ବଡ଼ମ୍ବା : ମହାନଦୀ ଜଳରେ ବଡ଼ମ୍ବା ବ୍ଲକର ଜନସାଧାରଣ ପାନୀୟ ଜଳ କ୍ଷେତ୍ରରେ ଉପକୃତ ହେବାନେଇ ବୃହତ (ମେଗା) ପାନୀୟ ଜଳ ପ୍ରକଳ୍ପ କରାଯାଉଛି । ପ୍ରାୟ ୩ଶହ କୋଟିରୁ ଉର୍ଦ୍ଧ୍ଵ ଟଙ୍କାରେ ନିର୍ମାଣାଧିନ ଏହି ପ୍ରକଳ୍ପର ସଫଳତାକୁ ନେଇ ଏବେ ସାଧାରଣରେ ସନ୍ଦେହ ଉପୁଜିଛି । ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୨୦ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିଲେ ହେଁ ଅଦ୍ୟାବଧି ତାହା ସରି ନାହିଁ । କେଉଁ କାରଣରୁ ସମ୍ପୁର୍ଣ୍ଣ ହୋଇନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବ୍ୟତିକ୍ରମକୁ ନେଇ ସୋମବାର କିଛି ରାଜନୈତିକ ନେତୃମଣ୍ଡଳୀ ଏହି ଅଭିଯୋଗ ଉତ୍ଥାପନ କରିଛନ୍ତି । ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୂର୍ଯ୍ୟ କିଶୋର ମହାନ୍ତି, ଚିତ୍ତରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରାର୍ଥୀ ସରୋଜ ରଣା, ସାମାଜିକ କର୍ମୀ ଦିଲ୍ଲୀପ କୁମାର ପଣ୍ଡା ପ୍ରମୁଖ ସ୍ଥାନୀୟ ବଡିଓ ରମେଶ କୁମାର ଜେନାଙ୍କୁ ସାକ୍ଷାତ କରି ଏହି ଘଟଣାକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ମୁତାବକ ଏହି ପ୍ରକଳ୍ପ କାର୍ଯ୍ୟ ଆଗାମୀ ଜୁଲାଇ ମାସ ୫ ତାରିଖ ପୂର୍ବରୁ ସମ୍ପୁର୍ଣ୍ଣ ହେବା, ସମସ୍ତ ଜନସାଧାରଣଙ୍କୁ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବା, ପ୍ରକଳ୍ପ ଲାଗି ଗାଁ ଗହଳି ରାସ୍ତା ଓ ରାସ୍ତାପାର୍ଶ୍ଵ ଖୋଳାଯାଇ ଯେଉଁ ପାଇପ ବିଛାଯାଇଛି ସେ ସବୁର ସମ୍ପୁର୍ଣ ମରାମତି ଆଦି କରାଯିବାକୁ ଦାବି କରାଯାଇଛି । ଅନ୍ୟଥା ଏହି ନେତୃବୃନ୍ଦ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି ।
Comments are closed.