ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ଚା’ ବିକିଲେ ମମତା
କଲକାତା : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚା’ ବିକ୍ରି କରିବା ଦେଖିବାକୁ ମିଳିଛି । ଜଲପାଇଗୁଡିକର ମାଲବଜାର ଅଞ୍ଚଳର ଏକ ରାସ୍ତା କଡ ଦୋକାନରେ ମମତା ଚା’ ତିଆରି କରି ଗ୍ରାହକଙ୍କୁ ବିକ୍ରି କରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ପଞ୍ଚାୟତ ନିର୍ବାଚନରେ ମମତାଙ୍କ ଏପରି ପ୍ରଚାରକୁ କଂଗ୍ରେସ ସମାଲୋଚନା କରିଛି। ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଶାସକ ଟିଏମସି ଉପରୁ ଭୋଟରଙ୍କ ଭରସା ତୁଟିଯାଇଥିବା ମମତା ହୃଦବୋଧ କରିପାରିଲେଣି। ତେଣୁ ଦୀର୍ଘ ୧୨ବର୍ଷ ପରେ ମମତା ନିଜେ ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। ଟିଏମସି ସରକାରର ଦୁର୍ନୀତିରେ ଲୋକେ ଏବେ ଅତିଷ୍ଠ ହୋଇପଡିଲେଣି ବୋଲି ଅଧୀର କହିଛନ୍ତି। ଅନ୍ୟପଟେ ମମତା ଅଭିଯୋଗ କରିଛନ୍ତି ଯେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ସୀମାନ୍ତ ଗ୍ରାମର ଭୋଟରଙ୍କୁ ଭୟଭୀତ କରୁଛି । ବିଏସଏଫ୍ର ଏପରି କାର୍ଯ୍ୟ ଉପରେ ନଜର ରଖିବାକୁ ମମତା ରାଜ୍ୟ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଜୁଲାଇ ୮ରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ହେବ। ୧୧ ତାରିଖରେ ଭୋଟ ଗଣତି ହେବ।
Comments are closed.