ତୋତେ ହିଁ ତୁହି ରକ୍ଷାକର
ଭଗବତ ରାଜ୍ୟରେ ଯେମିତି, ଭୌତିକ ଭାବରେ ହିଁ ‘ସୁରକ୍ଷା’ର ଭାବ, ବ୍ୟବସ୍ଥା ସେମିତି ବ୍ୟବସ୍ଥିତ। ବିପଦ, ଆପଦବେଳେ ତା’ର ପ୍ରତିକାର ପାଇଁ ଯଜ୍ଞାଦିର ବ୍ୟବସ୍ଥା ରହିଛି। ରାମଙ୍କୁ ହତ୍ୟା ଓ ପରାଜିତ କରାଯିବାକୁ ରାବଣ, ଇନ୍ଦ୍ରଜିତଙ୍କ ଦ୍ବାରା ଯଜ୍ଞର ଆୟୋଜନ କଲେ। ଏ ଯଜ୍ଞ ସଫଳ ହୋଇଗଲେ, ରାବଣ ରାମଙ୍କୁ ପରାଜିତ କରିପାରିବେ, ତେଣୁ ଏ ଯଜ୍ଞକୁ ଭାଙ୍ଗିବା ପାଇଁ ଶ୍ରୀହନୁମାନଜୀଙ୍କୁ ପ୍ରେରଣ କରାଗଲା। ହନୁମାନ ଯଜ୍ଞକୁଣ୍ଡରେ ପରିସ୍ରା କରି ଅପବିତ୍ର କରିଦେଲେ, ଯଜ୍ଞ ନଷ୍ଟ ହୋଇଗଲା। ସୁରକ୍ଷାର ବିଧିବ୍ୟବସ୍ଥା ଯେମିତି ଅଛି, ସେ ସୁରକ୍ଷା ବ୍ୟବସ୍ଥା ବ୍ୟର୍ଥ ହୋଇଗଲେ, ବିନାଶ ସେମିତି ଅବଶ୍ୟମ୍ଭାବୀ ହୋଇପଡ଼େ। ସୁରକ୍ଷା କବଚ ଏ ସଂସ୍କାରରେ ବହୁଭାବେ ବ୍ୟବସ୍ଥିତ। ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣ ଜନ୍ମ ସମୟରୁ କାନରେ କୁଣ୍ଡଳ ଓ ବକ୍ଷରେ ‘ମଗର’ ବା ସାଞ୍ଜୁ ସହ ଜନ୍ମିଥିଲେ। ତେଣୁ କୌଣସି ଅସ୍ତ୍ର ଏ ରକ୍ଷା କବଚକୁ ପ୍ରତିହତ କରିପାରିବ ନାହିଁ। କର୍ଣ୍ଣ ତ କୌରବ ପକ୍ଷର ଥିଲେ। ଇନ୍ଦ୍ର ଅର୍ଜୁନଙ୍କୁ ଅପରାଜେୟ ରଖିବାକୁ ବ୍ରାହ୍ମଣ ବେଶରେ ମହାଦାନୀ କର୍ଣ୍ଣଙ୍କ ଜୀବନ ରକ୍ଷାକାରୀ ଦୁଇ କବଚ-କୁଣ୍ଡଳ ଭିକ୍ଷା କରିଥିଲେ। ବିଶ୍ବରେ ମହାଦାନୀ ଭାବେ ପରିଚିତ କର୍ଣ୍ଣ ମାଂସ ଚିରି ରକ୍ତାକ୍ତ ହୋଇ ଦୁଇ କବଚକୁ ଅକୁଣ୍ଠେ ଦାନ କରିଥିଲେ। ନିଜକୁ ସେ ମହାଦାନୀ ବୋଲି ପ୍ରମାଣ ରଖିଦେଲେନି କେବଳ ତ୍ୟାଗ, ଉଦାରତା ଓ ନିରପେକ୍ଷତାରେ ଦୃଢ଼ତା ସେ କାଳ କାଳକୁ ଦେଖେଇଦେଲେ। ରକ୍ଷା କବଚ ହରେଇ ମୃତ୍ୟୁ ଅଧୀନ ହୋଇଗଲେ। ‘କବଚ’ ମନ୍ତ୍ରପୂତ ଏକ ସୁରକ୍ଷା ଅଳଙ୍କାର, ଆଭୂଷଣ ନୁହେଁ, ଏକ ଅମୋଘ ଅସ୍ତ୍ର। ସେମିତି ଏକ ଜୀବନ୍ତ ‘କବଚ’ ବିଷୟରେ ପ୍ରଥମ ଯୁଦ୍ଧ ବେଳ ଘଟଣାରେ ବର୍ଣ୍ଣନା ଅଛି। ତତ୍କାଳୀନ ରୁଷିଆ ଗୁଇନ୍ଦା ପୁଲିସର ଏକ ବିବରଣୀରୁ ଏହା ଜଣାପଡ଼ିଥିଲା। ସମ୍ରାଟ ଜାର୍ ଦ୍ବିତୀୟ ନିକୋଲାସଙ୍କର ଏକମାତ୍ର ଷୋଡ଼ଶବର୍ଷୀୟ କିଶୋର ରୁଗ୍ଣ ଥିଲା ଓ ବାରମ୍ବାର ଜ୍ବରାକ୍ରାନ୍ତ ହେଉଥିଲା। ଥରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଲା ଓ ଚିକିତ୍ସକମାନେ ହାତ ଟେକିଦେଲେ। ଜରିନା ପଲଙ୍କ ଖଟ ଧାରରେ ମୁଣ୍ଡବାଡ଼େଇ କହିଲେ, ‘ଯଦି ମୋ ପୁଅ ଆଜି ସୁସ୍ଥ ନ ହୁଏ ତେବେ ମୁଁ ଆତ୍ମହତ୍ୟା କରିବି।’ ବିଶ୍ବର ସମ୍ରାଟ ଜାର୍ ବି ଅସହାୟ ହୋଇପଡ଼ିଲେ। ରାଜମହଲର ଏକ କର୍ମଚାରୀ, ଜାର୍ଙ୍କୁ ଜଣେ ‘ପାଗଳ ବାବା’ (ମ୍ୟାଡ୍ ମଙ୍କ୍ ଅଫ ରଷିଆ) ବିଷୟରେ କହିଲେ। ସେ ଯଦି ଏ ବାଳକ ପ୍ରତି କୃପା କରିବେ ବାଳକ ନିଶ୍ଚୟ ଭଲ ହୋଇଯିବ। ସେ ମିଳିବେ କେଉଁଠି ଜାର୍ଙ୍କ ପ୍ରଶ୍ନରେ, ‘ତାଙ୍କର ଠିକଣା, ଘର ନାହିଁ, ସେ ମଦ୍ୟ ଓ ନାରୀ (ସୁରାସାକୀ) ପ୍ରିୟ। ତେଣୁ ମଦ ଭାଟି ବା ବେଶ୍ୟାଳୟରେ ହିଁ ମିଳିବେ। ରାଜା ତାଙ୍କ ଚାର ପଠାଇ ବହୁ କଷ୍ଟରେ ଖୋଜି ପାଇଲେ ଓ ତାଙ୍କ ସନ୍ତୋଷ ପାଇଁ ପ୍ରଚୁର ମଦ ଓ ସୁନ୍ଦରୀ ତରୁଣୀ ବ୍ୟବସ୍ଥା କରିଥିଲେ। ସତକୁ ସତ ସାତଦିନ ହେବ ଅଚେତ (କୋମା) ହୋଇ ପଡ଼ିଥିବା ପୁଅ ମୁଣ୍ଡରେ ଏ ପାଗଳ ବାବା ହାତ ମାରି ଦେବା ମାତ୍ରେ ସେ ଆଖି ଫିଠାଇ ଚାହିଁଲାନି କେବଳ, ବସିପଡ଼ିଲା। ସ୍ତମ୍ଭୀଭୂତ ଜାର୍ ଓ ଜରିନା ପାଗଳବାବାଙ୍କ ପାଦ ଛୁଇଁ କୃପା ପ୍ରାର୍ଥନା କଲେ। ଜାର୍ଙ୍କର ବହୁ ଶତ୍ରୁ ଥିଲେ ଓ ତାଙ୍କୁ ବିଶ୍ବଯୁଦ୍ଧ କରିବାକୁ ପ୍ରବର୍ତ୍ତାଉ ଥାନ୍ତି। ମାତ୍ର ପାଗଳ ବାବାଙ୍କ ପରାମର୍ଶରେ ସେ ଏ ଯୁଦ୍ଧରୁ ନିବୃତ୍ତ ରହୁଥାନ୍ତି। ଯୁଦ୍ଧ ହେଲେ ବହୁ ଫାଇଦା, ରାଜକର୍ମଚାରୀଗଣ ବୁଝିପାରିଲେ ଯେ, ପାଗଳ ବାବା ଥିବା ଯାଏ, ଜାର୍ କାହା ପରାମର୍ଶ ଗ୍ରହଣ କରିବେନି। ଜାର୍ଙ୍କ ଅଖଣ୍ଡ ରାଜତ୍ବରେ ନିକୋଲାସ (ଜାର୍) ସମ୍ପୂର୍ଣ୍ଣ ସୁରକ୍ଷିତ ରହିଲେ ବି ଏମାନେ ନିଜକୁ ଅସୁରକ୍ଷିତ ମଣିଲେ। ଜାର୍ଙ୍କ ଏ ରକ୍ଷା କବଚକୁ ନିଶେଷ କରିବା ଷଡ଼ଯନ୍ତ୍ର ଆରମ୍ଭ ହେଲା। ସେ ଏକ ଭିନ୍ନ ଲୋମହର୍ଷଣକାରୀ କଥା। ଶେଷକୁ ପାଗଳବାବାଙ୍କୁ ହତ୍ୟା କରାଗଲା। ଫଳରେ ଜାର୍ ସୁରକ୍ଷା କବଚ ଶୂନ୍ୟ ହୋଇଗଲେ। ବିଶ୍ବଯୁଦ୍ଧ ଚକ୍ରାନ୍ତରେ ପଡ଼ିଗଲେ ଓ ସ୍ତ୍ରୀ ତଥା ଏକମାତ୍ର ଶିଶୁପୁତ୍ର ସହ ବିପ୍ଳବୀ ସୈନ୍ୟଙ୍କ ହାତରେ କି ଦାରୁଣ ମୃତ୍ୟୁ ଲଭିଲେ ତା’ ଇତିହାସର କଥା। ଏ ‘ପାଗଳ ବାବା’ କଥା କଳ୍ପନା ସମ୍ଭୁତ ଆଦୌ ନୁହଁ। ଇଏ ପ୍ରଥମ ଯୁଦ୍ଧ ପର ଆବିଷ୍କୃତ ରୁଷିଆ ଗୁଇନ୍ଦା ପୁଲିସର ଦସ୍ତାବିଜ, ବର୍ଣ୍ଣନା। ଛ’ ଫୁଟର ଊର୍ଦ୍ଧ୍ବ ଉଚ୍ଚତାର ଏ ବାବାଙ୍କ ଅସାଧାରଣ ଦୈବିକ ଶକ୍ତି ସହ ମଦ ଓ ସ୍ତ୍ରୀ ଆସକ୍ତି ବିସ୍ମୟକର ଓ ଅବିଶ୍ବସନୀୟ ହେବା କଥା, ମାତ୍ର ତା ସତ୍ୟ।
ଆମ ସଂସ୍କାର ଓ ସଂସ୍କୃତିରେ ଏମିତି ଉଦାହରଣ ଢେର। ଗାଁ ଠାକୁରଙ୍କ ପୂଜକ, କାଳେଶି, ଉପେନ୍ଦ୍ର ଭଞ୍ଜ ଆଦି ମହାକବିମାନଙ୍କ କବିତ୍ବ ଲାଭ ପଛରେ ସିଦ୍ଧି ଓ ସାଧନା କଥାରେ ଏ ଦେଶ ଜନତାର ବିଶ୍ବାସ ବେଶ୍ ପରୀକ୍ଷିତ, ଅନୁଭୂତ। ଠାକୁରଙ୍କ ପ୍ରସାଦର ମନ୍ତ୍ରବତ୍ ଫଳ ବିଶ୍ବାସ ଏ ଜନତାଠାରେ ବହୁ ଭାବେ ପରିଲକ୍ଷିତ। ଶ୍ରୀଜଗନ୍ନାଥଙ୍କ ରନ୍ଧା ଅନ୍ନ ବଳକା ହେଲେ ଅନ୍ୟତ୍ର ତ୍ୟାଜ୍ୟ, ମାତ୍ର ତା’ ଏ ଦେଶରେ ‘ନିର୍ମାଲ୍ୟ’ ଭାବେ ପୂଜିତ, ସଂରକ୍ଷିତ। ମହାପ୍ରସାଦ ବା ନିର୍ମାଲ୍ୟ ଦେଇ ବନ୍ଧୁ ବନ୍ଧାଯିବା ପ୍ରଥା ଏବେ ବି ପ୍ରଚଳିତ। ମହାପ୍ରସାଦ ବା ନିର୍ମାଲ୍ୟ କଣିକାଟିଏ ତଳେ ପଡ଼ିଗଲେ, ତାକୁ ଗୋଟାଇ ଆଣି ମୁଣ୍ଡରେ ମାରି ପାଟିରେ ପକେଇ ଦେବା କଥା ଆଜିର ଘଟଣା, ବିଶ୍ବାସବୋଧ। ମାତ୍ର ଯେଉଁମାନେ, ସ୍ବାର୍ଥଲାଭ ଆଶାରେ ଏ ବିଶ୍ବାସରେ ବିଷ ମିଶାନ୍ତି, ସେମାନେ ନିଜ ପତନର କାରଣ କେବଳ ନୁହନ୍ତି, ଜାତି, ଦେଶର କଳଙ୍କ।
ଏବେ ଖବର ପ୍ରକାଶ ପାଇଛି ଯେ, କେତେକ ବ୍ୟକ୍ତି, ଜନତାର ମହାପ୍ରସାଦ ପ୍ରତି ଥିବା ଅଖଣ୍ଡ ବିଶ୍ବାସରେ ବିଷ ମିଶାଇବାର କାର୍ଯ୍ୟ କରିଛନ୍ତି। ମହାପ୍ରସାଦ ପ୍ରସ୍ତୁତି ବିଶ୍ବର ଏକ ଅଦ୍ବିତୀୟ ଶୈଳୀ, ତା’ର ନିଷ୍ଠା ଓ ଭୋଗମଣ୍ଡପକୁ ଯିବା ପୂର୍ବରୁ ମୁହଁରେ କନାଭିଡ଼ି ଭାରରେ ନିଆଯାଏ, ତା’ ବିଶ୍ବାସ ଓ ନିଷ୍ଠାର ଏକ ଅସାଧାରଣ ଉଦାହରଣ। ଜଗନ୍ନାଥଙ୍କ ଭୋଗ ଲାଗିବା ପରେ ଏହା ମା’ ବିମଳାଙ୍କୁ ଲାଗି ହେବା ପରେ ମହାପ୍ରସାଦ ବନିଥାଏ। ୟେ ‘ପ୍ରସାଦ’ ନୁହଁ ‘ମହାପ୍ରସାଦ’, ମାତ୍ର ଦଳେ ମହାପାପୀ ମନ୍ଦିର ବାହାରେ ଏହାକୁ ଭିନ୍ନ ପାତ୍ରରେ ରାନ୍ଧି, ବଡ଼ଦେଉଳ ହାଣ୍ଡି (କୁଡୁଆ) ଆଦିରେ ପୂରାଇ, ମହାପ୍ରସାଦର ଭାବ ସୃଷ୍ଟି କରି ବିକିବାର ଅଭୂତପୂର୍ବ ପାପାଚରଣ ଦେଖାଯାଇଛି। ବଡ଼ଦେଉଳରେ ସେବକମାନଙ୍କ ନିଷ୍ଠା ଓ ଭକ୍ତମାନଙ୍କ ପ୍ରତି ସମ୍ମାନବୋଧ ଏ ଯାଏ ଜଗନ୍ନାଥ ସଂସ୍କୃତିକୁ ଅବ୍ୟାହତ ରଖିଛି। ତାଙ୍କୁ ସବୁ ମୁଣ୍ଡିଆ। ମାତ୍ର ଯେଉଁ ପାପିଷ୍ଠମାନେ ଜଗନ୍ନାଥଙ୍କ ସେବାଠି ଆତ୍ମସମର୍ପଣ ନ କରି, ବେପାରଠି ଆତ୍ମସମର୍ପଣ କରିଛନ୍ତି ଓ ଜଗନ୍ନାଥ ଭାବାପନ୍ନ ଜନତାର ବିଶ୍ବାସରେ ବିଷ ମିଶାଇଛନ୍ତି ସେମାନେ ଅଧମାଧମ। ଜଗନ୍ନାଥ ଭକ୍ତି ଓ ଭାବ ଏ ଜନତାଠୁ ଏଡ଼ାଇ ନିଜେ ହଟି ଅନ୍ୟକୁ ହଟାଇ କଳିଯୁଗକୁ ଆମନ୍ତ୍ରଣ ମାତ୍ର କରୁଛନ୍ତି। ସାଧାରଣ ନିରୀହ ଜନତା ଏ ସବୁ ଦେଖି ହତବାକ୍ ହୋଇଯାଉଛନ୍ତି। ଯେଉଁମାନେ ଜଗନ୍ନାଥଙ୍କୁ ବି ହୀନ ବେପାର ବନେଇ ଦେଉଛନ୍ତି। ତାଙ୍କଠୁ ତମକୁ କିଏ ରକ୍ଷା କରିବ, ଯେମିତି ଦିନେ ସେ କଂସାସୁର ହାବୁଡ଼ରେ ପଡ଼ିଥିେଲ ଓ ବିକଳରେ ବସୁଦେବ ପ୍ରାର୍ଥନା କରୁଥିଲେ, ‘ତୋତେ ହିଁ ତୁହି ରକ୍ଷା କର, ମୁଁ ଛାର ମାନବ ମାତର।’
Comments are closed.