ତିଗିରିଆ : ପ୍ରବଳ ଗ୍ରୀଷ୍ମପ୍ରବାହ ଭିତରେ ତିଗିରିଆ ବ୍ଲକ ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତର ହରିଡ଼ାପଶି ଗ୍ରାମରେ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଗ୍ରାମର ମୁଣ୍ଡିଆସାହିରେ ୪୦ରୁ ଅଧିକ ପରିବାରର ପ୍ରାୟ ୫୦୦ରୁ ଉର୍ଦ୍ଧ୍ଵ ଲୋକ ବସବାସ କରୁଥିବା ବେଳେ ବର୍ଷ ସାରା ଏମାନଙ୍କ ପାଇଁ ପିଇବା ପାଣି ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ପାଣି ଟିକେ ପାଇବା ପାଇଁ ଗ୍ରାମର ମହିଳାମାନେ ପାଖାପାଖି ୧ କିଲୋମିଟର ଦୂରରେ ଥିବା ମୁଣ୍ଡିଆ ତଳ ଫରେଷ୍ଟ ବିଟ୍ ହାଉସ୍ ପାଖରୁ ଡହ ଡହ ଖରା ତାତିରେ ପାଣି ମୁଣ୍ଡରେ ମୁଣ୍ଡାଇ ଆଣୁଛନ୍ତି। ଏହା ଛଡ଼ା ସବୁଠୁ ବଡ କଥା ହେଲା ଏହି ଗ୍ରାମରେ ଥିବା ହରିଜନ ସାହିରେ ନଳକୂପଟିଏ ମଧ୍ୟ ନାହିଁ । ଚାଳିଶ ପରିବାର ପାଇଁ ବିବାହ ବ୍ରତ ଘର ହେଲେ ତିନି କିଲୋମିଟର ପାଇପ୍ ବିଛା ଯାଇ ଛୋଟ ପମ୍ପ ଦ୍ବାରା ପାଣି ଅଣା ଯାଇଥାଏ । ସାହିରେ ଥିବା ଗୋଟିଏ ବୋଲି କୂଅ ମଧ୍ୟ ଶୁଖିଲା ପଡ଼ିଛି। ପାଖାପାଖି ପାଞ୍ଚ ଶହ ଲୋକ ଏହି ପାଣି ସମସ୍ୟା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଗତ କିଛିଦିନ ତଳେ ହରିଜନ ସାହିରେ ନଳକୂପ ଖନନ ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରିନଥିଲା ବୋଲି ସୂଚନା ମିଳିଛି। ସେହିଭଳି ମୁଣ୍ଡିଆ ସାହିକୁ ପାନୀୟ ଜଳ ଯୋଗାଣ ଲାଗି ଗ୍ରାମ ପ୍ରକଳ୍ପରୁ ପାଇପ ସଂଯୋଗ ହୋଇଥିଲେ ମଧ୍ୟ ଏହି ସ୍ଥାନରେ ପାନୀୟ ଜଳ ଆଦୌ ପହଞ୍ଚି ପାରୁନି। ଜଳକୁ ନେଇ ବିବାଦ କାରଣରୁ ମୁଣ୍ଡିଆ ସାହି ସଂଯୁକ୍ତ ପାଇପକୁ ସଂଖ୍ୟାଧିକ ସ୍ଥାନରେ ହାଣି ନଷ୍ଟ କରାଯାଇଥିବା ମଧ୍ୟ ଜଣାପଡ଼ିଛି। ଅନେକ ବ୍ୟକ୍ତି ପିଇବା ପାଣି ନପାଇ ବେଆଇନ ଭାବେ ପମ୍ପ ସଂଯୋଗ କରି ଜଳକୁ ଶୋଷି ନେଉଥିବା ଅଭିଯୋଗ ହେଉଛି। ଗ୍ରାମର ଏହି ଜଳ ସମସ୍ୟାକୁ ତୁରନ୍ତ ସମାଧାନ କରିବା ଦିଗରେ ବ୍ଲକ ପ୍ରଶାସନ ଆବଶ୍ୟକୀୟ ପଦ୍ଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।
Comments are closed.