www.samajalive.in
Sunday, December 14, 2025
19.1 C
Bhubaneswar

ମୀରା ରୋଡ ହତ୍ୟାକାଣ୍ଡ : ପୁଲିସକୁ ଭୁଆଁ ବୁଲାଉଛି ମନୋଜ

ମୁମ୍ବଇ : ମୀରା ରୋଡ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ ମନୋଜ ସାଣେକୁ ପୁଲିସ ଆସନ୍ତା ୧୬ ପର୍ଯ୍ୟନ୍ତ ଜିମାରେ ନେବା ସହ ପଚରାଉଚୁରା ଚଳାଇଛି। ମନୋଜର ମୃତ ସହବାସୀ ବାନ୍ଧବୀ ସରସ୍ବତୀ ବୈଦ୍ୟଙ୍କୁ ଚିହ୍ନଟ ପାଇଁ ତାଙ୍କ ଡିଏନ୍‌ଏ ପରୀକ୍ଷା ମଧ୍ୟ କରାଉଛି। ତାଙ୍କର ତିନି ଭଉଣୀ ସହ ଏହାକୁ ଯାଞ୍ଚ କରାଯିବ। ଏଥିସହ ପୁଲିସ ଶୁକ୍ରବାର ସରସ୍ବତୀଙ୍କ ଭଉଣୀଙ୍କ ବୟାନ ଲିପିବଦ୍ଧ କରିଛି। ସରସ୍ବତୀ ଭଉଣୀମାନଙ୍କ ସହ ସମ୍ପର୍କରେ ଥିଲେ ଏବଂ ଜଣେ ଭଉଣୀ କହିଛନ୍ତି ଯେ ମନୋଜ ସରସ୍ବତୀଙ୍କୁ ନିର୍ଯାତନା ଦେଉଥିଲେ। ପଚରାଉଚୁରାବେଳେ ମନୋଜ ପୁରୁଣା କଥା ଦୋହରାଇଛି। ଘରୋଇ ଝଗଡ଼ାକୁ ନେଇ ସରସ୍ବତୀ ଜୁନ ୩ରେ ବିଷ ଖାଇ ଆତ୍ମହତ୍ୟା କରିଥିଲେ। ଘରକୁ ଫେରି ସେ ଏହା ଦେଖିବା ପରେ ଭୟଭୀତ ହେବା ସହ ଘଟଣାକୁ ଲୁଚାଇବା ପାଇଁ ତାଙ୍କ ଶରୀରକୁ ୨୦ଖଣ୍ଡରେ କାଟିଥିଲା ଏବଂ ପ୍ରମାଣ ନ​ଷ୍ଟ କରିବା ପାଇଁ ଏହାକୁ ସିଝାଇ କୁକୁରଙ୍କୁ ଦେଉଥିଲା। ଦୁଇ ତିନିଟି କଟରରେ ଶରୀରକୁ ଖଣ୍ଡଖଣ୍ଡ କରିବା ସହ ହାଡ଼ ଓ ମାଂସକୁ ଅଲଗା କରିବା ପାଇଁ ଓ ଦୁର୍ଗନ୍ଧ ନବାହାରିବା ପାଇଁ ପ୍ରେସର କୁକରରେ ସିଝାଇଥିଲା। ଏସବୁ ବର୍ଣ୍ଣନା କଲାବେଳେ ମନୋଜଠାରେ ପୁଲିସ କୌଣସି ଅବସୋସ ଲକ୍ଷ୍ୟ କରୁନଥିଲା।
ସୂଚନାନୁଯାୟୀ, ମନୋଜ ରହୁଥିବା ଫ୍ଲାଟ ତାର ସମ୍ପର୍କୀୟଙ୍କ ଜମିରେ ନିର୍ମିତ। ସମ୍ପର୍କୀୟଙ୍କ ନାମରେ ରହିଛି ୪ଟି ଫ୍ଲାଟ। ସେମାନେ ପ୍ରାୟତଃ ଏଠାକୁ ଆସନ୍ତି ନାହିଁ। ୭୦୨ ନମ୍ବର ଫ୍ଲାଟ ମନୋଜ ନାମରେ ଥିଲା ଓ ସେ ଏହାକୁ ୩୫ହଜାର ଟଙ୍କାରେ ଭଡ଼ା ଦେଇଥିବା ପ୍ରକାଶ। ମନୋଜ ଏହାର ସପ୍ତମ ମହଲା, ୭୦୪ ନମ୍ବର ଫ୍ଲାଟରେ ସରସ୍ବତୀଙ୍କ ସହ ରହୁଥିଲା। ସେ କହିବାନୁସାରେ ସରସ୍ବତୀ (୩୨) ଖୁବ୍‌ ଚୁପ୍‌ଚାପ ସ୍ବଭାବର ଥିଲେ। ସରସ୍ବତୀ ମାଟ୍ରିକ ପରୀକ୍ଷା ଦେବାକୁ ଥିବାରୁ ମନୋଜ (୫୬) ତାଙ୍କୁ ପଢ଼ାଉଥିଲେ। ସରସ୍ବତୀ ତାର ଝିଅ ଭଳି ଥିଲେ ବୋଲି ମନୋଜ ପୁଲିସକୁ କହିଥିବା ପ୍ରକାଶ। ପୁଲିସ କହିବାନୁସାରେ ୨୦୦୮ରେ ମନୋଜ ଏଚ୍‌ଆଇଭି ପଜିଟିଭ ଥିବା ଜଣାପଡ଼ିଥିଲା; କିନ୍ତୁ ଏ ନେଇ କୌଣସି ପ୍ରମାଣ ମିଳି ନାହିଁ। ସେ ପୁଲିସକୁ ଭୂଆଁ ବୁଲାଇବା ପାଇଁ ଏଭଳି କହୁଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏମିତିକି ସେ ସରସ୍ବତୀଙ୍କୁ ବିଧିବଦ୍ଧ ଏକ ମନ୍ଦିରରେ ବିବାହ କରିଥିଲା ବୋଲି ପୁଲିସ ସୂଚନା ପାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ୨୦୧୪ରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ପରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ୨୦୧୫ରେ ସେମାନେ ଏହି ଆପାର୍ଟମେଣ୍ଟରେ ରହିବାକୁ ଆସିଥିଲେ। ୨୦୧୭ରୁ ୭୦୪ ନମ୍ବର ଫ୍ଲାଟରେ ରହୁଥିଲେ। ସରସ୍ବତୀଙ୍କର ଜଣେ ଭଉଣୀ କହିବାନୁସାରେ ସେମାନେ ଛୋଟ ହୋଇଥିଲାବେଳେ ବାପା-ମା’ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ସେମାନେ ମା’ଙ୍କ ପାଖରେ ରହୁଥିଲାବେଳେ ବର୍ଷକ ମଧ୍ୟରେ ମା’ଙ୍କର ମୃତ୍ୟୁ ଘଟିଥିଲା। ପରେ ତିନି ଭଉଣୀ ଅହମ୍ମଦ ନଗରସ୍ଥିତ ଏକ ଅନାଥାଶ୍ରମରେ ୧୦ବର୍ଷ ରହିଥିଲେ। ୧୮ବର୍ଷ ହେଲା ପରେ ସରସ୍ବତୀ ଭଉଣୀଙ୍କ ସହ ଔରଙ୍ଗାବାଦ ଯାଇଥିଲେ; କିନ୍ତୁ ପରେ ମୁମ୍ବଇ ଆସିଥିଲେ। ବୋରିଭାଲିଠାରେ ତାଙ୍କର ମନୋଜ ସହ ସାକ୍ଷାତ ହୋଇଥିଲା। ମନୋଜ ତାଙ୍କୁ ନିଜ ଘରେ ରଖାଇଥିଲା। ସେତେବେଳେ ସେ ତାକୁ ‘ଅଙ୍କଲ’ ବୋଲି ପରିଚିତ କରାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories