ତହସିଲଦାରଙ୍କ ପ୍ରତିଶ୍ରୁତି ପରେ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖ ଗଣଧାରଣା ପ୍ରତ୍ୟାହୃତ

କଲମପୁର : ଘୂର୍ଣ୍ଣିଝଡ଼ କ୍ଷତିଗ୍ରସ୍ତଙ୍କ ସଠିକ ଆକଳନ କରି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଦାବିରେ ସୋମବାରଠାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ପ୍ରତ୍ୟାହୃତ ହୋଇଛି। ତହସିଲଦାର ରୁଦ୍ର ମୋହନ ନାୟକଙ୍କ ପ୍ରତିଶୃତି ପରେ ମଙ୍ଗଳବାର ଦିନ ୧୨ଟା ବେଳେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି।

ସୂଚନା ଅନୁସାରେ, ଗତ ମେ’ ମାସ ୨୬ ତାରିଖରେ କଲମପୁର ଅଂଚଳରେ ଦେଖା ଦେଇଥିଲା ଭାୟାବହ ଘୂର୍ଣ୍ଣିଝଡ଼। ମାତ୍ର ୨୦ ମନିଟର ଏହି ଘୂର୍ଣ୍ଣିଝଡ଼ରେ ଘର ଦ୍ୱାର ଭାଙ୍ଗି ପ୍ରଭାବିତ ହେଇଥିଲେ ଅଂଚଳର ବହୁ ଲୋକ। ପ୍ରଶାସନ କିନ୍ତୁ ଉପର ଠାଉରିଆ ଭାବେ କ୍ଷୟକ୍ଷତି ଆକଳନ କରି କେବଳ କିଛି କ୍ଷତିଗ୍ରସ୍ତଙ୍କୁ ପଲିଥିନ ଖଣ୍ଡିଏ ଲେଖାଏଁ ଯୋଗାଇ ଦେଇ ନୀରବି ଯାଇଥିଲେ। ଦୀର୍ଘ ଏକମାସ ବିତି ସାରିଥିଲେ ମଧ୍ୟ ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତଙ୍କ ସଠିକ ଆକଳନ କରାଯାଇନଥିଲା, କିମ୍ବା କେହି କ୍ଷତିଗ୍ରସ୍ତ ସରକାରୀ ସହାୟତା ପାଇନଥିଲେ। ଯାହାକୁ ନେଇ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ବିଜୟ କୁମାର ପଣ୍ଡା, ଲକ୍ଷ୍ମୀକାନ୍ତ ବାଗ, ରବୀନ୍ଦ୍ର ନାଏକ, କମଳ ବାଗ, ହରେକୃଷ୍ଣ ସାହୁ, ସୌରଭ ବେହେରା ପ୍ରମୁଖ କର୍ମକର୍ତ୍ତା ପ୍ରଭାବିତଙ୍କୁ ନେଇ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଥିଲେ। ମଙ୍ଗଳବାର ଗଣଧାରଣାର ଦ୍ୱିତୀୟ ଦିନରେ ତହସିଲଦାର ରୁଦ୍ର ମୋହନ ନାୟକ କାର୍ଯ୍ୟାଳୟରେ ପ୍ରବେଶ କରିବା ପରେ ଅସନ୍ତୁଷ୍ଟ ଘୂର୍ଣ୍ଣିଝଡ଼ ପ୍ରଭାବିତ କାର୍ଯ୍ୟାଳୟର ବାହାର ପଟୁ ତାଲା ଦେଇଥିଲେ। ଏହାର ପରବର୍ତ୍ତୀ ସମୟରେ ତହସିଲଦାର ଶ୍ରୀ ନାୟକ ଆନ୍ଦୋଳକାରୀଙ୍କ ସହ ଆପୋଷ ଆଲୋଚନା କରିଥିଲେ। ଏହାସହ କଲମପୁର ରାଜସ୍ୱ ନିରୀକ୍ଷକଙ୍କ ନେତୃତ୍ୱରେ ସହକାରୀ ରାଜସ୍ୱ ନିରୀକ୍ଷକ, ହରାମାଲ ରାଜସ୍ୱ ନିରୀକ୍ଷକ ଏବଂ ମଣ୍ଡଳ ରାଜସ୍ୱ ନିରୀକ୍ଷକଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍‌‌ ମାଧ୍ୟମରେ କ୍ଷତିଗ୍ରସ୍ତଙ୍କ ସଠିକ ଆକଳନ କରାଯାଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ଏହାପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Comments are closed.