ଟେଷ୍ଟ ଦଳରୁ ପୂଜାରା ବାଦ୍ ; ଜୟସୱାଲ, ଋତୁରାଜ, ମୁକେଶ ନୂଆ ମୁହଁ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଓ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷିତ, ଦିନିକିଆ ଦଳକୁ ଫେରିଲେ ସାମସନ
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଲାଗି ଶୁକ୍ରବାର ବିସିସିଆଇ ସିନିୟର ମନୋନୟନ କମିଟି ପକ୍ଷରୁ ପୃଥକ ପୃଥକ ଦଳ ଘୋଷଣା କରାଯାଇଛି । ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ଟେଷ୍ଟ ଦଳରୁ ବାଦ୍ ପଡିଛନ୍ତି। ନୂଆ ମୁହଁ ଭାବେ ବାମହାତୀ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସୱାଲ, ଋତୁରାଜ ଗାଏକ୍ବାର୍ଡ ଓ ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସୁଯୋଗ ମିଳିଛି । ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି। ରୋହିତ ଶର୍ମା ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ରହିଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ୮୯ ଓ ୪୬ରନ କରିଥିବା ଅଜିଙ୍କ୍ୟ ରାହାଣେଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଦ୍ରୁତ ବୋଲର ନବଦୀପ୍ ସୈନି ଟେଷ୍ଟ ଦଳକୁ ମଧ୍ୟ ଫେରିଛନ୍ତି। ବରିଷ୍ଠ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ବିଫଳ ହେବା ପରେ ମନୋନୟନକାରୀ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ପୂଜାରାଙ୍କ ସ୍ଥାନରେ ଋତୁରାଜ ଓ ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଜୟସୱାଲଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ୨୦୨୩ ଆଇପିଏଲରେ ଜୟସୱାଲ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୪ଟି ମ୍ୟାଚରୁ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସହ ୪୮.୦୭ ପ୍ରତିଶତ ହାରରେ ୬୨୫ରନ କରିଥିଲେ। ସେହିପରି ଚେନ୍ନଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳିଥିବା ଋତୁରାଜ ୧୬ଟି ମ୍ୟାଚରୁ ୪ଟି ଅର୍ଦ୍ଧଶତକ ସହ ୫୯୦ରନ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ଋତୁରାଜଙ୍କୁ ଟେଷ୍ଟ ଓ ଦିନିକିଆ ଦଳରେ ସୁଯୋଗ ମିଳିଛି। ଅନ୍ୟପକ୍ଷରେ ଦ୍ରୁତ ବୋଲର ମୁକେଶ କୁମାର ଉଭୟ ଦିନିକିଆ ଓ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ମୁକେଶ ୨୦୨୩ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି ୧୦ଟି ମ୍ୟାଚରୁ ୭ଟି ୱିକେଟ ନେଇଥିଲେ। ଦଳରେ ସ୍ପିନର ଭାବେ ଅଶ୍ବିନ, ଜାଡେଜା, ଅକ୍ଷର ରହିଥିବାବେଳେ ଦ୍ରୁତ ବୋଲିଂ ବିଭାଗରେ ମହମ୍ମଦ ସିରାଜ,ନବଦୀପ୍ ସୈନି, ମୁକେଶ କୁମାର, ସାର୍ଦୁଳ ଠାକୁର, ଜୟଦେବ ଉନାଦକତ ରହିଛନ୍ତି। ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ଖେଳିଥିବା ଉମେଶ ଯାଦବଙ୍କୁ ବାଦ୍ ଦିଆଯାଇଛି। ସେହିପରି ଦିନିକିଆ ଦଳରେ ଋତୁରାଜ ଗାଏକ୍ବାର୍ଡ, ଦ୍ରୁତ ବୋଲର ମୁକେଶ ସାମିଲ ହୋଇଥିବାବେଳେ ସଞ୍ଜୁ ସାମସନ ଫେରିଛନ୍ତି। ସଞ୍ଜୁ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରି ଦିନିକିଆ ଦଳକୁ ଫେରିଛନ୍ତି। ହାର୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ରହିଛନ୍ତି। ଉମ୍ରାନ ମଲ୍ଲିକଙ୍କୁ ଆଉ ଏକ ସୁଯୋଗ ମିଳିଛି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। ପ୍ରଥମ ଟେଷ୍ଟ ଜୁଲାଇ ୧୨ରୁ ୧୬ ଓ ଦ୍ବିତୀୟ ଟେଷ୍ଟ ଜୁଲାଇ ୨୦ରୁ ୨୪ ପର୍ଯ୍ୟନ୍ତ ଖେଳାଯିବ। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଜୁଲାଇ ୨୭, ୨୯ ଓ ଅଗଷ୍ଟ ୧ରେ ଖେଳାଯିବ। ସେହିପରି ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳା ଅଗଷ୍ଟ ୩, ୬, ୮, ୧୨ ଓ ୧୩ରେ ଖେଳାଯିବ।
ଭାରତୀୟ ଦିନିକିଆ ଦଳ : ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ଋତୁରାଜ ଗାଏକ୍ବାର୍ଡ,ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ ଓ ଇଶାନ କିଷନ(ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ସାର୍ଦୁଳ ଠାକୁର, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଯୁଜୁବେନ୍ଦ୍ର ଚହଲ, କୁଳଦୀପ୍ ଯାଦବ, ଜୟଦେବ ଉନାଦକତ୍, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ, ମୁକେଶ କୁମାର।
ଭାରତୀୟ ଟେଷ୍ଟ ଦଳ : ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍, ଋତୁରାଜ ଗାଏକ୍ବାର୍ଡ, ବିରାଟ କୋହଲି, ଯଶସ୍ବୀ ଜୟସୱାଲ, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), କେ.ଏସ୍ ଭାରତ (ୱିକେଟରକ୍ଷକ), ଇଶାନ କିଷନ (ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ସାର୍ଦୁଳ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ୍, ନବଦୀପ୍ ସୈନି।
Comments are closed.