www.samajalive.in
Monday, December 15, 2025
17.1 C
Bhubaneswar

ରେଳସେବାରେ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଉପେକ୍ଷିତ

ନବରଙ୍ଗପୁର :  ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ରେଳ ସେବାରୁ ବଞ୍ଚିତ ହୋଇ ରହିଛି। ଏହି ନିର୍ବାଚନ ମଣ୍ଡଳୀର ବହୁ ପ୍ରତୀକ୍ଷିତ ଜୟପୁର-ନବରଙ୍ଗପୁର  ଏବଂ ଜୟପୁର- ମାଲକାନଗିରି ନୂଆ ବ୍ରଡଗେଜ ରେଳ ଲାଇନର ଦୁଇଟି ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି । ଗତ ୬ବର୍ଷ ମଧ୍ୟରେ ୯୨ଟି ଗାଁରୁ ମାତ୍ର ୨୪ଟି ଗାଁ ପାଇଁ ଏବେ ପ୍ରକଳ୍ପ ଆକଳନ ନୂଆଦିଲ୍ଲୀକୁ ଯାଇଛି । ସେଠାରୁ ଏହା ଅନୁମୋଦନ ହୋଇ ଆସିବା ପରେ ପୁଣି ଜମି ଅଧିଗ୍ରହଣ ପାଇଁ ଆହୁରି ୪ଟି ପର୍ଯ୍ୟାୟର କାମ ବାକି ରହିଛି। ଏହାର ପଛରେ ଆରମ୍ଭ ହୋଇଥିବା ଭାରତମାଳା ପ୍ରକଳ୍ପର କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁଥିବା ବେଳେ ଏହି ଦୁଇଟି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇ ନ ପାରିବା କାରଣକୁ ନେଇ ସାଧାରଣରେ ବିଭିନ୍ନ  ପ୍ରଶ୍ନ ସୃଷ୍ଟି କରିଛି।
ଏତେ ବଡ ଦୁଇଟି ପ୍ରକଳ୍ପକୁ କାର୍ଯ୍ୟାନ୍ବୟନ କରିବା ପାଇଁ ରାଜ୍ୟସରକାର ମଧ୍ୟ ଜଣେ ମାତ୍ର ସ୍ଥାୟୀ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଅଧିକାରୀଙ୍କୁ ବି  ବାରମ୍ବାର ବଦଳି କରାଯିବା ସହ  ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ଏହି ପ୍ରକଳ୍ପ ଯେଉଁ ମାତ୍ରାରେ ଆଗେଇବା କଥା ଆଗେଇ ପାରିନି । ୨୦୧୭ମସିହାରୁ ପ୍ରାୟ ପାଞ୍ଚ ଜଣ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କ ବଦଳି ହୋଇ ସାରିଲେଣି। ମଞ୍ଜୁରୀପ୍ରାପ୍ତ ୪ଟି ଅମିନ ପଦବି, ପ୍ରୋସେସ୍ ସର୍ଭର, ସିନିୟର କିରାଣୀ, ଜୁନିୟର କିରାଣୀ ଓ ପିଅନ ପଦବି ସବୁ କାର୍ଯ୍ୟାଳୟ ଖୋଲିବା ପରଠାରୁ ଖାଲି ପଡ଼ିଛି । ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ଡେପୁଟେସନରେ  ରଖାଯାଇଛି। ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନଥିବାରୁ ଜମି ଅଧିଗ୍ରହଣର ଅଗ୍ରଗତିକୁ ବିଶେଷ ବାଧା ସୃଷ୍ଟି କରିଛି ।
ଜୟପୁର-ମାଲକାନଗିରି ୧୩୦ କିଲୋମିଟର ରେଳ ଲାଇନ ପାଇଁ ମାଲକାନଗିରି ଜିଲାର ୪୨ଟି ଗାଁ ଏବଂ କୋରାପୁଟ ଜିଲାର ୨୯ଟି ଗାଁର ଜମି ଅଧିଗ୍ରହଣ କରାଯିବ ।  ମାଲକାନଗିରିର ୫ଟି ଗାଁ ଜଙ୍ଗଲ ଜମି ।  ବଳକା ୩୭ଟି ଗାଁରୁ ୨ଟି ଗାଁର ୩ୟ ପର୍ଯ୍ୟାୟରେ ଜମି ଅଧିଗ୍ରହଣ କାମ ସରିଛି ।  ୩୫ଟି ଗାଁ ବିଶେଷଞ କମିଟି ବୈଠକ କରାଯିବା ସ୍ଥିତିରେ ରହିଛି ବୋଲି  ସ୍ୱତନ୍ତ୍ର ଭୂ- ଅଧିଗ୍ରହଣ ଅଧିକାରୀ ସୁରଜ ପଟ୍ଟନାୟକ କହିଛନ୍ତି । କୋରାପୁଟ ଜିଲ।ର ୨୯ଟି ଗାଁରୁ ୧୭ଟି ଗାଁ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବ ଯାଇଛି । ୮ଟି ଗାଁରେ ଥିବା ପୋଖରୀ, ଜମି, ଘର ଆଦିର ବଜାର ଦର ଆକାଳନ କରି ଟିମ୍ ‌ରିପୋର୍ଟ ଦେବା ସ୍ଥିତିରେ ରହିଥିବା ବେଳେ ୩ଟି ଗାଁ ତୃତୀୟ ପର୍ଯ୍ୟାୟରେ ଏବଂ ଗୋଟିଏ ଗାଁ ପ୍ରାରମ୍ଭିକ ସ୍ଥିତିରେ (୧୧-୧)ରେ ନୋଟିସ ଦିଆଯାଇଛି ବୋଲି କହିଛନ୍ତି ।
ସେହିପରି, ୪୨ କିଲୋମିଟର ଦୀର୍ଘ ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ନବରଙ୍ଗପୁର ଜିଲ।ର ୬ଟି ଓ କୋରାପୁଟଜିଲ।ର ୨୦ଟି  ଗାଁର ଜମି ଅଧିଗ୍ରହଣ ହେବ। ନବରଙ୍ଗପୁର ଜିଲ।ର ୬ଟି ଗାଁରୁ ଡାଇଭଟ୍ଟା ଗାଁର ଜମି ଅଧିଗ୍ରହଣ ଇଷ୍ଟିମେଟ୍ ପାଇଁ ଯାଇଛି। ବଳକା ୪ଟି ଗାଁ ବିଶେଷଞ କମିଟି ବୈଠକ ବସିଥିବା ବେଳେ ସିନ୍ଧିଗୁଡା ଗାଁର ବୈଠକ ଆସନ୍ତା ବୁଧବାର ଦିନ ହେବ ବୋଲି କହିଛନ୍ତି ।
ଜୟପୁର –ନବରଙ୍ଗପୁର ପ୍ରକଳ୍ପରେ କୋରାପୁଟ ଜିଲ।ର ୨୦ଟି ଗାଁରେ ଜମି ଅଧିଗ୍ରହଣ କରିବାକୁ ପଡିବ। ୬ଟି ଗାଁର ଇଷ୍ଟିମେଟ୍ ପାଇଁ ଯାଇଥିବା ବେଳେ ୮ଟି ଗାଁରେ ଥିବା ପୋଖରୀ, ଜମି, ଘର ଆଦିର ବଜାର ଦର ଆକାଳନ କରି ଟିମ୍ ‌ରିପୋର୍ଟ ଦେବା ସ୍ଥିତିରେ ରହିଛି ବୋଲି କହିଛନ୍ତି । ୫ଟି ଗାଁର ଜନଶୁଣାଣୀ ଏବଂ ହରଡାପୁଟ ଗାଁର ଯୁଗ୍ମ ଯାଂଚ ଭଳି ପ୍ରକ୍ରିୟା ବାକି ରହିଛି। ଗତ ୨୦୧୬ ମସିହାରେ ଏହି ଦୁଇଟି ରେଳ ପ୍ରକଳ୍ପ ପାଇଁ ଚୁକ୍ତିନାମା ହୋଇଥିଲା । ତେବେ ଦୀର୍ଘ ୬ ବର୍ଷ ଅତିବାହିତ ହୋଇଥିଲେହେଁ କାର୍ଯ୍ୟ ଦ୍ରୁତଗତିରେ ଆଗେଇପାରୁନି ।  ତେବେ ଏହି ଦୁଇଟି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେଉ ନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories