www.samajalive.in
Sunday, December 14, 2025
26.1 C
Bhubaneswar

ହାଣ୍ଡିଶାଳକୁ ମହଙ୍ଗା ମାଡ଼

ଭୁବନେଶ୍ବର : କିଛି ଦିନର ମୌସୁମୀ ବର୍ଷା ପରିବା ବଜାର ଉପରେ ପ୍ରଭାବ ପକାଇଛି। ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ କ୍ଷେତରେ ପରିବା ଫସଲ ନଷ୍ଟ ହୋଇଛି। ଏଥିସହିତ ମୌସୁମୀ ପ୍ରବାହରେ ବିଳମ୍ବ ଏବଂ ଗ୍ରୀଷ୍ମପ୍ରବାହ କାରଣରୁ ବର୍ଷା ଦିନିଆ ପରିବା ଚାଷ କ୍ଷତିଗସ୍ତ ହୋଇଛି। ଏହାଦ୍ବାରା ବଜାରକୁ ଚାହିଦା ମୁତାବକ ପରିବା ଆସୁନାହିଁ। ଫଳରେ ସମସ୍ତ ପରିବା ଦର ୧୦୦ଟଙ୍କା ଛୁଇଁଲାଣି। କିଛି ପରିବା ୧୫୦ଟଙ୍କା ଉପରେ ବିକ୍ରି ହେଉଛି। ସପ୍ତାହେ ହେଲା ରାଜ୍ୟରେ ପରିବା ଦର ଆକାଶଛୁଆଁ ହୋଇଥିବାରୁ ଖାଉଟି ଚିନ୍ତିତ ହୋଇ ପଡିଛନ୍ତି। ମୁନାଫାଖୋର ବେପାରୀ ଲାଭବାନ ହେଉଥିବା ବେଳେ ଦର ନିୟନ୍ତ୍ରଣକୁ ଆସୁନାହିଁ। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସରକାର ଦର ନିୟନ୍ତ୍ରଣ କରିବାରେ ବିଫଳ ବୋଲି ବିରୋଧୀ କଂଗ୍ରେସ ଓ ବିଜେପି କହୁଥିବା ବେଳେ ସରକାର ମାସେ ଏମିତି ଦର ଉଚ୍ଚା ରହିବ ବୋଲି କହୁଛନ୍ତି।
ପ୍ରବଳ ବର୍ଷା ଯୋଗୁଁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। କଞ୍ଚାଲଙ୍କା, ଟମାଟୋ, ପୋଟଳ, ଜହ୍ନି, କଲରା ଓ ବାଇଗଣ କିଆରିରେ ପାଣି ଜମି ରହିବାରୁ ଗଛ ନଷ୍ଟ ହୋଇଛି । ଅମଳ କମ୍ ରହୁଥିବା ଏବଂ ବଜାରକୁ ପର୍ଯ୍ୟାପ୍ତ ପରିବା ଆସୁନଥିବାରୁ ଦର ଆକାଶଛୁଆଁ । ଏହି କାରଣରୁ ହାଣ୍ଡିଶାଳରେ ଆଉ ସମସ୍ତ ପ୍ରକାର ପରିବା ଦେଖିବାକୁ ମିଳୁନାହିଁ। ପରିବା ଦର ବୃଦ୍ଧି ଯୋଗୁଁ ଆମିଷ ଉପରେ ଅଧିକ ମାଡ଼ ହେଲାଣି। ହୋଟେଲ ଗୁଡିକରେ ଆଳୁ ଓ ଡାଲିକୁ ଘାଣ୍ଟି ତରକାରୀ କରୁଛନ୍ତି। ବିନ୍ସ, ଝୁଡଙ୍ଗ, କ୍ୟାପ୍‌ସିକମ, ବିଲାତି ଓ ଖମ୍ବଆଳୁ ଦର ନ କହିବା ଭଲ। ବିନ୍ସ କିଲୋ ପିଛା ଦର ଗୋଦାମରେ ୧୨୦ଟଙ୍କା ଥିବାବେଳେ ଖାଉଟିଙ୍କୁ ୧୬୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଝୁଡଙ୍ଗ କିଲୋ ୧୫୦ ଟଙ୍କା ଥିବାବେଳେ ରବିବାର ଦର ୭୦ଟଙ୍କାକୁ ଖସି ଆସିଛି। କ୍ୟାପ୍‌ସିକମ କିଲୋ ୧୨୦ ଟଙ୍କା ଥିବାବେଳେ ବାଇଗଣ ୮୦ ଟଙ୍କା, ଫୁଲକୋବି ଗୋଟା ୬୦ ଟଙ୍କା, ପୋଟଳ କିଲୋ ୮୦ ଟଙ୍କା, ବିଲାତି କିଲୋ ୧୨୦ ଟଙ୍କା, ଭେଣ୍ଡି କିଲୋ ୮୦ ଟଙ୍କା, ସାରୁ କିଲୋ ୬୦ ଟଙ୍କା, ଖମ୍ବଆଳୁ କିଲୋ ୧୦୦ ଟଙ୍କା, କଖାରୁ କିଲୋ ୨୦ ଟଙ୍କା, ଅଦା କିଲୋ ୨୫୦ ଟଙ୍କା, ରସୁଣ କିଲୋ ୨୫୦ ଟଙ୍କା ଏବଂ କଞ୍ଚାଲଙ୍କା କିଲୋ ୨୦୦ ଟଙ୍କା ରହିଛି। ସେହିପରି ବନ୍ଧାକୋବି କିଲୋ ୩୫ଟଙ୍କା, କାକୁଡି କିଲୋ ୫୦ଟଙ୍କା ଏବଂ କଲରା କିଲୋ ୮୦ଟଙ୍କାରେ ବିକ୍ରି କରାଯାଉଛି।
ୟୁନିଟ-୧ ହାଟ ପରିବା ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି, ଓଡ଼ିଶାରେ ପରିବା ଚାଷ କମୁଛି, ତେଣୁ ପ୍ରାୟ ପରିବା ବାହାର ରାଜ୍ୟରୁ ଆସୁଥିବାରୁ ଦର ଅଧିକ ରହୁଛି। ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ, କଲକାତା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ନାସିକ ଏବଂ ରାୟପୁରରୁ ପରିବା ଆମଦାନୀ କରାଯାଉଛି। ବେଙ୍ଗାଲୁରୁରୁ ଫୁଲକୋବି, ବିଲାତି ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶରୁ କଦଳି, ମାଟିଆଳୁ, ଖମ୍ବଆଳୁ ଏବଂ କଖାରୁ ଆସୁଛି। ତାମିଲନାଡୁରୁ ଶଜନା ଛୁଇଁ ଅଣାଯାଉଛି। ମଧ୍ୟପ୍ରଦେଶରୁ ଗାଜର ଓ ବିଟ୍‌ ଆମଦାନୀ ହେଉଛି। ଅବଶିଷ୍ଟ କଞ୍ଚା ପରିବା ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଛି। କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ‌ଢେଙ୍କାନାଳ ଭଳି ପାହାଡ଼ିଆ ଅଞ୍ଚଳରେ ଉତ୍ପାଦିତ ହେଉଥିବା ପରିବା ଉପରେ ଭରସା କରିବାକୁ ପଡ଼ୁଛି। ବଲାଙ୍ଗୀର ଓ ବରଗଡ଼ରୁ କିଛି ପରିମାଣର ବାଇଗଣ ଆସୁଥିବା ବେଳେ ରାଇକିଆରୁ ପୋଟଳ ଆସୁଛି। ଯେଉଁଠାରେ ଯାହା ଅମଳ ହେଉଛି, ସେହି ଜିଲାରେ ରହୁଛି। ବାହାର ରାଜ୍ୟରୁ ପରିବା ଆସୁଥିବାରୁ ପରିବହନ ଖର୍ଚ୍ଚ ଅଧିକ ରହୁଛି। ପେଟ୍ରୋଲ ଓ ଡିଜେଲ ଦର ଅଧିକ ରହିବା ହେତୁ ପରିବା ଦର ସହିତ ପରିବହନ ଖର୍ଚ୍ଚ ମିଶାଇଲେ ଦର ଅଧିକ ରହିବା ସ୍ବାଭାବିକ। ପରିବା ବେପାରୀଙ୍କ କହିବାନୁଯାୟୀ, ଦର ବୃଦ୍ଧି ପାଇବା ଯୋଗୁଁ ହାଟକୁ ପୂର୍ବଭଳି ଲୋକ ଆସୁନାହାନ୍ତି। ବେପାର କମୁଥିବାରୁ ପରିବା ନଷ୍ଟ ହେଉଛି, ଫଳରେ ବେପାରୀ ଲକ୍ଷାଧିକ ଟଙ୍କା କ୍ଷତି ସହୁଛନ୍ତି।
କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, କେବଳ ନିର୍ବାଚନ ଆସିଲେ ସରକାର ଶୀତଳଭଣ୍ଡାର କଥା କହନ୍ତି। ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି ପ୍ରାୟ ୧୦ ବର୍ଷ ହେବ କହି ଆସୁଛନ୍ତି। ନିର୍ବାଚନ ଶେଷ ହେବା ପରେ ଏହି ପ୍ରସଙ୍ଗ ଶୀତଳ ଭଣ୍ଡାରକୁ ଚାଲିଯାଉଛି। ତୁରନ୍ତ ଏ ଦିଗରେ ସରକାର ପଦକ୍ଷେପ ନ ନେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି। ବିଜେପି ମୁଖ୍ୟପାତ୍ର ମନୋଜ ମହାପାତ୍ର କହିଛନ୍ତି, ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଜନସାଧାରଣ ମହାଙ୍ଗା ମାଡ଼ର ସାମ୍ନା କରୁଛନ୍ତି। ଅମଳ ସମୟରେ ବିଲାତି ସହିତ ଅନ୍ୟାନ୍ୟ ପରିବା ସଂରକ୍ଷଣ କରାଯାଉ ନାହିଁ। ଚାଷୀ ଉପଯୁକ୍ତ ମୂଲ୍ୟ ନ ପାଇବାରୁ ଫସଲ ଜମିରେ ଛାଡି ଦେବାର ନଜିର ରହିଛି। ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ଏହି ସମୟରେ ପରିବା ଅମଳ କମ ରହୁଥିବାରୁ ବଜାରରେ ଦର ବୃଦ୍ଧି ପାଉଛି। ଏମିତି ଉଚ୍ଚା ଦର ଆଉ ଗୋଟିଏ ମାସ ରହିବ। ମାସକ ପରେ ପରିବା ଅମଳ ହେଲେ ଦର କମିବ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories