www.samajalive.in
Thursday, December 11, 2025
18.1 C
Bhubaneswar

ସାର୍ଥକ ଜୀବନ

ପୃଥିବୀରେ ଲୋକସଂଖ୍ୟା ବଢିବଢି ଚାଲିଛି, କିନ୍ତୁ ମନୁଷ୍ୟ ସଂଖ୍ୟା କମିକମି ଚାଲିଛି। ଆମେ କୋଟିଏ ‘ପକ୍ଷୀ’ରେ ଗୋଟିଏ ‘ଅପକ୍ଷୀ’ ପାଇବା ନାହିଁ। କୋଟିଏ ‘ପଶୁ’ରେ ଗୋଟିଏ ‘ଅପଶୁ’ ପାଇବାନାହିଁ; କିନ୍ତୁ ଅନେକ ‘ଲୋକ’ରେ ଗୋଟିଏ ‘ମଣିଷ’ ପାଇପାରୁ, କିନ୍ତୁ ଆଉସବୁ ‘ଅମଣିଷ’ ହିଁ ପାଇବା। ତେବେ ଏଇଥି ପାଇଁ କ’ଣ ମଣିଷ ଶ୍ରେଷ୍ଠପ୍ରାଣୀ ଓ ଦିବ୍ୟଜ୍ଞାନର ଅଧିକାରୀ? ନଦୀକୂଳରେ ଯାଉଥିବା ଜଣେ ସାଧୁ ପାଖ ଗ୍ରାମର ଜଣେ ପରିଚିତ ଲୋକର ‘ଶବ’ ନଦୀଜଳରେ ଭାସି ଯାଉଥିବାର ଦେଖିଲେ। ଗୋଟିଏ ଶିଆଳ ସେ ଶବକୁ ଟାଣିଆଣି ଖାଇବାକୁ ଉଦ୍ୟତ ହୁଅନ୍ତେ, ସାଧୁ ଶିଆଳକୁ ତା’ର ଭାଷାରେ କହିଲେ, ଏହି ଲୋକଟି ଜୀବନସାରା ବହୁ ଅପକର୍ମ କରିଥିବାରୁ ତା’ର ସମଗ୍ର ଶରୀର ପାପମୟ ହୋଇଯାଇଛି। ‘ହାତ’ କେବେ ଭୋକିଲାକୁ ଭୋଜନ, ଉଲଗ୍ନକୁ ବସ୍ତ୍ର, ରୋଗୀକୁ ଔଷଧ ଦେଇନାହିଁ। ମନ୍ଦିର, ପାଠଶାଳା, ଆଶ୍ରମ, ଚିକିତ୍ସାଳୟ, ଅନାଥାଶ୍ରମ ଏବଂ ବିପଦଗ୍ରସ୍ତ ଲୋକଙ୍କୁ କିଛି ମଧ୍ୟ ଦାନ ବା ସାହାଯ୍ୟ କରିନାହିଁ। ଦେବା ନୁହେଁ, କେବଳ ନେବା ହିଁ ଶିଖିଛି। କାହାର ଅସୁବିଧାରେ ସେବା ନୁହେଁ, ବରଂ ଶୋଷଣ ହିଁ କରିଛି। ‘କାନ’ କେବଳ ପରନିନ୍ଦା, ପରଚର୍ଚ୍ଚା ତଥା କୌତୁକ କଥା, କାମୁକ ବାର୍ତ୍ତା ଶୁଣିବାରେ ବ୍ୟସ୍ତ ରହିଥିଲା; କିନ୍ତୁ ସତ୍ୟବଚନ, ଶାସ୍ତ୍ରବାଣୀ, ସାଧୁସନ୍ଥଙ୍କ ଉପଦେଶ, ଭକ୍ତିସଙ୍ଗୀତ, ପ୍ରାର୍ଥନା ଆଦି କେବେ ବି ଶୁଣିନାହିଁ। ସାଧୁସନ୍ଥ, ଦେବୀ ଦେବତା, ଗୁରୁଜନମାନଙ୍କଠାରୁ ସଦା ଦୂରେଇ ରହିଛି। ‘ମୁଖ’ କେବେ ସତ୍ୟ, ମଧୁର ବଚନ କହିନାହିଁ। ସଦା କର୍କଶ, କଠୋର, ଅସତ୍ୟ, ଅଶ୍ଳୀଳ ବାଣୀ କହିଛି। ସର୍ବଦା ପରନିନ୍ଦା, ପରଚର୍ଚ୍ଚା କରିଛି। ସଦା ତାମସିକ, ଅସତ୍ୟ ଅର୍ଜିତ ଭୋଜନ ସହ ନିଶାଦ୍ରବ୍ୟ ପାନକରିଛି। ସଜ୍ଜନଙ୍କୁ ନିନ୍ଦା ଓ ଦୁର୍ଜନଙ୍କୁ ପ୍ରଶଂସା ହିଁ କରିଛି। ପାଦ କେବେ ତୀର୍ଥ ଭ୍ରମଣରେ ଯାଇନାହିଁ। ଦୁଃସ୍ଥମାନଙ୍କ ସେବାପାଇଁ, ଦେଶରକ୍ଷା ପାଇଁ କିମ୍ବା ସାଧୁଦର୍ଶନ ପାଇଁ ତାହା କେବେ ମଧ୍ୟ ଯାତ୍ରା କରିନି। କେବଳ ସ୍ୱାର୍ଥ ଓ ଶୋଷଣ ପାଇଁ ଆଗକୁ ବଢ଼ିଛି। ଇଏ କୌଣସି ସତ୍ ଉପାୟରେ ‘ପେଟ’ ପୂରାଇନି। ଅନ୍ୟର ପେଟକୁ ଗୋଇଠାମାରି, ତା’ର ଅଧିକାରକୁ ଛଡ଼ାଇଆଣି, ଅନ୍ୟର ଦୁର୍ବଳତାର ଲାଭ ଉଠାଇ ସର୍ବଦା ନିଜର ପେଟ ଭରିଛି। ‘ମସ୍ତକ’ ସର୍ବଦା ଅହଂକାରରେ ଭରି ରହିଥିଲା।

ଏହାର ରୂପ ସୌନ୍ଦର୍ଯ୍ୟରେ, ଧନ ଯୌବନରେ, ପଦ ପ୍ରତିଷ୍ଠାରେ, ଜାତି, ଜ୍ଞାନ ଆଦିରେ ଅତିଶୟ ଗର୍ବ ଥିଲା। ଇଏ ପିତାମାତା, ସାଧୁସନ୍ଥ, ଗୁରୁଜନ ଓ ଦେବତାଙ୍କ ସମ୍ମୁଖରେ କେବେ ମଧ୍ୟ ବିନମ୍ରତାରେ ମୁଣ୍ଡ ନୁଆଇଁ ନଥିଲା। କେବେ ମଧ୍ୟ ଯୋଗ୍ୟମାନଙ୍କୁ ସମ୍ମାନ ଦେଇନଥିଲା। ତେଣୁ ଏହାର ସମଗ୍ର ଶରୀର ପାପମୟ ହୋଇଥିବାରୁ ତୁମର ଖାଦ୍ୟଯୋଗ୍ୟ ନୁହେଁ। ବରଂ ଏହାକୁ ଖାଇଲେ ତୁମର ଶରୀର ମଧ୍ୟ ପାପମୟ ହୋଇଯିବ”। ସାଧୁଙ୍କର ଏହି ଉପଦେଶକୁ ଗୁରୁତ୍ବ ଦେଇ ଶିଆଳଟି ସେହି ଶବକୁ ପରିତ୍ୟାଗ କରି ଚାଲିଗଲା। ଏଥିରୁ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ କେଉଁ ସ୍ତରରେ ପହଞ୍ଚିପାରେ, ତାହା ଅନୁମେୟ। ଏଭଳି ଶତାଧିକ ବର୍ଷ ବଞ୍ଚିଲେ ବି ତାହା ‘ବ୍ୟର୍ଥ ଜୀବନ’ ରୂପେ ଗଣ୍ୟହେବ। ଜୀବନର ସବୁଠାରୁ ବଡ ଅପରାଧ ହେଲା, ଆମ କର୍ମଦ୍ୱାରା କାହା ଆଖିରୁ ଲୁହଝରିବା ଓ ସବୁଠାରୁ ବଡ ଉପଲବ୍ଧି ହେଲା, ଆମପାଇଁ କାହା ଆଖିରୁ ଲୁହ ଝରିବା। ‘ହାତ’ର ଶୋଭା ଦାନ, ସେବା, ସାହାଯ୍ୟ ଦ୍ୱାରା ବୃଦ୍ଧିହୁଏ, କାହାର ଅନିଷ୍ଟ ଦ୍ୱାରା ନୁହେଁ। ‘କାନ’ର ଶୋଭା ଅନ୍ୟର ଦୁଃଖ, ଭଗବାନଙ୍କ ନାମ, ଶାସ୍ତ୍ର ଶ୍ରବଣ ଦ୍ୱାରା ବୃଦ୍ଧିହୁଏ, ଅଳଙ୍କାର ଧାରଣ ଦ୍ୱାରା ନୁହେଁ। ‘ଆଖି’ର ଶୋଭା ସାଧୁସନ୍ଥଙ୍କ ଦର୍ଶନ ଦ୍ୱାରା ବୃଦ୍ଧିପାଏ, କଜ୍ବଳ ଦ୍ୱାରା ନୁହେଁ। ‘ମୁଖ’ର ଶୋଭା ସତ୍ୟ, ମଧୁର ବଚନ, ସମବେଦନା ଜ୍ଞାପନ, ଅନ୍ୟର ପ୍ରଶଂସା ଓ ଭଗବାନଙ୍କ ନାମ ଉଚ୍ଚାରଣ ଦ୍ୱାରା ବୃଦ୍ଧିପାଏ, ଅସତ୍ୟ, କଠୋର, ଅହଂକାରୀ ଭାଷା ଓ ପରନିନ୍ଦା ଯୋଗୁଁ ନୁହେଁ। ପାଦର ଶୋଭା, ଅନ୍ୟର ସେବା ଓ ତୀର୍ଥ ଭ୍ରମଣରେ ବୃଦ୍ଧିପାଏ, କୌଣସି ଅକାର୍ଯ୍ୟରେ ନୁହେଁ। ଶରୀରର ଶୋଭାଶୀଳ ସ୍ୱଭାବ ଦ୍ୱାରା ବୃଦ୍ଧି ପାଏ, ଶୃଙ୍ଗାର ବା ଅଳିକସୌନ୍ଦର୍ଯ୍ୟ ଦ୍ୱାରା ନୁହେଁ। ନିଜର ଇନ୍ଦ୍ରିୟମାନଙ୍କୁ ଯିଏ ନିଷ୍କାମ ଭାବେ ପରମାର୍ଥରେ ଉପଯୋଗ କରିଥାଏ, ତା’ର ଜୀବନ ସାର୍ଥକ ଅଟେ। ଅଯଥା ବ୍ୟର୍ଥ ଜୀବନ ଧାରଣ କରି ଲାଭ କ’ଣ? ଯଦି ଜଣେ ଅନ୍ୟର ଦୁଃଖରେ ଦୁଃଖିତ ହୁଏ, ଦୁଃଖ ତା’ର ପାଖ ମାଡେନି, ଯଦି ଜଣେ ଅନ୍ୟର ସୁଖରେ ସୁଖୀ ହୁଏ, ସୁଖ ତା’ର ପାଖ ଛାଡେନି।

- Advertisement -

ସର୍ବଦା ଚିନ୍ତାକରିବା ଆବଶ୍ୟକ, ଆମକୁ ଏ ଜନ୍ମ କାହିଁକି ମିଳିଛି? ଏ ଜନ୍ମର କାରଣ ଓ ଲକ୍ଷ୍ୟ କ’ଣ? କେବଳ କ’ଣ ଖାଇବା, ପିଇବା ଓ ଭୋଗ ପାଇଁ ଆମେ ଆସିଛେ? ଆମେ ହେଉଛୁ ଦିବ୍ୟଆତ୍ମା ବା ଅମୃତର ସନ୍ତାନ। ଆମେ ନିମ୍ନଗାମୀ ହେବାକୁ ଚାହିଁଲେ, ପଶୁଠାରୁ ମଧ୍ୟ ନୀଚସ୍ତରକୁ ଯାଇପାରିବା। ଊର୍ଦ୍ଧ୍ବଗାମୀ ହେବାକୁ ଚାହିଁଲେ, ଦେବତାଙ୍କଠାରୁ ମଧ୍ୟ ଉଚ୍ଚସ୍ତରକୁ ଯାଇପାରିବା। ‘‘ମନୁଷ୍ୟ ଜନ୍ମର ଏ ଲାଭ, ଯଦି ଗୋବିନ୍ଦେ କରେ ଭାବ।” ଏହି ସ୍ଥୂଳ ସଂସାର ପରେ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ଜରା, ବ୍ୟାଧି, ମୃତ୍ୟୁ, ଶୋକ, ପୀଡା, ଶଙ୍କା କିମ୍ବା ଭ୍ରାନ୍ତିନାହିଁ। ଆମକୁ ସେହି ଚିରନ୍ତନ ସୁଖ ଓ ଆନନ୍ଦର ଅମରଧାମକୁ ପ୍ରାପ୍ତ କରିବାକୁ ହେବ, ଯାହା କେବଳ ‘ଆତ୍ମଜ୍ଞାନ’ ଦ୍ୱାରା ହିଁ ସମ୍ଭବ ହୋଇପାରିବ। ଏ ଜୀବନ ଏକ ଯୁଦ୍ଧକ୍ଷେତ୍ର ଅଟେ। ନିଜର ଆଦର୍ଶ ଓ ଲକ୍ଷ୍ୟ ପ୍ରାପ୍ତି ପାଇଁ ଯୁଦ୍ଧ କରିବା ହିଁ ଜୀବନ। ଆମକୁ ଆମ ଦଶ ଇନ୍ଦ୍ରିୟ ଓ ମନ ଉପରେ ବିଜୟପ୍ରାପ୍ତ କରିବା ଆବଶ୍ୟକ। ବାସ୍ତବରେ ମନୁଷ୍ୟ ଜନ୍ମ ହିଁ ସବୁ ଜନ୍ମର ଆରମ୍ଭ ତଥା ଶେଷଜନ୍ମ। ମନୁଷ୍ୟ ଯଦି ପରମାତ୍ମାଙ୍କୁ ପାଇଯିବ, ତେବେ ଏହା ତା’ର ଶେଷଜନ୍ମ ହୋଇଯିବ। ଆଉ ପରମାତ୍ମାଙ୍କୁ ନପାଇଲେ, ଏହା ଆଗାମୀ ଅନନ୍ତ ଜନ୍ମର ଆଦିଜନ୍ମ ହୋଇଯିବ। ତେଣୁ ତାଙ୍କୁ ପାଇଗଲେ ଆଉକିଛି କରିବା, ଜାଣିବା ଓ ପାଇବା ବାକି ରହେନାହିଁ। ସେଇଥିରେ ହିଁ ମନୁଷ୍ୟ ଜୀବନର ପୂର୍ଣ୍ଣତା,ସଫଳତା ଓ ସାର୍ଥକତା ନିହିତ। ସେଥିପାଇଁ କୁହାଯାଇଛି, “ଆତ୍ମଜ୍ଞାନ ହିଁ ସର୍ବଜ୍ଞାନର ପରିମାପକ ଅଟେ”।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories