେ ପ୍ରେରଣ କରାଯିବାର ଯୋଜନା ରହିଛି।
ଆଦିତ୍ୟ-ଖ୧ ହେଉଛି ପ୍ରଥମ ଭାରତୀୟ ସୌର ଅଭିଯାନ। ଗତ ୨୦୦୮ ମସିହାରେ ୧୧ ବର୍ଷୀୟ ସୌର କଳଙ୍କର ସୌରସର୍ବାଧିକ ଚାଲିଥିବାରୁ ସେହି ସମୟରେ ଏକ ସୌର ଅଭିଯାନ ପ୍ରେରଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଯୋଜନା କରିଥିଲା। ପୂର୍ବରୁ ଏହା ଗୋଟିଏ ମାତ୍ର ଉପକରଣକୁ ବହନ କରି ପୃଥିବୀଠାରୁ ୮୪୦ କି.ମି. ଉଚ୍ଚରେ ଥିବା ନିମ୍ନ କକ୍ଷରେ ପୃଥିବୀକୁ ପରିକ୍ରମା କରିବାକୁ ସ୍ଥିର କରାଯାଇଥିଲା। ମାତ୍ର ଏବେ ଆଦିତ୍ୟ- L1 ର ଓଜନ ରହିବ ୧୪୭୫ କି.ଗ୍ରା. ଓ ଏଥିରେ ୨୪୪ କି.ଗ୍ରା. ଓଜନର ଦୁଇଟି ଉପକରଣ ରହିବ। ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରୋକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ଏକ୍ସଏଲ୍ ରକେଟ ଯୋଗେ ଉତ୍କ୍ଷେପଣ କରାଯିବ। ସୂର୍ଯ୍ୟର କିରୀଟ ମଣ୍ଡଳ ବା କରୋନାକୁ ଅଧ୍ୟୟନ କରିବା ହେଉଛି ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। କିରୀଟ ମଣ୍ଡଳ କିପରି ଉତ୍ତପ୍ତ ହେଉଛି , ଏଥିରେ କିପରି ପରିବର୍ତ୍ତନ ଘଟୁଛି ତାହା ଏହି ଅଭିଯାନ ସୂଚାଇ ଦେବ। ଏହା ବ୍ୟତୀତ ସୂର୍ଯ୍ୟର ଆଲୋକ ମଣ୍ଡଳ ଓ ବର୍ଣ୍ଣମଣ୍ଡଳ ସମ୍ବନ୍ଧରେ ମଧ୍ୟ ଏହି ଅଭିଯାନ ସୂଚନା ଦେବ। ଏହାର କାର୍ଯ୍ୟକାଳ ରହିବ ୫ ବର୍ଷ।
ଏଥିରେ ସର୍ବମୋଟ ୭ ଗୋଟି ଯନ୍ତ୍ରାଂଶ ବ୍ୟବହୃତ ହୋଇଅଛି। ସେଗୁଡ଼ିକ ହେଲା-
୧-ଦୃଶ୍ୟମାନ ବିକିରଣ ଲାଇନ କରୋନାଗ୍ରାଫ (Visible Emission Line Coronagraph-VELC)- ଏହା ସୌର କିରୀଟମଣ୍ଡଳ ବା କରୋନାର ଅଧ୍ୟୟନ କରିବ। ଏହାକୁ ଭାରତୀୟ ଜ୍ୟୋର୍ତିପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରେ ନିର୍ମାଣ କରାଯାଉଛି।
୨- ସୌର ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ (Solar Ultraviolet Imaging Telescope-SUIT)-ଏହା ସୂର୍ଯ୍ୟର ଆଲୋକମଣ୍ଡଳ ଓ ବର୍ଣ୍ଣମଣ୍ଡଳକୁ ନିକଟ ଅତିବାଇଗଣି ରଶ୍ମିରେ ଅଧ୍ୟୟନ କରିବ। ଏହାକୁ ପୁଣେସ୍ଥିତ ଆନ୍ତଃବିଶ୍ୱବିଦ୍ୟାଳୟ ଜ୍ୟୋତିର୍ବିଜ୍ଞାନ ଓ ଜ୍ୟୋତିପଦାର୍ଥବିଜ୍ଞାନ କେନ୍ଦ୍ରରେ ନିର୍ମାଣ କରାଯାଉଛି।
୩-ଆଦିତ୍ୟ ସୌର ପବନ କଣିକା ପରୀକ୍ଷଣ (Aditya Solar wind Particle Experiment-ASPEX) – ଏହାକୁ ସୌରପବନ ଧର୍ମ ଅଧ୍ୟୟନ ଉଦ୍ଦେଶ୍ୟରେ ଅହମଦାବାଦସ୍ଥିତ ଭୌତିକ ବିଜ୍ଞାନ ଗବେଷଣାଗାରରେ ନିର୍ମାଣ କରାଯାଇଛି।
୪- ପ୍ଲାଜମା ବିଶ୍ଳେଷକ ପ୍ୟାକେଜ (Plasma Analyser Package for Aditya-PAPA) -ଏହାକୁ ସୌରପବନର ଉପାଦାନ ଏବଂ ଏହାର ଶକ୍ତିର ବଣ୍ଟନ ଅଧ୍ୟୟନ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି। ଏହା ମହାକାଶ ପଦାର୍ଥବିଜ୍ଞାନ ଗବେଷଣାଗାରରେ ନିର୍ମିତ ହେଉଛି।
୫-ନିମ୍ନ ଶକ୍ତି ସମ୍ପନ୍ନ ସୌର ଢ-ରଶ୍ମି ବର୍ଣ୍ଣାଳୀବୀକ୍ଷଣ (Solar Low Energy X-ray Spectrometer -SoLEXS) – ଏହାକୁ ସୌର କିରୀଟମଣ୍ଡଳ ବା କରୋନାର ଅଧ୍ୟୟନ କରିବା ଉଦ୍ଦେଶ୍ୟରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ଉପଗ୍ରହ କେନ୍ଦ୍ରରେ ନିର୍ମାଣ କରାଯାଉଛି।
୬. ଉଚ୍ଚ ଶକ୍ତି ସମ୍ପନ୍ନ ଖ୧ ଆବର୍ତ୍ତି ରଞ୍ଜନ ରଶ୍ମି ବର୍ଣ୍ଣାଳୀବୀକ୍ଷଣ (High Energy L1 Orbiting X-ray Spectrometer –HEL1OS) – ଏହାକୁ ସୌର କରୋନାର ଅଧ୍ୟୟନ ସମେତ ଉଦ୍ଗିରଣ କାଳରେ ସୂର୍ଯ୍ୟପୃଷ୍ଠରୁ କଣିକାର ତ୍ୱରଣ ପାଇଁ ଆବଶ୍ୟକ ଶକ୍ତି ସମ୍ପର୍କରେ ଅଧ୍ୟୟନ କରିବ। ଏହାକୁ ଇସ୍ରୋ ଉପଗ୍ରହ କେନ୍ଦ୍ର ଓ ଉଦୟପୁରସ୍ଥିତ ସୌରମାନମନ୍ଦିରରେ ନିର୍ମାଣ କରାଯାଉଛି।
୭- ମାଗ୍ନେଟୋମିଟର ବା ଚୁମ୍ବକୀୟ କ୍ଷେତ୍ର ପରିମାପକ(Magnetometer) – ଏହା ଆନ୍ତଃଗ୍ରହୀୟ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଧର୍ମ ଅଧ୍ୟୟନ କରିବ। ଏହାକୁ ଇସ୍ରୋ ଉପଗ୍ରହ କେନ୍ଦ୍ରରେ ନିର୍ମାଣ କରାଯାଉଛି।।
ଏହି ସବୁ ଯନ୍ତ୍ରାଂଶକୁ ଉପଯୋଗକରି ଆଦିତ୍ୟ-L1ର ସୂର୍ଯ୍ୟର ବିଭିନ୍ନ ସ୍ତରକୁ ଏକ ବିସ୍ତୃତ ବ୍ୟାଣ୍ଡର ତରଙ୍ଗରେ ସୂର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବ। ଏହି ଯନ୍ତ୍ରାଂଶଗୁଡ଼ିକର ନିର୍ମାଣପାଇଁ ଭାରତର ୧୦ଟି ପ୍ରତିଷ୍ଠାନର ୫୦ ଜଣ ସୌର ବୈଜ୍ଞାନିକ ନିରନ୍ତରଭାବରେ ଉଦ୍ୟମ କରୁଛନ୍ତି। ଏହି ଅଭିଯାନରେ ଭାରତ ୩୮୦କୋଟି ଟଙ୍କା ବ୍ୟୟ କରିଛି। ଏହି ଭାରତୀୟ ସୌର ଅଭିଯାନ ଆଦିତ୍ୟ-L1ପୂର୍ବର ସମସ୍ତ ସୌରଅଭିଯାନ ତୁଳନାରେ ଅଧିକ ଉନ୍ନତ ହେବ। ଏହା ସୂର୍ଯ୍ୟର ବିଭିନ୍ନ ସ୍ତର ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ଯୋଗାଇଦେବ। ଏହା ପରେ ଭାରତୀୟ ମହାକାଶ ବିଜ୍ଞାନ ଗବେଷଣା ଏହି ସଫଳତା ହାସଲ କ୍ଷେତ୍ରରେ ଆମେରିକା, ୟୁରୋପୀୟ ରାଷ୍ଟ୍ରସଂଘ, ଜାପାନ ପରି ଉନ୍ନତ ରାଷ୍ଟ୍ରଗୁଡ଼ିକର ସମକକ୍ଷ ହୋଇପାରିବ।
Comments are closed.