www.samajalive.in
Sunday, December 7, 2025
18.1 C
Bhubaneswar

ମହିଳା ଟି-୨୦ ବିଶ୍ୱକପ୍ : ନ୍ୟୁଜିଲାଣ୍ଡକୁ ୩୪ ରନରେ ହରାଇଲା ଭାରତ

ପ୍ରୋଭିଡେନ୍‍ସ(ୱେଷ୍ଟଇଣ୍ଡିଜ) : ଅଧିନାୟିକା ହରମନପ୍ରୀତ କୌରଙ୍କ ପ୍ରଶଂସନୀୟ ଶତକ ଓ ଜେମିମା ରୋଡ୍ରିଗ୍ୱେଜ୍‍ଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଶୁକ୍ରବାର ଖେଳାଯାଇଥିବା ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ର ଏକ ଗ୍ରୁପ୍‍-ବି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩୪ ରନରେ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତକୁ ୨ ପଏଣ୍ଟ ମିଳିଥିବାବେଳେ ନ୍ୟୁଜିଲାଣ୍ଡ କୌଣସି ପଏଣ୍ଟ ପାଇନାହିଁ। ଆସନ୍ତା ୧୧ରେ ଭାରତ ତାହାର ଦ୍ୱିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୯୪ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୯ ୱିକେଟ୍‍ ହରାଇ ୧୬୦ ରନ୍‍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା।
ଭାରତୀୟ ଅଧିନାୟିକା ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୪୦ ରନରେ ଦଳ ତାନ୍ୟା ଭାଟିଆ (୯), ସ୍ମୃତି ମାନ୍ଧାନା (୨) ଓ ହେମଲତାଙ୍କ (୧୫) ୱିକେଟ ହରାଇଥିଲା। ତେବେ ଜେମିମା ରୋଡ୍ରିଗ୍ୱେଜ୍‍ ଓ ହରମନପ୍ରୀତ ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ୪ର୍ଥ ୱିକେଟ ପାଇଁ ୧୩୪ ରନ ଯୋଗକରିଥିଲେ। ଜେମିମା ୭ଟି ଚୌକା ସହାୟତାରେ ୫୯ ରନ କରି ଆଉଟ ହେବାରୁ ଏହି ଯୋଡି ଭାଙ୍ଗିଯାଇଥିଲା। ହରମନପ୍ରୀତ ୫୧ ବଲରୁ ୭ଟି ଚୌକା ଓ ୮ଟି ଛକା ସହାୟତାରେ ୧୦୩ ରନ କରି ଶେଷ ଓଭରର ପଞ୍ଚମ ବଲରେ ୫ମ ଖେଳାଳିଭାବେ ଆଉଟ ହୋଇଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୯୪ ରନ କରିଥିଲା। ସୂଚନାଯୋଗ୍ୟ ଟ୍ୱେଣ୍ଟି୨୦ ଫର୍ମାଟରେ ଶତକ ଅର୍ଜନ କରିବାରେ ହରମନପ୍ରୀତ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା କ୍ରିକେଟର। ନ୍ୟୁଜିଲାଣ୍ଡ ପକ୍ଷରୁ ସାତଜଣ ବୋଲରଙ୍କୁ ନିୟୋଜିତ କରାଯାଇଥିବାବେଳେ ଲିଆ ଟାହୁହୁ ୨ଟି ଓ ଜେସ୍‍ ୱାଟ୍‍କିନ, ଲେହ୍‍ କାସ୍ପେରେକ୍‍ ଓ ସୋଫି ଡିଭାଇନ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।
୧୯୫ ରନ୍‍ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ୍‍ ମୂଳରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ୱିକେଟ୍‍ ନିମନ୍ତେ ବେଟ୍‍ସ ଓ ଏ. ପିଟରସନ୍‍ ୫୨ ରନ୍‍ ସଂଗ୍ରହ କରିଥିଲେ। ପ୍ରଥମ ଖେଳାଳି ଭାବେ ପିଟରସନ୍‍ ବ୍ୟକ୍ତିଗତ ଭାବେ ୨ଟି ଚୌକା ସହାୟତାରେ ୧୪ ରନ୍‍ କରି ହେମଲତାଙ୍କ ବଲରେ ଭାଟିଆଙ୍କ ଦ୍ୱାରା କ୍ୟାଚ୍‍ ହୋଇଥିଲେ। ଏହାପରେ ନ୍ୟୁଜିଲାଣ୍ଡ ଦଳ କ୍ରମାଗତ ଭାବେ ୱିକେଟ୍‍ ହରାଇଥିଲା। ଦ୍ୱିତୀୟ ଓ ତୃତୀୟ ୱିକେଟ୍‍ ୭୩ ରନ୍‍ରେ ପଡ଼ିଥିଲା। ଡେଭାଇନ୍‍ ୯ ଓ ୱାଟକିନ୍‍ କୌଣସି ରନ୍‍ ସଂଗ୍ରହ କରିବା ପୂର୍ବରୁ ଆଉଟ୍‍ ହୋଇଥିଲେ। ଅଧିନାୟିକା ସାଟରୱେଟ୍‍ ୩ ରନ୍‍ କରି ଆଉଟ୍‍ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମାର୍ଟିନ୍‍ ୮ଟି ଚୌକା ସହାୟତାରେ ୩୯ ରନ୍‍ ସଂଗ୍ରହ କରିଥିଲେ। ଦଳର ସ୍କୋର ୯୮ ରନ୍‍ ହୋଇଥିବା ବେଳେ ବେଟ୍‍ସ ବ୍ୟକ୍ତିଗତ ଭାବେ ୮ଟି ଚୌକା ସହାୟତାରେ ୬୭ ରନ୍‍ ସଂଗ୍ରହ କରିଥିଲେ। ଦ୍ରୁତ ଗତିରେ ରନ୍‍ ସଂଗ୍ରହ କରିବାକୁ ଚେଷ୍ଟା କରି ମାର୍ଟିନ୍‍ ଦଳର ସ୍କୋର ୧୪୭ ହୋଇଥିବାବେଳେ ଆଉଟ୍‍ ହୋଇଥିଲେ। ଏହାପରେ ନ୍ୟୁଜିଲାଣ୍ଡ ଦଳର ନିମ୍ନଭାଗ ବ୍ୟାଟସମ୍ୟାନ୍‍ ସହଳ ଆଉଟ୍‍ ହେବା ଫଳରେ ଭାରତ ବିଜୟୀ ହୋଇଥିଲା। ଗ୍ରୀନ୍‍ ୨, କାସପରେକ୍‍ ୧୯ ଓ ଜେନସନ୍‍ ୧ ରନ୍‍ କରି ଆଉଟ୍‍ ହୋଇଥିଲେ। ଭାରତୀୟ ବୋଲର ହେମଲତା ଓ ପୁନମ ଯାଦବ ୩ଟି ଲେଖାଏଁ ୱିକେଟ୍‍ ହାସଲ କରିଥିବା ବେଳେ ରାଧା ଯାଦବ ୨ଟି ୱିକେଟ୍‍ ହାସଲ କରିଥିଲେ। ହରମନ୍‍ପ୍ରୀତ କୌର୍‍ ପ୍ଲେୟାର ଅଫ୍‍ ଦି ମ୍ୟାଚ୍‍ ବିବେଚିତ ହୋଇଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories