ଆଠଗଡ଼: ଆଠଗଡ଼ ବ୍ଲକସ୍ତରୀୟ କୃଷକ ଦିବସ ଓ ଅକ୍ଷୟ ତୃତୀୟା ରାଜନଗର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବୀନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ସୁପ୍ରିମକୋର୍ଟର ଆଇନଜୀବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଖିମୁଠି ଅନୁକୁଳ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ରାଜ୍ୟ ସରକାର କୃଷି କ୍ଷେତ୍ର ଓ କୃଷକର ଉନ୍ନତି ପାଇଁ ନିଜର ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି। ୨୦୧୩ ମସିହାରେ ରାଜ୍ୟର କୃଷି ବଜେଟ୍ ମାତ୍ର ୮୦୦କୋଟି ଟଙ୍କା ରହିଥିବାବେଳେ ଏବେ ୨୦୨୩ରେ ସ୍ୱତନ୍ତ୍ର କୃଷି ବଜେଟ ମାଧ୍ୟମରେ ନବୀନ ସରକାର ୨୪୦୦କୋଟି ଟଙ୍କା ପ୍ରାବଧାନ କରିଛନ୍ତି ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ଯୋଗଦେଇ କୃଷକମାନେ ହେଉଛନ୍ତି ଅନ୍ନଦାତା ଏବଂ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ପ୍ରତ୍ୟେକ ମଣିଷ ଖାଦ୍ୟ ଗଣ୍ଡାଏ ପାଉଛି। ତେଣୁ କୃଷକମାନଙ୍କର ଉନ୍ନତି ଓ ଆର୍ôଥକ ପ୍ରଗତି ହେଲେ ଯାଇଁ ଦେଶ ସମୃଦ୍ଧ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନୃସିଂହ ଚରଣ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସ୍ୱାଇଁ, ଶିକ୍ଷାବିତ୍ ଶ୍ରୁତିଧର ପ୍ରଧାନ, ନିଳମଣୀ ନାୟକ, ପିତବାସ ଦାଶଶର୍ମା, ରାଜନଗର ସରପଞ୍ଚ ରଶ୍ମିତା ପରିଡ଼ା, ସମିତିସଭ୍ୟ ସୁଚିତ୍ରା ସାମଲ, କୃଷକନେତା ନିରାକାର ଲେଙ୍କା ଓ କ୍ଷୀରୋଦ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଅକ୍ଷୟ ତୃତୀୟା ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର, ଉଦ୍ୟାନ କୃଷି ଅଧିକାରୀ ଧନଞ୍ଜୟ ରାଉତ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଶାନ୍ତ କୁମାର ବେହେରା ପ୍ରମୁଖ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ବିଷୟରେ କହିବା ସହ ଏହାର ସଦୁପଯୋଗ କରିବା ଲାଗି କୃଷକଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସଫଳ ଚାଷୀଙ୍କ ମଧ୍ୟରେ ଅଣ୍ଡାଦିଆ କୁକୁଡା ଚାଷୀ ଛଅଗାଁ ର ଜିତେନ୍ଦ୍ର କୁମାର ରାଉତ, ଧଳା ଘୁଷୁରି ଚାଷୀ ଇଚ୍ଛାପୁରର ଅଜିତ କୁମାର ପ୍ରଧାନ, ଗୋଚାଷୀ କନ୍ଦରପୁରର ସୂର୍ଯ୍ୟକାନ୍ତ ବେହେରା, ଫୁଲଚାଷୀ ବେତଖୋଲିର ମମତା ନାୟକ, ଧାନଚାଷୀ ଶିବଚରଣ କାଣ୍ଡିୟମ, ଛେଳିଚାଷ ପାଇଁ କଲରାଗଡ଼ର ମା ଲକ୍ଷ୍ମୀ ଏସଏଚଜି, ମାଛଚାଷ ପାଇଁ ଗରିଆପାଟର ରାଧାକୃଷ୍ଣ ଏସଏଚଜି ଏବଂ ବଡି ଓ ପାମ୍ପଡ ଉତ୍ପାଦନକାରୀ ଦୋରଡର ମହାଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀକୁ ମୁଖ୍ୟଅତିଥି ସମ୍ମାନିତ କରିଥିଲେ।
Popular Categories



