କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କସାଣ୍ଡ୍ରା କଲଚାରଲ ସେଣ୍ଟର ପକ୍ଷରୁ ଚଳିତ ମାସ ୨୦ ତାରିଖରୁ ୪ ଦିନିଆ ଜାତୀୟ ନାଟକ ମହୋତ୍ସବ ମ୍ୟୁନିସିପାଲିଟି ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉପଲକ୍ଷେ କାସାଣ୍ଡ୍ରା ସଭା ଗୃହ ଠାରେ ବୁଧବାର ପୂର୍ବାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଝାଡେଶ୍ୱର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହାପରେ ଅନୁଷ୍ଠାନର ସମ୍ପାଦକ ମଳୟ ମହାପାତ୍ର ଏହି ୪ଦିନିଆ ନାଟକ ମହାତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ଭୁବନେଶ୍ୱର ଶତାବ୍ଦୀର କଳାକାର ନାଟ୍ୟ ସଂସ୍ଥା ଦ୍ୱାରା ନାଟକ ‘ଦଶବତାର’ ମଞ୍ଚସ୍ଥ ହେବ ବୋଲି କହିଥିଲେ। ସେହିଭଳି ୨୧ ତାରିଖ ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭୋପାଳର ଅଗ୍ରଣୀ ନାଟ୍ୟସଂସ୍ଥା ‘ଦି ରାଇଜିଂ ଆର୍ଟ ଆଣ୍ଡ କଲଚର’ ପ୍ରାୟୋଜିତ ନାଟକ ‘ମଜନୁ ଲାଉସମେଣ୍ଟ’, ୨୨ ତାରିଖ ସନ୍ଧ୍ୟାରେ କୋଲକତାର ନାଟ୍ୟାନୁଷ୍ଠାନ ତିଲଜଲା କଳ୍ପନ ନାଟ୍ୟଗାଷ୍ଠୀ ପ୍ରାୟୋଜିତ ନାଟକ ‘ଏକ କିତିର ଦିନଲିପି’ ମଞ୍ଚସ୍ଥ ହେବ। ଉତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ନାଟ୍ୟକାର ଚିନ୍ମୟ ଦାସପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନାଟକ ‘କଥା ତ ଏତିକି’ କାସାଣ୍ଡ୍ରା ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ହେବ।
ଏହି ନାଟ୍ୟ ଉତ୍ସବରେ ଅନୁଷ୍ଠାନର ସ୍ୱର୍ଗତଃ ସଦସ୍ୟ ଧୀରେନ୍ଦ୍ର ରାଉତ, ଗୟାଧର ଦାସ, ବନ ବିହାରୀ ପହି, ଦେବାଶିଷ ପଟ୍ଟନାୟକ ଏବଂ ବିରଞ୍ଚି ନାରାୟଣ ଦାସଙ୍କ ସ୍ମୃତିରେ ବରିଷ୍ଠ ନାଟ୍ୟ କଳାକାର ଯାଗେନ୍ଦ୍ର ମହାପାତ୍ର, ଘନଶ୍ୟାମ ମିଶ୍ର, ପରୀକ୍ଷିତ ମିଶ୍ର, କଳ୍ପତରୁ ଆଚାର୍ଯ୍ୟ, ବିଦ୍ୟାଧର ରାଏଙ୍କୁ କାସାଣ୍ଡ୍ରା ସମ୍ମାନରେ ସମ୍ମାନିତ କରାଯିବ ବାଲି ଅନୁଷ୍ଠାନର ସମ୍ପାଦକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ରବୀନ୍ଦ୍ର ସେଠୀ ଓ ସଙ୍ଗଠନ ସମ୍ପାଦକ ତୁଷାର ସାମନ୍ତ ଏହି ସମ୍ମିଳନୀରେ ଯୋଗଦେଇ ପ୍ରତି ସନ୍ଧ୍ୟା ୬ଟାରେ ଆରମ୍ଭ ହେବାକୁ ଥିବା ଏହି ଜାତୀୟ ନାଟକ ମହୋତ୍ସବରେ କେନ୍ଦୁଝରର କଳା ଓ ସଂସ୍କୃତିପ୍ରେମୀ ସାମିଲ ହୋଇ ଭରପୁର ମଜା ଉଠାଇବାକୁ ନିବେଦନ କରିଛନ୍ତି।



