ଆଠଗଡ : ସମଗ୍ର ବିଶ୍ବ ପାଇଁ ପ୍ରଦୂଷଣ ରୋକିବା ଏବେ ଏକ ଆହ୍ଵାନ ସୃଷ୍ଟି କରିଛି । ଜଙ୍ଗଲ ସମ୍ପଦର ବ୍ୟାପକ ଅବକ୍ଷୟ ଓ ଅନ୍ୟାନ୍ୟ କାରଣରୁ ପ୍ରଦୂଷଣ ମାତ୍ରାଧିକ ବୃଦ୍ଧି ଯୋଗୁଁ ଜଳବାୟୁ ଓ ଋତୁଚକ୍ରରେ ଅସ୍ବଭାବିକ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ଜୀବଜଗତ ପାଇଁ ଘୋର ବିପଦ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଶନ ଲାଇଫ ଯୋଜନା ମାଧ୍ୟମରେ ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ରାଜ୍ୟରେ ବ୍ୟାପକ ବୃକ୍ଷ ଚାରା ରୋପଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମିଶନ ଲାଇଫ ଯୋଜନା ମାଧ୍ୟମରେ ଓଡିଶାର ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ଦ୍ବାରା ଏହି ସମୟ ମଧ୍ୟରେ ଏକ କୋଟି ବୃକ୍ଷ ଚାରା ରୋପଣ ପାଇଁ ଆହ୍ଵାନ ଜଣାଇଛନ୍ତି । ଆଠଗଡ଼ ବିଜେପି ପକ୍ଷରୁ ବିଜେପି ନେତା ଅଭୟ କୁମାର ବାରିକ ଗୁରୁବାର ଆଠଗଡ଼ ବ୍ଲକ ଅନ୍ତର୍ଗତ ଧାଇପୁର ସ୍କୁଲରେ ବିଭିନ୍ନ କିସମର ଶହ ଶହ ଚାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରିବା ସହ ସ୍କୁଲ ପରିସରରେ କିଛି ଚାରା ରୋପଣ କରିଥିଲେ। ଆମ ପରିବେଶ ସୁରକ୍ଷା ଆମ ହାତରେ ବୋଲି ଶ୍ରୀ ବାରିକ କହିବା ସହ ସମସ୍ତେ ମିଳିମଶି ଏକ ସୁସ୍ଥ ତଥା ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି ଲାଗି ଆଗେଇ ଆସିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
ଆଗାମୀ ଅଗଷ୍ଟ ୧୫ମଧ୍ୟରେ ଆଠଗଡ଼ ବ୍ଲକର ସମସ୍ତ ଶିକ୍ଷାନଷ୍ଠାନରେ ବିଜେପି ୧୦ହଜାର ଚାରା ରୋପଣ କରିବାକୁ ସଂକଳ୍ପବଦ୍ଧ ବୋଲି ଶ୍ରୀ ବାରିକ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓକିଲ ସଂଘ ସଭାପତି ତଥା ବିଜେପି ନେତା ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ କୁମାର ସେଠୀ, ନୂତନ କୁମାର ରାଉତ, ଜଗଦୀଶ କବି, ନଚିକେତା ପରିମାଣିକ, ଦିଲ୍ଲୀପ ସେଠୀ, ସରୋଜ କୁମାର ଦାସ, ଅକ୍ଷୟ କୁମାର ନାୟକ, ଦିପ୍ତିରଞ୍ଜନ ଜେନା, ବିଶ୍ବରଂଜନ ନାୟକ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରି ଚାରା ରୋପଣ କରିଥିଲେ।
Comments are closed.