ନୂଆଦିଲ୍ଲୀ : ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ଆୟୋଜନ ହେଉଥିବା ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ଆସନ୍ତାବର୍ଷ କିମ୍ବା ୨୦୨୫ ପ୍ରାରମ୍ଭରେ ନୂଆ ଅବତାରରେ ଆସିବାକୁ ଯାଉଛି। ଆଇପିଏଲ୍ ଢାଞ୍ଚାରେ ଫ୍ରାଞ୍ଚାଇଜିଭିତ୍ତିକ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିଲା। ଏଥିରେ ଭାରତୀୟ ଖେଳାଳିଙ୍କ ସହ ବିଦେଶୀ ମଧ୍ୟ ଖେଳୁଥିଲେ। ଦୀର୍ଘ ୭ ବର୍ଷ ଧରି ବନ୍ଦହେବା ପରେ ଏଚ୍ଆଇଏଲ୍ ଆରମ୍ଭ କରିବାକୁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି। ପୂର୍ବରୁ କେବଳ ପୁରୁଷଙ୍କ ପାଇଁ ହକି ଇଣ୍ଡିଆ ଲିଗ୍ ଆୟୋଜନ ହୋଇଥିବା ବେଳେ ଏବେ ଉଭୟ ପୁରୁଷ ଓ ମହିଳାଙ୍କ ଲାଗି ଏଚ୍ଆଇଏଲ୍ ଆୟୋଜନ ହେବ।
ଆର୍ଥିକ ସଂଙ୍କଟ ଓ ଫ୍ରାଞ୍ଚାଇଜି ମାଲିକଙ୍କ ପକ୍ଷରୁ ସହଯୋଗ ନ ମିଳିବାରୁ ୨୦୧୭ରେ ଏଚ୍ଆଇଏଲ୍କୁ ବନ୍ଦ କରି ଦିଆ ଯାଇଥିଲା। ଓଡ଼ିଶାର ଗର୍ବ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କି ହକି ଇଣ୍ଡିଆର ସଭାପତି ଦାୟିତ୍ବ ନେବା ପରେ ଦେଶର ଯୁବ ଖେଳାଳିଙ୍କୁ ଉଚ୍ଚସ୍ତରର ହକି ଖେଳିବାର ସୁଯୋଗ ଦେବା ପାଇଁ ହକି ଇଣ୍ଡିଆ ଲିଗ୍ ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରାୟ ମାସେ ସମୟର ଅବଧି ଦେବା ପାଇଁ ଆନ୍ତର୍ଜାତିକ କହି ମହାସଂଘ (ଏଫ୍ଆଇଏଚ୍)କୁ ହକି ଇଣ୍ଡିଅା ଅନୁରୋଧ କରିଛି। ଏଫ୍ଆଇଏଚ୍ ପକ୍ଷରୁ କିଛି ସଙ୍କେତ ମିଳିଲେ ହକି ଇଣ୍ଡିଆ ଏଚ୍ଆଇଏଲ୍ ଆୟୋଜନ କରିବା ଦିଗରେ ଆଗେଇବ। ୨୦୧୩ରେ ଆରମ୍ଭ ହୋଇଥିବା ହକି ଇଣ୍ଡିଆ ଲିଗ୍ରେ ୬ଟି ଦଳ ଭାଗ ନେଇଥିଲେ। ୨୦୨୭ରେ ଓଡ଼ିଶାର ଦଳ କଳିଙ୍ଗ ଲାନ୍ସର୍ସ ଚମ୍ପିଆନ୍ ହୋଇଥିଲା।
ପୁଣି ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍
Popular Categories



