୨ଘଣ୍ଟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ବନ୍ଦ, ଦର୍ଶନ ନପାଇ ଫେରିଲେ ଭକ୍ତ
ପୁରୀ : ଚଳିତ ବର୍ଷ ରଥଯାତ୍ରା ବିଶୃଙ୍ଖଳା ବଢ଼ିବାରେ ଲାଗିଛି। ସୋମବାର ରାତିରେ ନିର୍ଦ୍ଧାରିତ ସମୟର ଦୁଇଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ଦ୍ବାର ବନ୍ଦ କରି ଦିଆଯାଇଛି। ଏଥିଯୋଗୁ ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ ନପାଇ ଫେରିଛନ୍ତି। ମନ୍ଦିର ପ୍ରଶାସନର ଏଭଳି ମନମାନି ଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀ ମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକରେ ଅନୁମୋଦିତ ନୀତି ନିର୍ଘଣ୍ଟ ପାଳନ କରାଯାଇ ନାହିଁ। ରାତି ୧ଟା ୩୦ରେ ମହାପ୍ରଭୁଙ୍କୁ ପହୁଡ଼ କରାଯିବ ବୋଲି ନୀତି ନିର୍ଘଣ୍ଟ ପୁସ୍ତିକାରେ ପ୍ରକାଶ କରାଯାଇଛି। କିନ୍ତୁ ସୋମବାର ସେଥିରେ ବ୍ୟତିକ୍ରମ ଦେଖାଦେଇଛି। ରାତି ୧୧ଟା ୩୫ରୁ ପ୍ରଭୁଙ୍କୁ ରାତ୍ର ପହୁଡ଼ କରାଯିବା ସହ ଗୁଣ୍ଡିଚା ମନ୍ଦିର ବନ୍ଦ କରି ଦିଆଯାଇଛି। ଏଥିଯୋଗୁ ଦୂର ଦୁରାନ୍ତରୁ ଆସିଥିବା ବହୁ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରି ଯାଇଛନ୍ତି। ମଙ୍ଗଳବାର ନବମୀ ସନ୍ଧ୍ୟା ଦର୍ଶନ ଅପରାହ୍ନ ୫ଟାରୁ ବନ୍ଦ ହେବ ବୋଲି ମନ୍ଦିର ପ୍ରଶାସନ ଆଗୁଆ ସୂଚନା ଦେଇଛି। ତେଣୁ ଭକ୍ତଙ୍କ ପ୍ରବଳ ଭିଡ ହେବା ସମ୍ଭାବନା ରହିଛି। ଏଥିଯୋଗୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ସୋମବାର ରାତିରେ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। କିନ୍ତୁ ଭକ୍ତମାନେ ପହଞ୍ଚିବା ବେଳକୁ ମନ୍ଦିର ଦ୍ବାର ବନ୍ଦ କରି ଦିଆଯାଇଥିଲା। ଏ ସମ୍ପର୍କରେ ମନ୍ଦିର ପ୍ରଶାସନର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
Comments are closed.