ଯୋଗଦେଲେ ୨୬୯ ଅଧିକାରୀ
ବିଇଓ ଓ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତ ହେଲେ ୧୬୦ ଓଇଏସ୍, ସରକାରଙ୍କ ସମସ୍ତ ସଂସ୍ଥା ଏକାଠି କାମ କରନ୍ତୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଜି ୨୬୯ ଅଧିକାରୀ ଯୋଗଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଏବଂ ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଛନ୍ତି ୧୬୦ ଓଡ଼ିଶା ଶିକ୍ଷା ସେବା ଅଧିକାରୀ (ଓଇଏସ)। ସେହିପରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ୯୦ ସାମାଜିକ ସୁରକ୍ଷା ସେବା ଅଧିକାରୀ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଭାବେ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ୧୯ ଓଡ଼ିଶା ସୂଚନା ସେବା ଅଧିକାରୀ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି।
ନବନିଯୁକ୍ତ ଅଧିକାରୀଙ୍କ ନିମନ୍ତେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସ୍ବପ୍ନ ପୂରଣ କରିବାକୁ ତାଙ୍କ ସରକାର ଏକ ରୂପାନ୍ତରଣ ଶାସନ ଚଳାଇଛନ୍ତି। ଭିତ୍ତିଭୂମି ନିର୍ମାଣ, ବିଦ୍ୟାଳୟ ରୂପାନ୍ତରୀକରଣ, ସ୍ବାସ୍ଥ୍ୟ ସୁରକ୍ଷା ପ୍ରଦାନ ଏବଂ ପୁଞ୍ଜିନିବେଶ ଆକର୍ଷଣ ଭଳି ବିଭିନ୍ନ ପଦକ୍ଷେପ ସରକାର ନେଉଛନ୍ତି। ୨୦୩୬ରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ବେଳକୁ ଦେଶର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ଗଢ଼ି ତୋଳିବା ଆମର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରୂପାନ୍ତରଣ ଯାତ୍ରା ସମ୍ପର୍କରେ ସେ ଆଲୋକପାତ କରିବା ସହ ସରକାରଙ୍କ ସମସ୍ତ ସଂସ୍ଥା ଏକାଠି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ନବନିଯୁକ୍ତ ଅଧିକାରୀଙ୍କୁ ଶାସନ ବ୍ୟବସ୍ଥାରେ ୫-ଟି ଉପକ୍ରମର ଅନୁକରଣ କରିବାକୁ ସେ ଉପଦେଶ ଦେଇଥିଲେ। ସରକାରୀ ଅଧିକାରୀ ଭାବେ ଲୋକଙ୍କୁ ଉତ୍ତମ ସେବା ଯୋଗାଇବାକୁ ପ୍ରତିବଦ୍ଧ ହେବା ଉପରେ ସେ ଗୁରୁତ୍ବ ଦେଇଥିଲେ। ବୟସ୍କ, ଭିନ୍ନକ୍ଷମ ଆଦିଙ୍କୁ ସେବା ଯୋଗାଇବାରେ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କେହି ଯେପରି ସେବାରୁ ବାଦ୍ ନ ପଡ଼ିବେ, ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ। ସେହିପରି ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ରାଜ୍ୟର କାର୍ଯ୍ୟକ୍ରମ ସମ୍ପର୍କରେ ସଠିକ୍ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବା ଜରୁରୀ। ସାମାଜିକ ଗଣମାଧ୍ୟମ ବ୍ୟବହାର କରି ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ସେ ପରାମର୍ଶ ଦେଇଥିଲେ। ଶିକ୍ଷକ ଏବଂ ଶିକ୍ଷା ଅଧିକାରୀଙ୍କ ଦାୟିତ୍ବ ଅତି ଗୁରୁତ୍ବପୂର୍ଣ୍ଣ। ଏକ ସମୃଦ୍ଧ ସମାଜ ପାଇଁ ଗୁଣାତ୍ମକ ଶିକ୍ଷା ହେଉଛି ମୌଳିକ ଆବଶ୍ୟକତା। ଶିକ୍ଷା ପାଇଁ ଆମର ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ଉନ୍ନତ ପରିବେଶ ରହିଛି। ଏହା ଭବିଷ୍ୟତ ପାଇଁ ଆମ ପିଲାଙ୍କୁ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତ ରଖିଥିଲେ। ଏଥିସହ ସମସ୍ତଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।
ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗୀୟ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହ ୫-ଟି ଉପକ୍ରମକୁ ଅନୁକରଣ କରିବାକୁ ଅଧିକାରୀମାନଙ୍କୁ ମନ୍ତ୍ରୀମାନେ ପରାମର୍ଶ ଦେଇଥିଲେ। ତିନୋଟି ବିଭାଗର ୩ ଅଧିକାରୀ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ସମସ୍ତେ ସ୍ବଚ୍ଛ ଏବଂ ତ୍ବରିତ ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ। ଲୋକଙ୍କୁ ସେବା ଯୋଗାଇବା ପାଇଁ ସେମାନେ ବୃତ୍ତିଗତତା ସହ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ ଥିବା ଉଲ୍ଲେଖ କରିଥିଲେ। ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ସ୍ବାଗତ ଭାଷଣ ଅବସରରେ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରିଥିଲେ। ବିଭାଗୀୟ ସଚିବମାନେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ।
Comments are closed.