ଚୌଦ୍ୱାରରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା

ଚୌଦ୍ୱାର :  ଚୌଦ୍ୱାରର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରବାଟିଆ ହାଉସିଂ ବୋର୍ଡ଼ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କର ସମସ୍ତ ନୀତିକାନ୍ତି ଓ ଉପଚାର ପୂଜା ସମ୍ପନ୍ନ କରାଯିବା ପରେ ଅପରାହ୍ଣରେ ଶ୍ରୀଜୀଉ ମାନଙ୍କୁ ପହଣ୍ଡି କରିି ମନ୍ଦିରରୁ ନିଆଯାଇ ରଥାରୁଢ଼ କରାଯାଇଥିଲା । ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ରଥରେ ଛେରା ପହଁରା କରିବା ପରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଘଣ୍ଟଘଣ୍ଟା, ତୁରୀ, ମହୁରୀ ବାଦ୍ୟ ଓ ଶଙ୍ଖଧ୍ୱନି, ହରିବୋଲ ହୁଳହୁଳି ସହିତ ଉତ୍ସାହ ଉଦ୍ଦିପନା ମଧ୍ୟରେ ରଥ ଟାଣି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନେଇଯାଇଥିଲେ। ରଥ ଟଣାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିବା ସହିତ ଏହି ପବିତ୍ର ଯାତ୍ରା ଉପଭୋଗ କରୁଥିବା ଏବଂ ରଥାରୁଢ଼ ତିନି ଠାକୁରଙ୍କୁ ଦର୍ଶନ କରି ଭକ୍ତ ମାନେ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା। ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ଶୁଭେନ୍ଦୁ ସାମଲଙ୍କ ତତ୍ୱାବଧାନରେ ଟ୍ରଷ୍ଟ ବୋର୍ଡ଼ର ସଦସ୍ୟମାନେ ରଥଟଣା ଓ ପୂଜାବିଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

prayash

ଚୌଦ୍ୱାର ମଙ୍ଗଳା ସାହି ଜଗନ୍ନାଥ ମନ୍ଦିରରେ ଅନୁରୂପ ଭାବେ ବିଭିନ୍ନ ଉପଚାର ପୂଜା ପରେ ଦିଅଁ ମାନଙ୍କୁ ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା । ଡା. ପ୍ରଣୟାନନ୍ଦ ସ୍ୱାଇଁ ରଥରେ ଛେରା ପହଁରା କରିବା ପରେ ତିନି ଦିଅଁଙ୍କୁ ତଳବଜାର ସ୍ଥିତ ମାଉସୀ ମା ମନ୍ଦିରକୁ ନିଆଯାଇଥିଲା। ନବଗ୍ରହ ସାହିରେ ନିଳାଚଳ ଜଗନ୍ନାଥ ପରିବାର ତରଫରୁ ଆୟୋଜିତ ରଥଯାତ୍ରାରେ ଅଜିତ କୁମାର ସ୍ୱାଇଁ ଛେରା ପହଁରା କରିଥିଲେ। କପାଳେଶ୍ୱର, ଓଟିଏମ୍ କଲେନୀ, ବିଲ୍ଟ ବଜାରର ଜଗନ୍ନାଥ ମନ୍ଦିର ମାନଙ୍କରେ ମଧ୍ୟ ଘୋଷଯାତ୍ରା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସେହିପରି ଚୌଦ୍ୱାର, ଗୋଡ଼ି ପାଟଣା, ବେଉରା ସାହି ଆଦି ସ୍ଥାନରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ମାଉସୀ ମା’ ମନ୍ଦିର ଗୁଡିକରେ ସଂଧ୍ୟାରେ ଭଜନ ସମାରୋହ ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା। ଚୌଦ୍ୱାର ପୁଲିସ, ପୌରପାଳିକା, ଜନସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ ତରଫରୁ ଉତ୍ସବର ସୁପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Comments are closed.