ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ

କାଇରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦ ନିଲ’ରେ ସମ୍ମାନିତ ହୋଇଛନ୍ତି। ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ପତାହ ଏଲ୍‌-ସିସି ରବିବାର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ୯ବର୍ଷର କାର୍ଯ୍ୟକାଳ ମଧ୍ୟରେ ମୋଦୀ ୧୩ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ପାଇଲେଣି। ଏହା ଭାରତ ପାଇଁ ଗର୍ବର ବିଷୟ। ଆମେରିକା ପରେ ଇଜିପ୍ଟ ଗସ୍ତର ଶେଷ ଚରଣରେ ମୋଦୀ ରବିବାର ଇଜିପ୍ଟର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ରାଷ୍ଟ୍ରପତି ପତାହ ଏଲ୍‌-ସିସିଙ୍କ ସହିତ ଦ୍ବିପାକ୍ଷିକ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ। ମୋଦୀ କାଇରୋସ୍ଥିତ ହେଲିଓପଲିସ୍‌ ଯୁଦ୍ଧ ସ୍ମାରକୀରେ ପ୍ରଥମ ବିଶ୍ବଯୁଦ୍ଧରେ ସହିଦ ହୋଇଥିବା ୩୭୯୯ ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ସେ ଏକାଦଶ ଶତାବ୍ଦୀର ନିର୍ମିତ ଐତିହାସିକ ଅଲ୍ ହାକିମ୍ ମସ୍‌ଜିଦକୁ ପରିଦର୍ଶନ କରିଥିଲେ। ଏହି ମସ୍‌ଜିଦ ଭାରତ ଓ ଇଜିପ୍ଟ ସଂସ୍କୃତିର ଏକ ନିଦର୍ଶନ। ମୋଦୀଙ୍କ ଇଜିପ୍ଟ ଗସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଅଲ୍‌ ହାକିମ୍ ମସଜିଦ ପରିଦର୍ଶନ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଅଂଶ। ଶନିବାର ମୋଦୀ ତାଙ୍କର ପ୍ରଥମ ଦିନ ଗସ୍ତରେ ଇଜିପ୍ଟର ଗ୍ରାଣ୍ଡ ମୁଫତି ସ୍ବାକି ଇବ୍ରାହିମ୍ ଅବଦେଲ-କରିମ୍ ଆଲାମଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ କଥାବାର୍ତ୍ତା କରିଥିଲେ। ବିଶେଷକରି ସାମାଜିକ ସହାବସ୍ଥାନ ଓ ଆତଙ୍କବାଦ ନିରୋଧ କ୍ଷେତ୍ରରେ ଉଭୟ ଆଲୋଚନା କରିଥିଲେ। ଏହି ଅବସରରେ ମୋଦୀ କହିଥିଲେ ଯେ ଇଜିପ୍ଟର ଇସଲାମିକ ଗବେଷଣା ପ୍ରତିଷ୍ଠାନରେ ଭାରତ ସୂଚନା ପ୍ରଯୁକ୍ତି କେନ୍ଦ୍ର ଖୋଲିବ। ରବିବାର ମୋଦୀ ତାଙ୍କର ଇଜିପ୍ଟ ଗସ୍ତ ଶେଷ କରି ସ୍ବଦେଶ ଫେରିଆସିଛନ୍ତି।

Comments are closed.