ଆମେ କେତେ ପ୍ରସ୍ତୁତ?

ପ୍ରାକୃତିକ ବିପତ୍ତିରୁ ରକ୍ଷା ପାଇବାକୁ ପୂର୍ବପ୍ରସ୍ତୁତି ଜରୁରୀ

ପରିସ୍ଥିତିର ମୁକାବିଲା ପାଇଁ ଆମେ ଅନେକ ଯୋଜନା କରୁ, ଅଭ୍ୟାସ କରୁ; କିନ୍ତୁ ପରିସ୍ଥିତିର ଗମ୍ଭୀରତା ଆକଳନ କରିବା ଆମ ପକ୍ଷେ ଅନେକ ସମୟରେ ସମ୍ଭବ ହୁଏନାହିଁ, ଯେଉଁଥିପାଇଁ ଆମକୁ ସେଭଳି ପରିସ୍ଥିତିରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଅବଶ୍ୟ ତାହା ଆମ କ୍ଷମତା ବାହାରେ ହେଉଥିବାରୁ ଆମେ ନିରୁପାୟ, ଅସହାୟ ହୋଇପଡୁ। ୧୯୯୯ର ମହାବାତ୍ୟା ଠିକ୍‌‌ ସେହିଭଳି ପରିସ୍ଥିତି ସୃଷ୍ଟି କରିଥିଲା। ବାତ୍ୟା ହେବାନେଇ ପୂର୍ବ ସୂଚନା ମିଳିଥିଲା, କିନ୍ତୁ ବାତ୍ୟା କେତେ ଭୟଙ୍କର ହେବ ତାହା ଜାଣିବା ବେଳକୁ ସବୁ ସରିଯାଇଥିଲା। ଅବଶ୍ୟ ଏଭଳି ବିପର୍ଯ୍ୟୟକୁ ନେଇ ସରକାର କିମ୍ବା ବ୍ୟବସ୍ଥାକୁ ଦୋଷ ଦେଇହେବ ନାହିଁ। କିନ୍ତୁ ଏ ବର୍ଷ ଗ୍ରୀଷ୍ମ ପ୍ରକୋପ କଥା ବିଚାର କରାଯାଉ। ତାପମାତ୍ରା ଅନେକ ସ୍ଥାନରେ ରେକର୍ଡ ଭାଙ୍ଗିଲା। ପାଣିପାଗ ବିଭାଗ ଏ ସମ୍ପର୍କରେ ନିରନ୍ତର ଜନସାଧାରଣଙ୍କ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରୁଥିଲା। ଖରାରେ ବାହାରକୁ ନବାହାରିବାକୁ ପରାମର୍ଶ ଦେଉଥିଲା; କିନ୍ତୁ ଯାହାର କୌଣସି ଦୂର ସ୍ଥାନ ଯିବା ନିହାତି ଆବଶ୍ୟକ, ସିଏ ତ ବାହାରିବା କଥା ବାହାରିବେ। ସ୍ୱଚ୍ଛଳ ବର୍ଗ ହୋଇଥିଲେ ହୁଏତ ଶୀତତାପ ନିୟନ୍ତ୍ରିତ ଯାନରେ ନିରାପଦରେ ଯାଇପାରିବେ। କିନ୍ତୁ ଯଦି ଜଣେ ନିମ୍ନ ମଧ୍ୟବିତ୍ତ ଅଥବା ଦରିଦ୍ର ହୋଇଥିବେ, ତେବେ ଗଣ ପରିବହନ ବ୍ୟବସ୍ଥା, ଅର୍ଥାତ୍‌‌ ବସ୍‌‌ରେ ଯିବାକୁ ବାଧ୍ୟ। ସବୁ ବସ୍‌‌ରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଅଛି କି? ସବୁ ବସ୍‌‌ରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ସାମଗ୍ରୀ ଉପଲବ୍ଧ ରହିଥିଲା କି? କିଛି ସ୍ଥାନରେ ଡହ ଡହ ଖରାରେ ଶ୍ରମିକ କାମ କରୁଥିବା ଖବର ଓ ଚିତ୍ର ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏ ଦିଗରେ ଆମେ କେତେ ପ୍ରସ୍ତୁତ ଥିଲେ, ତାହା କିଏ ତଦାରଖ କରିଥିଲେ?

କେବଳ ସବୁ ନିର୍ଦେଶ ଓ ଘୋଷଣାନାମାରେ ସୀମିତ ରହିଯାଇଥିଲା। ସୌଭାଗ୍ୟକୁ ଜନସାଧାରଣ ନିଜେ ସଚେତନ ଥିବାରୁ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହରେ କାଁ ଭାଁ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିଲା। ଏଭଳି ବିପର୍ଯ୍ୟୟ ଜଳବାୟୁ ପରିବର୍ତ୍ତନ କାରଣରୁ ଘଟୁଛି ଏବଂ ସେ ଦିଗରେ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଏହା ପୂର୍ବରୁ ମଧ୍ୟ ଆମେ ଚେତାଇ ଦେଇଥିଲୁ ଯେ ପ୍ରତିବର୍ଷ ବନ ମହୋତ୍ସବ ଅବସରରେ ଯେତିକି ଚାରା ରୋପଣ କରାଯାଉଛି, ତାହା ପରବର୍ଷ ସେଥିରୁ କେତେ ବଞ୍ଚିଛି ଏବଂ ସେଗୁଡିକର ଉପଯୁକ୍ତ ଯତ୍ନ ନିଆଯାଉଛି କି ନାହିଁ, ତାହା କେହି ତଦାରଖ କରୁନାହାନ୍ତି। ଆମ ରାଜ୍ୟର ସୁଦୀର୍ଘ ଉପକୂଳ ରେଖାର ଦ୍ରୁତ ଅବକ୍ଷୟ ଘଟିଚାଲିଛି। ଆମେ ବୈଜ୍ଞାନିକ ପଦ୍ଧତିରେ ତାହାର ସଂରକ୍ଷଣ ଯୋଜନା କରୁଛୁ। ଅଥଚ ସେଠାରେ ରହିଥିବା ପ୍ରାକୃତିକ ଲୁଣା ଜଙ୍ଗଲ ସଂରକ୍ଷଣ କରିପାରୁନାହୁଁ, ତାହା ଅନୁପ୍ରବେଶକାରୀଙ୍କ ଚିଙ୍ଗୁଡି ଚାଷ ଏବଂ ବସ୍ତି ନିର୍ମାଣରେ ନଷ୍ଟ ହୋଇସାରିଲାଣି। ରାଜ୍ୟ ଭିତରେ ଥିବା ଅନେକ ଘଞ୍ଚ ଜଙ୍ଗଲ ଏବେ ପଦା ହୋଇସାରିଥିବାବେଳେ କାଗଜ କଲମରେ ଆମେ ଜଙ୍ଗଲ ବଢ଼ୁଥିବା କଥା କହୁଛୁ। ଏହାଦ୍ୱାରା ଆମେ ନିଜେ ନିଜକୁ ଠକୁଛୁ ଏବଂ ନିଜ ଗୋଡ଼ରେ କୁରାଢ଼ି ମାରିଚାଲିଛୁ। ଜୁଲାଇ ୩୧ ତାରିଖର ବର୍ଷା କଥା ବିଚାରକୁ ନିଆଯାଉ। ଜୁନ୍‌‌ ଓ ଜୁଲାଇ ଦୁଇ ମାସ ବର୍ଷା ଅନିୟମିତ ଏବଂ ନିଅଣ୍ଟିଆ ହେଲା।

ପାଣିପାଗ ବିଭାଗ ଅନେକ ଥର ପ୍ରବଳ ବର୍ଷାରୁ ନେଇ ଅତି ପ୍ରବଳ ବର୍ଷାର ସତର୍କ ସୂଚନା ଜାରିକଲା। କିନ୍ତୁ ସବୁ ଭୁଲ୍‌‌ ଥିଲା। ଜୁଲାଇ ୩୧ ବର୍ଷା ନେଇ ମଧ୍ୟ ବିଭାଗ ସତର୍କ ସୂଚନା ଦେଇଥିଲା। ଚଳିତ ମୌସୁମୀ ଋତୁରେ ଦୁଇମାସ ଧରି ବର୍ଷା ଋତୁର ବର୍ଷା ଦେଖିନଥିବା ସାଧାରଣ ଜନତା ମଧ୍ୟ ଏଭଳି ପ୍ରବଳ ବର୍ଷା ହେବ ବୋଲି କଳନା କରିପାରିନଥିଲେ। ପରିସ୍ଥିତି ଏଭଳି ହେଲା ଯେ ଭୁବନେଶ୍ୱରରେ ବର୍ଷା ପରିମାଣ ୨୬ ବର୍ଷର ରେକର୍ଡ ଭାଙ୍ଗିଲା। ୧୯୯୭ ଅଗଷ୍ଟ ୨୦ରେ ଭୁବନେଶ୍ୱରରେ ଚବିଶ ଘଣ୍ଟା ମଧ୍ୟରେ ୨୫୪.୨ ମିଲିମିଟର ବର୍ଷା ହୋଇଥିଲା। ଚଳିତ ବର୍ଷ ଜୁଲାଇ ୩୧ରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଚବିଶ ଘଣ୍ଟାରେ ୨୫୯.୨ ମିଲିମିଟର ବର୍ଷା ହେଲା। ସେହିଭଳି କଟକ ସହରରେ ୮୩.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥିରେ ଦୁଇ ସହର ଉବୁଟୁବୁ ହେଲା। କେବଳ ସହର ନୁହେଁ, ଦୁଇ ସହରକୁ ସଂଯୋଗ କରୁଥିବା ରାଜପଥ ଏବଂ ଏହାର ଆଖପାଖ ରାସ୍ତାରେ ମଧ୍ୟ ବର୍ଷା ପାଣି ଲହଡ଼ି ମାରିଲା। ସାରା ରାଜ୍ୟର ଅନେକ ସ୍ଥାନରେ ସମାନ ଅବସ୍ଥା। ଏଥିକୁ ଆମେ କେତେ ପ୍ରସ୍ତୁତ ଥିଲେ? ନା ସରକାର, ନା ସ୍ଥାନୀୟ ପ୍ରଶାସନ ବର୍ଷା ଜଳ ନିଷ୍କାସନ ପାଇଁ କେହି ଚିନ୍ତିତ ନଥିଲେ। ବର୍ଷା ପାଣିରେ ଉଭୟ ସହରର ଅନେକ ସ୍ଥାନ ଏକାକାର ହୋଇଯାଇଥିଲା। ଚିନ୍ତାର ବିଷୟ ଯେ ଦୁଇ ସହରରେ ଅନେକ ସ୍ଥାନରେ ଏବେ ବିଭିନ୍ନ କାରଣ ପାଇଁ ରାସ୍ତା ଓ ତାହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଖୋଳା ଚାଲିଛି। ତାହା ଚାରିପଟେ କେବଳ ଧର୍ମକୁ ଆଖିଠାର ମାରିବା ଭଳି ବାଉଁଶ ଖୁଣ୍ଟ ପୋତାଯାଇ ସତର୍କ ସୂଚନା ଲେଖାଥିବା ଫିତା ବାନ୍ଧି ଦିଆଯାଇଛି। ଦୁଇ ସହରରେ ଏଭଳି ଖାଲରେ ପଡ଼ି କିଛି ଲୋକଙ୍କର ଅକାଳ ମୃତ୍ୟୁ ଘଟିସାରିଲାଣି। କିନ୍ତୁ ଆମେ ସେଥିପ୍ରତି ସତର୍କ ହୋଇପାରୁନାହୁଁ। ଅଘଟଣ, ଦୁର୍ଘଟଣା ଘଟିବା ପରେ କେବଳ ଗଣମାଧ୍ୟମରେ ତାହାକୁ ନେଇ ସଫେଇ ଦିଆଯାଉଛି। କିନ୍ତୁ ସହରକୁ କାହିଁକି ଏଭଳି ଦୁର୍ଘଟଣାରୁ ମୁକ୍ତ କରାଯାଇପାରୁନାହିଁ, ତାହାର ଉତ୍ତର କେହି ଦେଇପାରୁନାହାନ୍ତି। କଥାରେ ଅଛି, ‘ଠିକିଲେ ଶିଖନ୍ତି।’ ଆମେ କିନ୍ତୁ ତିନ୍ତି, ବୁଡି ନଳା ପାଣିରେ ଉବୁଟୁବୁ ହେଲେ ବି କିଛି ଶିଖିପାରୁନୁ। ବର୍ଷା ପାଣିରେ ଗାଡ଼ି ମଟର ଠାରୁ ନେଇ ଘରର ଆସବାବପତ୍ର ଭାସୁଥିବାବେଳେ ମଟର ଲଗାଇ ପାଣି ଖଲାସ ଉଦ୍ୟମକୁ କେଉଁ ପ୍ରସ୍ତୁତି ବୋଲି କୁହାଯାଇପାରିବ?

Comments are closed.