www.samajalive.in
Monday, December 15, 2025
16.1 C
Bhubaneswar

ପରିଚୟ ଖୋଜୁଛି ବୌଦ୍ଧଜିଲାର ବୁଣାକାର ସାମଗ୍ରୀ

ବୌଦ୍ଧ  : ସମଗ୍ର ଦେଶ ସହିତ ବୌଦ୍ଧ ଜିଲା ପ୍ରଶାସନ ମଧ୍ୟ ପାଳିଛି ଜାତୀୟ ହସ୍ତତନ୍ତ ଦିବସ କିନ୍ତୁ ପରିଚୟ ଖୋଜୁଛି ଜିଲାର ବୁଣାକାର ସାମଗ୍ରୀ। ପ୍ରୋତ୍ସାହନ ଅଭାବରୁ ଜିଲାର କୁଶଳୀ ବୁଣାକାର ଆଜି ବନ୍ଧା ପଡିଛି ମହାଜନ ପାଖରେ। ଜିଲାରେ ବୁଣାକାରମାନଙ୍କ ଅବସ୍ଥା କଣ ଅଛି ସେ ନେଇ ଆଜିର ଦିନରେ ମାନସ ମନ୍ଥନ କରାଯିବା ସହିତ ଯଦି ଯୋଜନା ବଦ୍ଧ ପଦକ୍ଷେପ ଗ୍ରହଣ କରାଯାଆନ୍ତା ତେବେ ଜାତୀୟ ଦିବସ ପାଳନର ଯଥାର୍ଥତା ପ୍ରତିପାଦିତ ହୋଇପାରନ୍ତା। ବୌଦ୍ଧ ଜିଲାରେ ପ୍ରାୟ ୮ ହଜାରରୁ ଅଧିକ ବୁଣାକାର ପରିବାର ବସବାସ କରୁଛନ୍ତି । ବୌଦ୍ଧର ହାତବୁଣା ଲୁଗାର ସ୍ୱାତନ୍ତ୍ରତା ମଧ୍ୟ ରହିଛି। ଏନେଇ ଅନେକ ଦୃଷ୍ଟାନ୍ତ ରହିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବୁଣାକାର ମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ଗୁଡିକର ସୁଫଳ ଯେପରି ବୁଣାକାରମାନଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ଏକ କାର୍ଯ୍ୟାଳୟ ମଧ୍ୟ ବୌଦ୍ଧ ଠାରେ ରହିଅଛି । ମାତ୍ର ବୌଦ୍ଧ ଜିଲାରେ ରହିଥିବା ବୁଣାକାରମାନେ କ’ଣ ସତରେ ସରକାରୀ ଯୋଜନାର ସୁଫଳ ପାଉଛନ୍ତି ନା କେବଳ କାଗଜପତ୍ରରେ ସଫଳତାର କାହାଣୀ ଲେଖାଯାଉଅଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବୌଦ୍ଧ ଜିଲା ସଦର ମହକୁମାରେ ୨ଟି ୱାର୍ଡ ବିଶିଷ୍ଟ ବୁଟୁପାଲି ଗ୍ରାମରେ ମୁଖ୍ୟତଃ ବୁଣାକାର ପରିବାର ବସବାସ କରନ୍ତି। ବୁଟୁପାଲିରେ ପହଂଚିବା ପରେ ଜଣାପଡିଥାଏ ବୁଣାକାର ମାନଙ୍କ ଆର୍ଥିକ ସ୍ଥିତି ଏବଂ ସେମାନେ ପାଉଥିବା ସରକାରୀ ସାହାଯ୍ୟ ଓ ସହଯୋଗର ସତ୍ୟତା । ଏହା ବ୍ୟତୀତ ଜିଲାର ନାରାୟଣନାଗର ଓ ବାଉଁଶୁଣୀ ଆଦି ଜିଲାର ବୁଣାକାର ବହୁଳ ଅଞ୍ଚଳ ଭାବରେ ପରିଚିତ । କିନ୍ତୁ ଅନେକ ବୁଣାକାର ପରିବାର ଆଜି ବି ସରକାରୀ ସହାୟତା ପାଇବାରୁ ବଂଚିତ ରହିଛନ୍ତି । ଯେଉଁ କେତେଜଣ ଅଳ୍ପ କିଛି ପାଇଛନ୍ତି ସେଥିପାଇଁ ସେମାନଙ୍କୁ ଦେବାକୁ ପଡିଛି ମୋଟା ଅଂକର ହାତଗୁଞ୍ଜା । ସରକାରୀ ସାହଯ୍ୟ ଓ ସହଯୋଗ ଅଭାବରୁ ଅନେକ ବୁଣାକାର ମହାଜନର ଦୟାରୁ ଚଳୁଥିବା କହିଛନ୍ତି । ମହାଜନ ସୂତା ଯୋଗାଇ ଦେଇଥାଏ । ବୁଣାକାର ପରିବାର ଲୁଗାବୁଣିବା ପରେ ମହାଜନକୁ ଦେଇଥାଆନ୍ତି । ମଜୁରୀ ବାବଦରେ ଯାହା ପାଇଥାଆନ୍ତି ସେଥିରୁ ହିଁ ସେମାନଙ୍କ ପରିବାର ଗୁଜୁରାଣ ମେଣ୍ଟି  ଥାଏ । ପୂର୍ବରୁ ଏକରକମ ଚଳିଯାଉଥିବାବେଳେ କରୋନା ମହାମାରୀ ସମସ୍ତ ବୁଣାକାର ପରିବାରର ଅଣ୍ଟା ଭାଙ୍ଗି ଦେଇଛି । ମହାଜନକୁ ଲୁଗା ବୁଣି ଦେଉଥିଲେ ବି ଆଗ ଭଳି ମଜୁରୀ ମିଳୁନାହିଁ । କାହିଁକି ନା ମହାଜନର ମର୍ଜିରେ ମଜୁରୀ ମିଳୁଛି । ବୁଣାକାର ପରିବାରମାନେ ଅନେକ ସମସ୍ୟା ଦେଇ ଗତିକରୁଥିଲେ ବି ନିଜର କୌଳିକ ବୃତ୍ତିକୁ ଛାଡିବାକୁ ଚାହୁଁନାହାନ୍ତି । ନୂତନ ପିଢ଼ୀର ଅନେକ ବୁଣାକାର ପରିବାରର ସଦସ୍ୟମାନେ ବୁଣାବୁଣି କାମ ଛାଡି ଅନ୍ୟ ବୃତ୍ତି ଆପେଣାଇବାରେ ଲାଗିଛନ୍ତି । ବୌଦ୍ଧ ଜିଳାରେ ରହିଛି ୩୧ଟି ତନ୍ତ ସମବାୟ ସମିତି । ସେହି ସମିତି ମାଧ୍ୟମରେ ବୁଣାକାର ପରିବାର ପଞ୍ଜିକୃତ ହୋଇଛନ୍ତି । ଏହା ସହିତ ବିନା ପଞ୍ଜିକୃତ ବୁଣାକାର ପରିବାରଙ୍କ ସଂଖ୍ୟା ୫ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଉଭୟ ପଞ୍ଜିକୃତ ଓ ଅଣପଞ୍ଜିକୃତ ବୁଣାକାର ପରିବାରମାନଙ୍କ ପାଇଁ ସରକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ପାଇଁ ଅନଲାଇନ ଆବେଦନ କରିବାର ବ୍ୟବସ୍ଥା ରହିଥିବା ବେଳେ ଜିଲାରୁ ଜୁନ ମାସ ପର୍ଯ୍ୟନ୍ତ ସ୍ୱଳ୍ପ ସଂଖ୍ୟାରେ ପରିବାର ବିଭିନ୍ନ ଯୋଜନା ପାଇଁ ଆବେଦନ କରିଛନ୍ତି । ଜିଲାର ବୁଣାକାର ମାନଙ୍କ ମଧ୍ୟରେ ସଚେତନତା ଅଭାବରୁ ଏସବୁ ତଥ୍ୟ ଜାଣି ପାରୁନଥିବା ଯୋଗୁଁ ସମସ୍ତ ପ୍ରକାରର ସରକାରୀ ସାହାଯ୍ୟ ଓ ସହଯୋଗରୁ ବଂଚିତ ହୋଇ ରହୁଛନ୍ତି । ପୂର୍ବତନ ଜିଲାପାଳଙ୍କ ଉଦ୍ୟମରେ ଜିଲାରେ ବୁଣାକାର ହାଟ ଆରମ୍ଭ ହୋଇଥିଲା। ବୁଣାକାର ବଜାର ଜିଲାର ପରିଚୟ ସୃଷ୍ଟି କରିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏହି ବୁଣାକାର ହାଟକୁ ଆଉ ପୂର୍ବଭଳି ଜିଲା ବାହାରୁ ବ୍ୟବସାୟୀ ଆସୁନାହାନ୍ତି। ଫଳରେ ବୁଣାକାର ବଜାର ଧିରେ ଧିରେ ଆକର୍ଷଣ ହରାଇ ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦ୍ୱିତିୟଥର ପାଇଁ ରାଜ୍ୟ ବୟନିକାର ସଭାପତି ବୌଦ୍ଧ ଜିଲାରୁ ପ୍ରତିନିଧିତ୍ୱ କରୁଛନ୍ତି । କିନ୍ତୁ ଜିଲାର କୌଣସି ବୁଣାକାର ସାମଗ୍ରୀ ଏପର୍ଯ୍ୟନ୍ତ ରାଜ୍ୟସ୍ତରରେ ବ୍ରାଣ୍ଡିଂ ହୋଇ ପାରିଲାନାହିଁ। ଏ ଦିଗରେ ପ୍ରଚେଷ୍ଟାର ଅଭାବ ରହିଥିବା ପରିଲକ୍ଷିତ ହୋଇଛି । ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସାଙ୍ଗକୁ ବୁଣାକାର ବହୁଳ ଗ୍ରାମମାନଙ୍କରେ ଶିବିର କରାଗଲେ ଅନେକ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି। ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ବୁଣାକାର ସୋସାଇଟିର କର୍ମକର୍ତ୍ତାମାନେ ଯଦି ଆଗେଇ ଆସନ୍ତେ ତେବେ ଅନେକ ବୁଣାକାର ପରିବାର ଭଲ ଦିନ ଦେଖିବା ସହିତ ସେମାନଙ୍କର ଆର୍ଥିକ ଉନ୍ନତି ହୋଇପାରନ୍ତା।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories