ମାହେଶ୍ୱରୀ ଇସ୍ପାତ କାରଖାନା : ନୂତନ ଉଦ୍ୟୋଗରେ ଶ୍ରମିକ-କର୍ମଚାରୀଙ୍କ ଥଇଥାନ ଦାବି

ଶ୍ରମିକ-କର୍ମଚାରୀ ସଂଘର ବିଭିନ୍ନ ଦାବି ନେଇ ସାମ୍ବାଦିକ ସମ୍ମିଳନୀ

ଗୁରୁଡିଝାଟିଆ :  ଜୀବନ, ଯୌବନ ଲୁହ ଲହୁ ଦେଇ ମାହେଶ୍ୱରୀ ଇସ୍ପାତ କାରଖାନାକୁ ପ୍ରଗତି ପଥରେ ଆଗେଇ ନେଇଛି। କାରଖାନା ମଧ୍ୟ ଦିପଇସା ଲାଭ କରିଛି । ହେଲେ ପରିଚାଳନାଗତ ତୃଟିଯୋଗୁଁ କାରଖାନା ୧୧ବର୍ଷ ଧରି ବନ୍ଦ ରହିବା ଫଳରେ କାର୍ଯ୍ୟରତ କର୍ମଚାରୀଙ୍କ ଅର୍ଥନୈତିକ ଦୁର୍ଗତି ଦେଖାଦେଇଛି । କାରଖାନାରେ କାର୍ଯ୍ୟରତ ୨୫୦ ଶ୍ରମିକ ଓ କର୍ମଚାରୀ କାର୍ଯ୍ୟ କରୁଥିଲେ । ସେଥିରୁ ସ୍ଥାନୀୟ ଅଞ୍ଚଳରୁ ୧୫୦ଜଣ ଥିଲେ। କାରଖାନା କର୍ତ୍ତୃପକ୍ଷ ନା ଦରମା କି ଭବିଷ୍ୟନିଧି ଟଙ୍କା ଦେଲା ନାହିଁ। ହେଲେ ଏବେ କାରଖାନାକୁ ବିକେ ଷ୍ଟିଲ ନାମରେ ଏକ ନୂତନ ଉଦ୍ୟୋଗ ପରିଚାଳନା କରୁଛି । କାରଖାନାରେ ଉତ୍ପାଦନ ମଧ୍ୟ ଆରମ୍ଭ ହେବ। ହେଲେ ଜୀବନକୁ ପାଣି ଛଡାଇ ମାହେଶ୍ୱରୀ କାରଖାନାକୁ ଛିଡା କରିଥିବା କର୍ମଚାରୀମାନଙ୍କୁ ନୂତନ କାରଖାନା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ନିଯୁକ୍ତି ଦେଇନାହିଁ ବା ଦେବା ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ କରିନଥିବାରୁ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଏଣୁ ତୁରନ୍ତ ନିଯୁକ୍ତି ଦେବା ସହ ବକେୟା ପ୍ରାପ୍ୟ ପ୍ରଦାନ କରିବା ନିମନ୍ତେ ମାହେଶ୍ୱରୀ ଇସ୍ପାତ କାରଖାନା କର୍ମଚାରୀ-ଶ୍ରମିକ ସଂଘ କର୍ମକର୍ତ୍ତା ତଥା ହିନ୍ଦ ମଜଦୁର ସଭା ଆଠଗଡ ଶାଖାର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜର ଦାବି ଜଣାଇବା ସହିତ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ହିନ୍ଦୁ ମଜଦୁର ସଭାର ବରିଷ୍ଠ କର୍ମକର୍ତ୍ତା ଅଶୋକ କୁମାର ରାଉତ ବିରଜା କିଙ୍କର, ଗଗନ ବିହାରୀ ପରିଡା, ହିମାଂଶୁ ଶେଖର ପ୍ରଧାନଙ୍କ ସହିତ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ୩୦ ତାରିଖ ସୁଦ୍ଧା  ଦାବି ପୁରଣ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

Comments are closed.