ଗୁରୁଡିଝାଟିଆ : ସେବିକା ଏକ ବୃତ୍ତି ନୁହେଁ ବ୍ରତ। ପ୍ରତ୍ୟାଶା ବିହୀନ ନିଃସ୍ୱାର୍ଥପର ସେବା ପ୍ରତ୍ୟେକ ସେବିକାଙ୍କ ଭୂଷଣ ହେବା ଆବଶ୍ୟକ। ରୋଗୀଙ୍କ ହୃଦୟର ଭାଷା ଓ ଭାବ ବୁଝି ସେମାନଙ୍କ ମୁହଁରେ ଚେନାଏ ହସ ସୃଷ୍ଟି କଲେ ତାହା ହେବ ରୋଗୀମାନଙ୍କ ବଞ୍ଚିବାର ଉତ୍ସ ବୋଲି ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟର ନବାଗତ ବିଦ୍ୟାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଅତିଥିବୃନ୍ଦ ମତପ୍ରକାଶ କରିଛନ୍ତି। ରାଜ୍ୟ ସେବିକା ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ଉପନିର୍ଦ୍ଦେଶିକା ବାସନ୍ତୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ନବାଗତ ବିଦ୍ୟାର୍ଥୀଙ୍କୁ ଶପଥ ଗ୍ରହଣ ଓ ପ୍ରଦୀପ ପ୍ରଜ୍ୱଳନ କରାଇବା ସହ କହିଥିଲେ ଯେ ସେବିକାର ନିଃସ୍ୱାର୍ଥପର ସେବା ଉପରେ ସ୍ୱାସ୍ଥ୍ୟ ସେବାର ସଫଳତା ନିର୍ଭର କରେ। ମାନବ ସେବା ହିଁ ମାଧବ ସେବା ଭାବକୁ ହୃଦୟ ଭିତରେ ସ୍ଥାନିତ କରି କାର୍ଯ୍ୟକ୍ଷେତ୍ରରେ ରୋଗୀସେବା ସଠିକ୍ ଢଙ୍ଗରେ କଲେ ରୋଗୀର ମୁହଁରେ ବଞ୍ଚିବାର ପୁଲକ ସୃଷ୍ଟି ହୋଇଥାଏ। କଟକ ବଡ ମେଡିକାଲ ସେବିକା ମହାବିଦ୍ୟାଳୟର ସହକାରୀ ଅଧିକ୍ଷକ ମିନତୀ ଦାଶ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପ୍ରତ୍ୟେକ ସେବିକା ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ଭାବରେ ଦ୍ରବିଭୂତ ହୋଇ ରୋଗୀସେବା କଲେ ତାହା ଅଧିକ ଫଳପ୍ରଦ ହେବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି କହିଥିଲେ। ନିଜର ବୃତ୍ତିକୁ ସମ୍ମାନର ସହିତ ଅକ୍ଷୁର୍ଣ୍ଣ ରଖି ତ୍ୟାଗ ଓ ସେବା ଭାବାପନ୍ନ ମହାମନ୍ତ୍ରରେ ନିଜକୁ ଦିକ୍ଷିତ କରାଇ ରୋଗୀକୁ ସେବା ଶୁଶ୍ରୁସା ଯୋଗାଇଦେବା ସେବିକାର ଧର୍ମ ବୋଲି କହିଥିଲେ।
ଲୋକସେବକ ମଣ୍ଡଳ ଓଡିଶା ଶାଖାର ସଭାପତି ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ଉତ୍ସବରେ ଯୋଗଦେଇ ସେବିକାର ସେବା ଏକ ଅନନ୍ୟ ବୃତ୍ତି। ସେବାଭାବପୂର୍ଣ୍ଣ ହୋଇ କାର୍ଯ୍ୟକରିବା ସେମାନଙ୍କ ଭୂଷଣ। ଶପଥପାଠ କରିଥିବା ପ୍ରତ୍ୟେକ ସେବିକା ବିଦ୍ୟାର୍ଥୀ ସେବା ଓ ଶୁଶ୍ରୁସା ମାଧ୍ୟମରେ ଅସହାୟ ମୁର୍ମୁଷୁ ରୋଗି ମୁହଁରେ ଚେନାଏ ହସ ଫୁଟାଇବା ପାରିଲେ ତାହା ସେମାନଙ୍କ ଜୀବନକୁ ମହକିତ କରିଥାଏ। ସେବା ଓ ତ୍ୟାଗର ପ୍ରତୀକ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ନାମରେ ନାମିତ ଏହି ପ୍ରତିଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରତ୍ୟେକ ସେବିକା ବିଦ୍ୟାର୍ଥୀ କାର୍ଯ୍ୟକ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନୁଷ୍ଠାନକୁ ଅଧିକ ରୁଧିମନ୍ତ କରିବା ନିମନ୍ତେ ଆଶାବ୍ୟକ୍ତ କରବା ସହ ସଫଳତା କାମନା କରିଥିଲେ। ନର୍ସିଂ କଲେଜର ଅଧ୍ୟକ୍ଷ ଏଡଉଇନ ଆନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ବେବି ଏଡଉଇନ ଓ ଦେବାଶିଷ ପ୍ରଧାନ ସଂଯୋଜନା କରିଥିଲେ। ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ମଞ୍ଚାସୀନ ଅତିଥିଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ଜ୍ୟୋତିର୍ମୟୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।



