କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ବସୁଧା, ଜିରିଡାମାଳି ବେତାର କେନ୍ଦ୍ର ପରିସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଉଦବୋଧନ ଦେଇ ରେଡ଼ିଓ ବସୁଧାର ଲୋକାର୍ପଣ ଅବସରରେ କାମାକ୍ଷାନଗର ତଥା ଢେଙ୍କାନାଳବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏଥିପାଇଁ ସ୍ବେଚ୍ଛାସେବୀ ସଂଗଠନ ଇଡିଅଟର ଉଦ୍ୟମ ବେଶ୍ ପ୍ରଶଂସନୀୟ ବୋଲି କହିଥିଲେ। ମେ ଏବଂ ଜୁନ୍ ମାସରେ କାମାକ୍ଷାନଗର ପାଇଁ ୨ଟି ବଡ଼ ଉପଲବ୍ଧି ହୋଇଛି। ଗୋଟିଏ ହେଉଛି କାମାକ୍ଷାନଗରରେ ରେଳ ଚଳାଚଳ ଓ ଅନ୍ୟଟି ରେଡ଼ିଓ ବସୁଧା ଲୋକାର୍ପିତ ହେବା। ତଥାକଥିତ ଜାତୀୟ ଓ ଆଞ୍ଚଳିକ ମିଡ଼ିଆର ଆଢୁଆଳରେ ରହିଯାଇଥିବା ସ୍ଥାନୀୟ ବିଷୟବସ୍ତୁ ଗୁଡ଼ିକର ପ୍ରଚାର ପ୍ରସାର ଦିଗରେ ରେଡ଼ିଓ ବସୁଧା ଭଳି ଗୋଷ୍ଠୀ ବେତାର କେନ୍ଦ୍ରର ବିଶେଷ ଭୂମିକା ରହିଥିବା ସେ ପ୍ରକାଶ କରିଥିଲେ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଭୟ ସୂଚନା ଓ ସଚେତନତାର ବ୍ୟାପକ ପ୍ରସାର ବଳରେ ହଁ ଜନ ସଶକ୍ତିକରଣ ଓ ଜନ ଭାଗୀଦାରକୁ ସୁନିଶ୍ଚିତ କରିହେବ । ରେଡ଼ିଓ ବସୁଧା ଏ ଦିଗରେ ଯଥାସମ୍ଭବ ପ୍ରୟାସ କରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହି ଗୋଷ୍ଠୀ ବେତାର କେନ୍ଦ୍ରଟି ସମଗ୍ର ଅଞ୍ଚଳରେ ଖୁବ୍ ଲୋକପ୍ରିୟତା ହାସଲ କରୁ ବୋଲି ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଭାରତୀୟ ଗୋଷ୍ଠୀ ବେତାର କେନ୍ଦ୍ରର ପୂର୍ବତନ ଜାତୀୟ ସଭାପତି ତଥା ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରର ପ୍ରତିଷ୍ଠାତା ଏନ୍. ଏ. ଶାହା ଆନସାରୀ ରାଜ୍ୟର ୩୪ତମ ଗୋଷ୍ଠୀ ବେତାର କେନ୍ଦ୍ର ଓ ଜିଲ୍ଲାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ଭାବେ ରେଡିଓ ବସୁଧା ଆତ୍ମପ୍ରକାଶ କରିଛି।l ଏହି ମାଟିର ସ୍ୱରକୁ ଶାଣିତ କରିବାରେ ଏହି ବେତାର କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ରାଜ୍ୟର ୩୧୪ ବ୍ଲକରେ ଗୋଷ୍ଠୀ ବେତାର କେନ୍ଦ୍ର ପ୍ରତିଷ୍ଠା ହେଉବୋଲି ଆମେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲୁ ସେଥିରେ କାମାକ୍ଷାନଗର ଅଞ୍ଚଳ ସାମିଲ ହୋଇଥିବାରୁ ଏହା ଲୋକ ବିକାଶ ଦିଗରେ ବେଶ୍ ସହାୟକ ହୋଇପାରିବ ବୋଲି କହିଥିଲେ। କମ୍ୟୁନିଟ୍ ରେଡ଼ିଓ ଆସୋସିଏସନ ଅଫ ଓଡ଼ିଶାର ସଭାପତି ଏସ. ଏ.ସଫିକ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ରେଡ଼ିଓ ବସୁଧା ର ଉନ୍ନତି କାମନା କରିବା ସହିତ ଏହି ଅଞ୍ଚଳର ବିକାଶ ଦିଗରେ ସହାୟକ ହୋଇପାରିବ ବୋଲି କହିଥିଲେ।
ରେଡ଼ିଓ ବସୁଧାର ଅଧ୍ୟକ୍ଷ ଶିଶିର ଶତପଥୀ କହିଥିଲେ ଯେ, ରେଡ଼ିଓ ବସୁଧା ବର୍ତ୍ତମାନ ଦୈନିକ ୬ଘଣ୍ଟା କାର୍ଯ୍ୟକ୍ରମ ପ୍ରସାରଣ କରିବାର ଯୋଜନା ରହିଛି। ସକାଳ ୭ଟାରୁ ୯ଟା, ଅପରାହ୍ନ ୨ଟାରୁ ୪ଟା ଏବଂ ସନ୍ଧ୍ୟା ୭ଟା ରୁ ୯ଟା ପର୍ଯ୍ୟନ୍ତ ଏଫଏମ୍ ୯୦.୦ ମେଗା ହର୍ଜ ଯୋଗେ ରେଡିଓ, ଟ୍ରାଞ୍ଜିଷ୍ଟର ରେଡିଓ, ଏଫଏମ୍ ରେଡିଓ ଓ ମୋବାଇଲ ଯୋଗେ ଲୋକମାନେ ଏହା ଶୁଣି ପାରିବେ ବୋଲି କହିଥିଲେ। ଅଧ୍ୟାପକ ସୁରେଶ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଇଡିଅଟର ସଦସ୍ୟ ସଚିବ ସରୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଡ଼ିଓ ବୁଲବୁଲର ସେକ ନିଆଜ ଯୋଗ ଦେଇଥିଲେ। ରେଡ଼ିଓ ବସୁଧାର କାର୍ଯ୍ୟକର୍ତ୍ତା ଶିଶିର ପାଣି, ସୁଶାନ୍ତ ପତି, ବାଦଲ ମହାନ୍ତି, ପ୍ରିୟଦର୍ଶିନୀ ପରିଡ଼ା, ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ।
Comments are closed.