୮୯% ଜଙ୍ଗଲ କ୍ଷୟ ତାତି ବୃଦ୍ଧିର କାରଣ
ସୂର୍ଯ୍ୟକୋପ ଆଉ ୩ ଦିନ
ଭୁବନେଶ୍ବର : ରାଜଧାନୀ ସମେତ ସାରା ରାଜ୍ୟରେ ନିଆଁ ବର୍ଷୁଛି । ଶନିବାର ପଶ୍ଚିମ ଓଡ଼ିଶାର ୪ଟି ସହରର ତାପମାତ୍ରା ୪୫ଡିଗ୍ରୀ ଟପି ଥିବାବେଳେ ଉପକୂଳରେ ୪୪ଡିଗ୍ରୀ ଅତିକ୍ରମ କରିଛି। ସୂର୍ଯ୍ୟର ପ୍ରକୋପ ଯୋଗୁଁ ତାତିରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଛି । ଶନିବାର ୨୯ଟି ସହରରେ ପାରଦ ଉପର ମୁହାଁ ହୋଇ ୪୦ଡିଗ୍ରୀ କିମ୍ବା ତା’ଠାରୁ ଊର୍ଦ୍ଧ୍ବ ରହିଛି। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି କଷ୍ଟ ଦେଉଥିବା ବେଳେ ଖରାରେ ବାହାରକୁ ମୁହାଁଇ ହେଉନାହିଁ। ଆଜି ସୁବର୍ଣ୍ଣପୁରରେ ତାପମାତ୍ରା ୪୫.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବୌଦ୍ଧ ୪୫.୫, ସମ୍ବଲପୁର ୪୫.୪, ହୀରାକୁଦ ୪୫.୧ ଏବଂ ବଲାଙ୍ଗୀରରେ ୪୫ ଡିଗ୍ରୀ ରହିଛି। ଉପରୋକ୍ତ ସହର ଗୁଡ଼ିକ ଗ୍ରୀଷ୍ମପ୍ରବାହରେ ସନ୍ତୁଳି ହେଉଥିବା ବେଳେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆଗାମୀ ୩ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଏହି ସମୟରେ ତାପମାତ୍ରା ଅପରିବର୍ତ୍ତୀତ ରହିବା ଦ୍ବାରା କେତେକ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକରୁ ୪ରୁ ୭ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ପରେ ପାଗରେ ପରିବର୍ତ୍ତନ ଆସିବା ଦ୍ବାରା ୨ଦିନ ଯାଏଁ ୩ରୁ ୫ ଡିଗ୍ରୀ ତାପମାତ୍ରା କମିବାର ସମ୍ଭାବନା ରହିଛି। ତେଣୁ ଗରମ ଏବଂ ଗୁଳୁଗୁଳିକୁ ନେଇ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
କେବଳ ପଶ୍ଚିମରେ ଗ୍ରୀଷ୍ମପ୍ରବାହ ଜାରି ରହିଛି ତାହା ନୁହେଁ ବରଂ ରାଜଧାନୀରେ ତାପମାତ୍ରା ୪୪.୩ ଡିଗ୍ରୀ ଛୁଇଁଛି। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀରେ ତାପମାତ୍ରା ୪୨.୨ ଡିଗ୍ରୀ ଏବଂ ଆର୍ଦ୍ରତା ୩୬ ପ୍ରତିଶତ ରେକର୍ଡ ହୋଇଥିଲା। ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ, ତାପମାତ୍ରା ବୃଦ୍ଧି ଯୋଗୁଁ ଭୁବନେଶ୍ବର ଉଷ୍ଣ-ଦ୍ୱୀପପୁଞ୍ଜ ପାଲଟୁଛି। ଏହାର ମୁଖ୍ୟ କାରଣ ହେଉଛି, କଂକ୍ରିଟ ସଡ଼କ, ଉଚ୍ଚ କୋଠା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି। ସୂର୍ଯ୍ୟକିରଣର ଉତ୍ତାପକୁ ଜଙ୍ଗଲ, ଜଳାଶୟ ଏବଂ ପ୍ରାକୃତିକ କ୍ଷେତ୍ର ତୁଳନାରେ କଂକ୍ରିଟ ସଡ଼କ, କୋଠା ଅଧିକ ଗ୍ରହଣ କରୁଛି। ପରେ ଏସବୁ ପୁନଃ ବିକିରଣ କରିବା ଯୋଗୁଁ ସହରରେ ତାପମାତ୍ରା ବୃଦ୍ଧି ପାଉଛି। ୨୦୦୦ରୁ ୨୦୧୪ମଧ୍ୟରେ ଭୁବନେଶ୍ୱର ସହରରେ ୮୯% ଘଞ୍ଚଜଙ୍ଗଲ କ୍ଷୟ ହୋଇଛି। ୨ପ୍ରତିଶତ ପ୍ରାକୃତିକ ଆର୍ଦ୍ରଭୂମି ନଷ୍ଟ ହୋଇଛି ତଥା ୮୩ପ୍ରତିଶତ ଚାଷଜମି ନଷ୍ଟ ହୋଇଛି। ଫଳରେ ନିକଟସ୍ଥ ଅଞ୍ଚଳଠାରୁ ଅଧିକ ତାତୁଛି ରାଜଧାନୀ।
ରାଜ୍ୟରେ ଜାରି ରହିଥିବା ତାତି ଆଗାମୀ ୩ଦିନ ପର୍ଯ୍ୟନ୍ତ ଲାଗି ରହିବ। ୧୮ ଓ ୧୯ ତାରିଖ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ। ୨୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି। କେତେକ ସ୍ଥାନରେ କାଳବୈଶାଖୀ ହେବାର ଆଶଙ୍କା ରହିଛି। ୧୯ରୁ ୨୨ ତାରିଖ ମଧ୍ୟରେ ପୂର୍ବ ଭାରତର କେତେକ ରାଜ୍ୟକୁ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ଦେବଗଡ, କେନ୍ଦୁଝର, କଟକ, ନୟାଗଡ଼, ଖୋର୍ଦ୍ଧା, ବଲାଙ୍ଗୀର, ଢେଙ୍କାନାଳ, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଏବଂ ନୂଆପଡା ଜିଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି।
Comments are closed.