କଲ୍ୟାଣସିଂହପୁରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଆଲଜିନିଗୁଡ଼ା ଛକ ନିକଟସ୍ଥ ଗୌତମ ନଗରଠାରେ ଡକ୍ଟର ବି. ଆର୍ ଆମ୍ବେଦକରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏଥି ନିମନ୍ତେ ପ୍ରଥମେ ଗୌତମ ନଗରଠାରୁ ଜଗନ୍ନାଥପୁର ଗାଁ ପର୍ଯ୍ୟନ୍ତ ପାରମ୍ପରିକ ବାଜା ସହ ବିଶାଳ ସମାବେଶରେ ଶୋଭାଯାତ୍ରା ବାହାରିଥିଲା। ଏହାପରେ ଡକ୍ଟର ବି ଆର୍ ଆମ୍ବେଦକରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଲା ପରେ ଅତିଥିଙ୍କ କରକମଳରେ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା ଏବଂ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ଅତିଥିମାନେ ଡକ୍ଟର ଆମ୍ବେଦକରଙ୍କ ଜୀବନୀ ଓ ତାଙ୍କର ସମାଜ ପ୍ରତି ରହିଥିବା ଅବଦାନକୁ ନିଜ ନିଜର ଅଭିଭାଷଣରେ ବ୍ୟକ୍ତ କରିଥିଲେ। ସମାଜସେବୀ କାରୁମାଞ୍ଚି ରତ୍ନାଜି ଏନ୍ ସୁଜାତାଙ୍କ ଦ୍ଵାରା ଏଥି ପାଇଁ ଜମିଦାନ କରିବା ସହ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଦୟାନିଧି ବାଗ୍ ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆମ୍ବେଦକରବାଦୀ ଯୋଗେଶ୍ୱର ସାଗର ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନେତା ସରୋଜ କୁମାର ନାୟକ, କଲ୍ୟାଣସିଂହପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ସୁନିଲ୍ ଖୋରା, ବିଏସପି ନେତା ଜିତୁ ଜାକେଶିକା ଓ ଅନେକ ବୁଦ୍ଧିଜୀବୀ ଆମ୍ବେଦକର ପ୍ରେମୀ ଓ ଗ୍ରାମବାସୀ ପ୍ରମୁଖ ବହୁ ମାତ୍ରାରେ ଉପସ୍ଥିତ ରହିଥିଲେ।
Comments are closed.