କେନ୍ଦୁଝରଗଡ : ବନବାସୀ ଚେତନା ମଣ୍ଡଳ ଆହ୍ୱାନ କ୍ରମେ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ର ଧାରା ୩(୧) ଏବଂ ନିୟମ ୧୧ (୧) ୪(କ) ଅନୁଯାୟୀ ବାଂଶପାଳ ବ୍ଲକ ଡେରଙ୍ଗପୀଢ଼ (ଭୂୟାଁ) ଅର୍ନ୍ତଗତ ଜାମୁଡିହା ରାଜସ୍ୱ ଗ୍ରାମରେ ଆବାସସ୍ଥଳୀ ଆବେଦନ ପାଇଁ ଜନସଚେତନତା କର୍ମଶାଳା ଓ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଆରସିଡିସି ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ଏହି କର୍ମଶାଳାରେ ଜଙ୍ଗଲ ଅଧିକାର କମିଟିର ସଦସ୍ୟ ସଦସ୍ୟା ଓ ଆଦିମ ଜନଜାତି ଭୂୟାଁ ମାନଙ୍କୁ ପଦ୍ମଶ୍ରୀ ଦୈତାରୀ ନାଏକ, ବନବାସୀ ଚେତନାମଣ୍ଡଳର ବୀରବର ନାଏକ ଓ ସ୍ଥାନୀୟ ୱାର୍ଡ ସଭ୍ୟା ଫୁଲମଣୀ ଦେହୁରୀ ସଚେତନ କରିବା ସହ ଜଙ୍ଗଲ ଖଣ୍ଡ ସମୂହର ତାଲିକା ପ୍ରଦାନ, ଜଳଉତ୍ସ ସମୂହର ତାଲିକା, ଧର୍ମପୀଠ, ଗ୍ରାମ୍ୟ ଦେବାଦେବୀ ପୀଠ, ଜଙ୍ଗଲଜାତ ସାମଗ୍ରୀ ଆଦିର ତାଲିକା ପ୍ରଦାନ କରିଥିଲେ। ‘ଖ’ ଓ ‘ଗ’ ଫର୍ମର ବ୍ୟବସ୍ଥା ଅନୁଯାୟୀ ବୈଠକର ବିବରଣୀ ଲିପିବଦ୍ଧ କରାଯାଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଆରସିଡିସିର ଗୋଷ୍ଠୀ ସହାୟକ ଚର୍ତୁଭୁଜ ନାଏକ କର୍ମଶାଳା ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ବରିଷ୍ଠ ନାଗରିକ ବାସୁଦେବ ଦେହୁରୀ, ସୁରେନ୍ଦ୍ର ଦେହୁରୀ, ବାସନ୍ତୀ ଦେହୁରୀ, ବ୍ରାହ୍ମଣୀ ଦେହୁରୀ, କଲେକ୍ଟର ଦେହୁରୀ ପ୍ରମୁଖ ଉପସ୍ଥିତ ରହି ତାଲିକା ପ୍ରସ୍ତୁତିରେ ସହଯୋଗ କରିଥିଲେ । ସରଣ ଦେହୁରୀ ଓ ହିରଣ୍ୟ ଦେହୁରୀ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



