ଆଠଗଡ: ଆଠଗଡ ଭଳି କଟକ ଜିଲ୍ଲାର ସର୍ବବୃହତ ଉପଖଣ୍ଡର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଉପଜିଲ୍ଲାପାଳ ପଦବୀଟି ଗତ ୧୧ ଦିନ ହେବ ଖାଲି ପଡିଛି । ଗତ ମେ ୩୧ ତାରିଖରେ ଏଠାରେ କାର୍ଯ୍ୟରତ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ଅବସର ଗ୍ରହଣ କରିଥିଲେ । ତା’ପରେ ଉପଜିଲ୍ଲାପାଳ ପଦବୀରେ କାହାକୁ ଅବସ୍ଥାପିତ କରାନଯାଇ ଏଠାରେ କାର୍ଯ୍ୟରତ ଥିବା ଡେପୁଟି କଲେକ୍ଟର ଦିପ୍ତୀମୟୀ ବେହେରାଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅସ୍ଥାୟୀ ଭାବେ ଉପଜିଲ୍ଲାପାଳ ଦାୟୀତ୍ବ ଅର୍ପଣ କରାଯାଇଛି। ଚାରିଟି ବ୍ଲକ ଓ ପ୍ରାୟ ୬ ଲକ୍ଷ ଲୋକସଂଖ୍ୟା ଥିବା ଏହି ବୃହତ ଉପଖଣ୍ଡରେ ଏତେ ଦିନ ଧରି ସ୍ଥାୟୀ ଉପଜିଲ୍ଲାପାଳ କେହି ନଥିବା ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗୀୟ ଅଧିକାରୀ ପଦବୀ ଖାଲି ପଡିଥିବା କାରଣରୁ ପ୍ରଶାସନିକ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହେଉଛି । ସମଗ୍ର ଉପଖଣ୍ଡରେ ଆଇନଶୃଙ୍ଖଳା ରକ୍ଷା କରିବା, ଚାରିଟି ଯାକ ବ୍ଲକ ଓ ତହସିଲରେ ଉନ୍ନୟନ କାର୍ଯ୍ୟ ସହ ରାଜସ୍ବ ଆଦାୟ ତଦାରଖ କରିବା, ନିଜ ଅଦାଲତରେ ଜମିଜମା ଓ ଅନ୍ୟ ମାମଲା ପରିଚାଳନା କରିବା କାର୍ଯ୍ୟ ଉପଜିଲ୍ଲାପାଳଙ୍କର ଗୁରୁଦାୟିତ୍ବ ରହିଛି । ଆଗକୁ ଆଉ ମାତ୍ର ୧୦ ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ସେଥିପାଇଁ ଭୋଟର ତାଲିକା ସଂଶୋଧନ ଓ ପ୍ରସ୍ତୁତି କାର୍ଯ୍ୟ ଏବେ ଯୋରସୋର ଚାଲିଲାଣି । ଏହି ସମୟରେ ଆଠଗଡ ଓ ବଡମ୍ବା ଦୁଇଟି ନିର୍ବାଚନ ମଣ୍ଡଳୀ ଦାୟୀତ୍ବରେ ଥିବା ଉପଜିଲ୍ଲାପାଳ ପଦବୀ କେବେ ପୂରଣ ହେବ, ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉପଜିଲ୍ଲାପାଳ ପଦବୀ ସମେତ ସେହି କାର୍ଯ୍ୟାଳୟର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଅତିରିକ୍ତ ମଙ୍ଗଳ ଅଧିକାରୀ, ଦୁଇଟି ସହକାରୀ ଜିଲ୍ଲାପାଳ ପଦବୀ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପଦବୀ ସହିତ ୮-୯ ଟି କିରାଣି ପଦବୀ ଦୀର୍ଘଦିନ ଖାଲି ପଡିଛି। ଏଥିସହିତ ଏହି କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଗୁଡ଼ିକର ଅମଲାମାନେ(କିରାଣି) ସେମାନଙ୍କର ଗ୍ରେଡ ପେ’ ବୃଦ୍ଧି ଦାବିକୁ ନେଇ ଗତ ୧୧ ଦିନ ହେଲା ସାମୁହିକ ଛୁଟି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବାରୁ ପ୍ରଶାସନ ପୁରା ସ୍ଥାଣୁ ପାଲଟିଯିବା ସହ ପ୍ରଶାସନିକ କାର୍ଯ୍ୟ ଠପ୍ ହୋଇଯାଇଛି । ଚାରୋଟିଯାକ ବ୍ଲକର ଲୋକ ପ୍ରତିଦିନ ଜମିଜମା ସଂକ୍ରାନ୍ତ ମାମଲା ହେଉ ଅବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହଜନିତ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା କରିବା, ଉପଖଣ୍ଡରେ ବିଭିନ୍ନ ଅଞ୍ଚଳରେ ପାନୀୟଜଳ ସମସ୍ୟା ଦୂର କରିବା ସହିତ ଆଠଗଡର ଅଟ୍ଟାଳି ଜଗନ୍ନାଥଙ୍କ ରଥଯାତ୍ରା ପରିଚାଳନା କିପରି ହେବ, ତାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ।
ଆଠଗଡ ଭଳି କଟକ ଜିଲ୍ଲା ତଥା ରାଜ୍ୟର ଏକ ବୃହତ ଓ ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡର ଉପଜିଲ୍ଲାପାଳ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପଦବୀଗୁଡ଼ିକ କିପରି ଯଥାଶୀଘ୍ର ପୂରଣ ହେବ ସେ ଦିଗରେ ଜିଲ୍ଲାପାଳ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।
Comments are closed.