www.samajalive.in
Saturday, December 13, 2025
18.1 C
Bhubaneswar

ସ୍ମିଥ୍‌ଙ୍କ ଶତକ ; ଅଷ୍ଟ୍ରେଲିଆର ୪୬୯ ପରେ ଭାରତର ବିପର୍ଯ୍ୟୟ

ଓଭାଲ୍‌ : ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଫାଇନାଲରେ କ୍ରମାଗତ ୨ୟ ଦିନରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ଦେଖିବାକୁ ମିଳିଛି । ପ୍ରଥମଦିନରେ ଟ୍ରାଭିସ୍‌ ହେଡ୍‌ ଶତକ ମାରିଥିବା ବେଳେ ୨ୟ ଦିନରେ ଷ୍ଟିଭେନ୍ ସ୍ମିଥ୍‌ ଶତକ ହାସଲ କରିଛନ୍ତି । ଗୁରୁବାର ୨ୟ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ୍‌କରି ଅଲ୍‌ଆଉଟ୍‌ ହୋଇଛି । ପରେ ଭାରତ ପ୍ରଥମ ଇନିଂସ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଛି । ୨ୟ ଦିନ ଶେଷରେ ଭାରତ ୫ ୱିକେଟରେ ୧୫୧ ରନ୍ କରିପାରିଛି । ୫ ୱିକେଟ ବାକିଥାଇ ଭାରତ ୩୧୮ ରନ୍‌ ପଛରେ ରହିଛି।
ଭାରତ ପ୍ରଥମ ଇନିଂସ ଆରମ୍ଭ କରିବା ପରେ ଦୁଇ ଓପ୍‌ନର ରୋହିତ ଶର୍ମା ଓ ଶୁବ୍‌ମାନ ଗିଲ୍‌ ଦ୍ରୁତ ୩୦ ରନ୍‌ ଭାଗିଦାରୀ କରିଥିଲେ। ଅଧିନାୟକ ରୋହିତ ୨ଟି ଚୌକା ସହ ୧୫ ରନ୍‌କରି ବିଦାୟ ନେଇଥିଲେ। ୨ଟି ଚୌକା ସହ ୧୩ ରନ୍‌କରି ଶୁବ୍‌ମାନ ଗିଲ୍‌ ଆଉଟ୍‌ ହୋଇଥିଲେ। ୩୦ ରନ୍‌ରେ ୨ଟି ୱିକେଟ ପଡ଼ିବା ପରେ ଚେତେଶ୍ବର ପୂଜାରା ଓ ବିରାଟ କୋହଲି ୨୦ ରନ୍‌ ଯୋଡ଼ିଥିଲେ। ହେଲେ ଗିଲ୍‌ଙ୍କ ପରି ପୂଜାରା ମଧ୍ୟ ଷ୍ଟମ୍ପ୍ ଉପର ବଲ୍‌କୁ ଛାଡ଼ି ବୋଲ୍‌ଡ ହୋଇଥିଲେ। ପୂଜାରା ୧୪ ରନ୍‌ କରିଥିଲେ। ମିଚେଲ ଷ୍ଟାର୍କଙ୍କ ଏକ ମାରାତ୍ମକ ବଲ୍‌ରେ କୋହଲି ୧୪ ରନ୍‌କରି ସ୍ଲିପ୍‌ରେ କ୍ୟାଚ୍‌ ଦେଇଥିଲେ। ୭୧ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ଅଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡ଼େଜା ୭୧ ରନ୍‌ ଯୋଡ଼ିଥିଲେ। ଜାଡ଼େଜା ଆକ୍ରମଣ କରି ୫୧ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୮ ରନ୍‌କରି ଆଉଟ୍‌ ହୋଇଥିଲେ। ରାହାଣେ ୪ଟି ଚୌକା ସହ ୨୯ ଓ ଶୀକର ଭାରତ ୫ ରନ୍‌କରି ଅପରାଜିତ ରହିଛନ୍ତି।
ପ୍ରଥମ ଦିନରେ ଷ୍ଟିଭେନ୍ ସ୍ମିଥ୍ ଓ ଟ୍ରାଭିସ୍ ହେଡ୍‌ ୪ର୍ଥ ୱିକେଟ ପାଇଁ ଅଢ଼େଇ ଶହରୁ ଅଧିକ ରନ୍‌ ଯୋଡ଼ି ଅଷ୍ଟ୍ରେଲିଆକୁ ମଜ୍‌ଭୁତ ସ୍ଥିତିରେ ପହଞ୍ଚାଇଥିଲେ। ହେଲେ ୨ୟ ଦିନ ପ୍ରଥମ ଅଧିବେଶନରେ ଭାରତୀୟ ପେସ୍‌ ବୋଲର ୯୫ ରନ୍‌ ଦେଇ ୪ଟି ୱିକେଟ ନେଇ ଦଳକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ପ୍ରଥମଦିନ ଅଷ୍ଟ୍ରେଲିଆ ୩ ୱିକେଟରେ ୩୨୭ ରନ୍‌ କରିଥିଲା। ମହମ୍ମଦ ସିରାଜ୍‌ ବୋଲିଂ କରିଥିବା ୨ୟ ଦିନର ପ୍ରଥମ ଓଭରରେ କ୍ରମାଗତ ୨ଟି ଚୌକାମାରି ସ୍ମିଥ୍ ଶତକ ପୂରଣ କରିଥିଲେ। ୩ ଓଭର ପରେ ବାମହାତି ଟ୍ରାଭିସ୍‌ ହେଡ୍‌ ଦେଢ଼ ଶହ ରନ୍‌ ପୂରଣ କରିଥିଲେ। ଟ୍ରାଭିସ୍‌ ହେଡ୍‌ ୧୭୫ ବଲ୍‌ରୁ ଗୋଟିଏ ଛକା ଓ ୨୫ଟି ଚୌକା ସହ ୧୬୩ ରନ୍‌କରି ୱିକେଟ ପଛରେ କ୍ୟାଚ୍‌ ଦେଇଥିଲେ। ଏହାସହ ସ୍ମିଥ୍‌ଙ୍କ ସହ ହେଡ୍‌ଙ୍କର ୨୮୫ ରନ୍‌ର ଭାଗିଦାରୀ ଶେଷ ହୋଇଥିଲା। ଷ୍ଟିଭେନ୍‌ ସ୍ମିଥ୍ ୨୬୮ ବଲ୍‌ରୁ ୧୯ଟି ଚୌକା ସହ ୧୨୧ ରନ୍‌କରି ଆଉଟ୍‌ ହୋଇଥିଲେ। କାମେରନ୍ ଗ୍ରୀନ୍‌ ୬ ରନ୍‌କରି ସ୍ଲିପ୍‌ରେ କ୍ୟାଚ୍‌ ଦେଇଥିଲେ। ଅତିରିକ୍ତ ଫିଲ୍‌ଡର ଅକ୍ଷର ପଟେଲଙ୍କ ଦର୍ଶନୀୟ ଥ୍ରୋ’ରେ ମିଚେଲ ଷ୍ଟାର୍କ ୫ ରନ୍‌କରି ରନ୍‌ଆଉଟ୍‌ ହୋଇଥିଲେ। ଆଲେକ୍ସ କ୍ୟାରି ଓ ଅଧିନାୟକ ପ୍ୟାଟ୍‌ କମିନ୍‌ସ ୮ମ ୱିକେଟ ପାଇଁ ମୂଲ୍ୟବାନ ୫୧ ରନ୍‌ ଯୋଡ଼ିଥିଲେ। ବାମହାତି କ୍ୟାରି ୬୯ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୮ ରନ୍‌କରି ଅାଉଟ୍‌ ହୋଇଥିଲେ। ମହମ୍ମଦ ସିରାଜ୍‌ ୪ଟି ଏବଂ ମହମ୍ମଦ ସାମି ଓ ସାର୍ଦୁଳ ଠାକୁର ୨ଟି ଲେଖାଏଁ ୱିକେଟ ନେଇଥିଲେ। ଫଲୋଅନ୍ ଏଡ଼ାଇବା ପାଇଁ ଭାରତକୁ ୨୭୦ ରନ୍‌ କରିବାକୁ ପଡ଼ିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories