ଡେସ୍କ: ସିକ୍କିମର ମଂଗନ ଜିଲ୍ଲାରେ ଭୂସ୍ଖଳନ ଏବଂ ସେଥିଯୋଗୁ ଚୁଙ୍ଗଥାଙ୍ଗ ନିକଟରେ ଥିବା ଏକ ପୋଲ ଭାସିଯିବାରୁ, ସେଠାରେ ଅଟକି ଥିବା ୩ ହଜାର ୫ ଶହ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣେ ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନାର ତ୍ରିଶକ୍ତି କର୍ପସର ଯବାନ ଓ ସୀମା ସଡକ ସଂଗଠନର ଅଧିକାରୀମାନେ ସାମିଲ ଥିଲେ।
ସୂଚନା ଅନୁଯାୟୀ, ସେନା ପକ୍ଷରୁ ବନ୍ୟା ପ୍ଲାବିତ ଅଂଚଳରେ ରାତାରାତି ଏକ ଅସ୍ଥାୟୀ ପୋଲ ନିର୍ମାଣ କରିବା ଯୋଗୁ ଏହି ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇଥିଲା। ଅଟକି ରହିଥିବା ପର୍ଯ୍ୟଟକମାନଙ୍କୁ ନଦୀ ପାର କରାଇବା ପରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। ସେମାନଙ୍କୁ ରହିବା ପାଇଁ ଟେଣ୍ଟ ଓ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସେହି ସଡକ ପଥ ଉନ୍ମୁକ୍ତ ହେବା ଯାଏଁ ପର୍ଯ୍ୟଟକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।



